ହାଇକୋର୍ଟ କହିଥିଲେ ‘ନିଆଁ ଲାଗିବା ଭଗବାନଙ୍କ କାମ’, ସୁପ୍ରିମକୋର୍ଟ କହିଲେ ନା

ନିଆଁ ଲାଗିବା ଭଗବାନଙ୍କ କାମ ବୋଲି ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହାକୁ କଦାପି ଭଗବାନଙ୍କ କାମ ବୋଲି କୁହାଯାଇପାରିବ ନାହିଁ । ଜଷ୍ଟିସ ଏ ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

Supreme Court

କୌଣସି ବାହ୍ୟ ପ୍ରାକୃତିକ ଶକ୍ତି ଯଥା ଝଡ, ବନ୍ୟା, ବଜ୍ରାଘାତ କିମ୍ୱା ଭୂମିକମ୍ପ ଯୋଗୁଁ ଅଗ୍ନିକାଣ୍ଡ ଘଟିନଥିଲେ ଏହା ଭଗବାନଙ୍କ କାମ ବୋଲି କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମଦ ତଆରି କରୁଥିବା ଏକ କଂପାନୀର ପଣ୍ୟାଗାରରେ ଘଟିଥିବା ଅଗ୍ନିକାଣ୍ଡ ଭଗବାନଙ୍କ କାମ ବୋଲି କହି ଆହ୍ଲାବାଦ ହାଇକୋର୍ଟ ଏହି କଂପାନୀର ଅବକାରୀ ଦେୟ ବା ଲାଏବିଲିଟି ଛାଡ କରିଦେଇଥିଲେ । ଏହି ଅଗ୍ନିକାଣ୍ଡ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା ଝଡ, ବନ୍ୟା, ବଜ୍ରାଘାତ କିମ୍ୱା ଭୂମିକମ୍ପ କାରଣରୁ ହୋଇନଥିଲା । ଏହି ଅଗ୍ନିକାଣ୍ଡ ପଛରେ କୌଣସି ବାହ୍ୟ ପ୍ରାକୃତିକ ଶକ୍ତି ନଥିଲା । ସୁପ୍ରିମକୋର୍ଟ ଏ କଥା ମଧ୍ୟ କହିଛନ୍ତି ଯେ, ଏହି ଘଟଣାରେ କେହି ଦୁର୍ବୃତ୍ତ ମଧ୍ୟ ନିଆଁ ଲଗାଇ ନାହାନ୍ତି । ୨୦୦୩ ଏପ୍ରିଲ ୧୦ ତାରିଖରେ ଏହି ନିଆଁ ଦିନ ୧୨ ଟା ୫୫ ମିନିଟରେ ଲାଗିଥିଲା ଓ ତା ପରଦିନ ସକାଳ ୫ଟାରେ ନିୟନ୍ତ୍ରଣକୁ ଆସିଥିଲା ।

ସୁପ୍ରିମକୋର୍ଟ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ସମସ୍ତ ଦିଗକୁ ବିଚାର କଲେ ଅଗ୍ନିକାଣ୍ଡ କାରଣରୁ ଘଟିଥିବା ବିପୁଳ କ୍ଷତି ମଣିଷର ନିୟନ୍ତ୍ରଣର ବାହାରେ ଥିଲା ଓ ଦୁର୍ଘଟଣା ଅବଶ୍ୟମ୍ଭାବୀ ଥିଲା ବୋଲି ସହଜରେ ଗ୍ରହଣ କରିହେଉନାହିଁ । ନିଆଁ ମନକୁମନ ଲାଗିନାହିଁ । ଆବଶ୍ୟକୀୟ ଫାୟାର ପ୍ରୁଫ୍ ବ୍ୟବସ୍ଥା କରାଯାଇଥିଲେ, ଏହା ଘଟିନଥାନ୍ତା କିମ୍ୱା କ୍ଷୟକ୍ଷତି କମ୍ କରାଯାଇ ପାରିଥାଆନ୍ତା । ଏ କ୍ଷେତ୍ରରେ ହାଇକୋର୍ଟଙ୍କ ଆଦେଶ ଯଥାର୍ଥ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଉତ୍ତରପ୍ରଦେଶ ସରକାରଙ୍କ ଅବକାରୀ ବିଭାଗ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ । ନିଆଁ ଲାଗିଥିବାରୁ ଏକ ଦାମୀ ମଦ କଂପାନୀର ସରକାରଙ୍କୁ ଦେବାକୁ ଥିବା ୬ କୋଟି ୩୯ ଲକ୍ଷ ଟଙ୍କା ହାଇକୋର୍ଟ ଛାଡ କରିଦେଇଥିଲେ । ଏହି ଅଗ୍ନିକାଣ୍ଡରେ କଂପାନୀ ପକ୍ଷରୁ କିଛି ଅବହେଳା ହୋଇନାହିଁ ଓ ଏହି ଘଟଣା ଭଗବାନଙ୍କ କାମ ଛଡା ଆଉ କିଛି ନୁହେଁ ବୋଲି ହାଇକୋର୍ଟ କହିଥିଲେ । ଏହି ମାମଲାରେ ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ସଂପୃକ୍ତ ମଦ କଂପାନୀକୁ ରାଜ୍ୟ ସରକାରଙ୍କୁ ଅବକାରୀ ଦେୟ ଦେବାକୁ ପଡିବ ।