ସୁପ୍ରିମ ମାର୍ଗଦର୍ଶିକା
ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢିଚାଲିଥିବା ଆତ୍ମହତ୍ୟା ପ୍ରବଣତା ଗମ୍ଭୀର ଚିନ୍ତାଜନକ ବିଷୟ ହୋଇଥିବାବେଳେ ଏଭଳି ସମ୍ବେଦନଶୀଳ ଘଟଣା ଅନେକ ସମୟରେ ରାଜନୀତିକ ଆଲୋଡନ ସୃଷ୍ଟି କରୁଛି । କିନ୍ତୁ ପିଲାଙ୍କୁ ଏକ ସୁସ୍ଥ ମାନସିକରେ ପଢିବା ଓ ବଢିବାର ପରିବେଶ ପ୍ରଦାନ କରିବାରେ ଆମ ବିଫଳତାକୁ ସ୍ୱୀକାର କରି ଏହାର ପ୍ରତିରୋଧ ପାଇଁ ଗଠନମୂଳକ ପଦକ୍ଷେପ ନିଆଯାଇପାରି ନାହିଁ । ଫଳରେ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନକଟରେ ଦେଶର ସର୍ବୋଚ୍ଚ ଅଦାଲତ ଏକ ୧୫ ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଆତ୍ମହତ୍ୟା ପ୍ରବଣତାର ପରିସ୍ଥିତିକୁ ଧ୍ୟାନରେ ରଖି ଏଥର ସୁଧୁରିବ କି ବ୍ୟବସ୍ଥା ? ଚେତିବେକି ସରକାର ଓ ଅଭିଭାବକ ?
ବିଶ୍ୱରେ ଆତ୍ମହତ୍ୟା ଘଟଣା କ୍ରମଶଃ ଖରାପ ସ୍ଥିତିରେ ଥିବାବେଳେ ଭାରତରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ସବୁଠାରୁ ଚିନ୍ତା ଓ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି ଦେଶରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଆତ୍ମହତ୍ୟା । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍.ସି.ଆର୍.ବି) ରିପୋର୍ଟ ୨୦୨୧ ଅନୁସାରେ, ଛାତ୍ରୀଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦେଶର ୫ମ ସ୍ଥାନରେ ରହିଛି । ଓଡ଼ିଶାରେ ରୁଜୁ ହୋଇଥିବା ମୋଟ ମାମଲାରେ ଛାତ୍ରଙ୍କ ସଂଖ୍ୟା ୬୯୭ ଏବଂ ଛାତ୍ରୀଙ୍କ ସଂଖ୍ୟା ୧୩୭ ରହିଛି । ୨୦୨୦ରେ ଓଡ଼ିଶା ୧୪୬୯ ଛାତ୍ରୀଛାତ୍ର ଆତ୍ମହତ୍ୟା ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଛାତ୍ର ଆତ୍ମହତ୍ୟା ମାମଲାରେ ପ୍ରଥମସ୍ଥାନରେ ରହିଥିଲା, ଅର୍ଥାତ ଓଡ଼ିଶାରେ ସର୍ବାଧିକ ୧୦୪୨ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ ।
୨୦୨୨ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପରେ ଚଳିତ ବର୍ଷ କିଟ୍ ନେପାଳୀଛାତ୍ରୀ ଆତ୍ମହତ୍ୟା ଏବଂ ଏଫ୍.ଏମ. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ଭଳି ଘଟଣାଗୁଡିକ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟରେ ବଢୁଥିବା ଆତ୍ମହତ୍ୟା ପ୍ରବଣତା ସମ୍ପର୍କରେ ଓଡିଶା ବିଧାନସଭାରେ ମଧ୍ୟ ତଥ୍ୟ ପ୍ରକାଶ ପାଇଛି । ରାଜ୍ୟରେ ନୂଆ ସରକାର ଆସିବା ପରେ ସେପ୍ଟେମ୍ବର ୨୦୨୪ରେ ଜଣାଇଛନ୍ତି, ଗତ ୩ ବର୍ଷରେ ଦାୟର ହୋଇଥିବା ୧୭୭୭୮ ଆତ୍ମହତ୍ୟା ମାମଲା ମଧ୍ୟରୁ ୨୧୮ ଛାତ୍ର ଏବଂ ୨୬୩ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ୨୦୨୩ରେ ୧୦୪ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିଲେ ।
ସେହିଭଳି ବିଦ୍ୟାର୍ଥୀ ପଢ଼ା ପରେ ଆତ୍ମହତ୍ୟା କରୁଥିବା ରାଜସ୍ଥାନର କୋଟାର ରିପୋର୍ଟ ଚର୍ଚ୍ଚାକୁ ଆସିଥିଲା । କୋଟାରେ ଜାନୁୟାରୀ ୨୦୧୯ରୁ ଡିସେମ୍ବର ୨୦୨୨ ମଧ୍ୟରେ ୫୨ ଜଣ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ରାଜସ୍ଥାନ ବିଧାନସଭା ସଦସ୍ୟ ମେଘୱାଲଙ୍କ ଏକ ଲିଖିତ ଉତ୍ତରରେ ସରକାର ଜଣାଇଲେ ଯେ, ସମ୍ପୃକ୍ତ ସମସ୍ୟାର ସମାଧାନ ପାଇଁ ଏକ ଆଇନ ଅଣାଯିବ । ତେବେ ଆଶ୍ଚର୍ଯ୍ୟ ଓ ଉଦବେଗର ବିଷୟ ହେଉଛି, ଚଳିତ ବର୍ଷ ୫ ମାସରେ ୧୪ଜଣ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ପରେ ୨୩ ମଇ ୨୦୨୫ରେ ସୁପ୍ରିମକୋର୍ଟ କଡା ଭତ୍ସନା କରିଥିଲେ ।
ବିଦ୍ୟାର୍ଥୀଙ୍କ ମଧ୍ୟରେ ଆତ୍ମହତ୍ୟା ଘଟଣାର ବେଲଗାମ ବୃଦ୍ଧି ଦେଶର ସର୍ବୋଚ୍ଚ ଅଦାଲତକୁ ଦୃଢ ବଦକ୍ଷେପ ନେବାକୁ ବାଧ୍ୟ କରିଛି । ୨୫ ଜୁଲାଇ ୨୦୨୫, ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯୁବପିଢ଼ିଙ୍କ ଆତ୍ମହତ୍ୟାର କାରଣ ‘ବ୍ୟବସ୍ଥିତ ବିଫଳତା' ଏବଂ ଏହି ପ୍ରସଙ୍ଗକୁ ‘ଅଣଦେଖା କରାଯାଇପାରିବ ନାହିଁ' । ବିଶାଖାପାଟଣାରେ ଜଣେ ୧୭ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବିକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଖାରଜ ପରେ ସୁପ୍ରିମକୋର୍ଟରେ ଏହାକୁ ·ଚାଲେଞ୍ଜ କରାଯାଇଥିଲା । ଯାହାର ଶୁଣାଣିରେ ସର୍ବୋଚ୍ଚ ଅଦାଲତ ଆତ୍ମହତ୍ୟା ରୋକିବାକୁ ୧୫ଟି ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି ।
ମାର୍ଗଦର୍ଶିକାର ପ୍ରମୁଖ ବିନ୍ଦୁରେ ରହିଛି, ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା ପ୍ରତିରୋଧ ହେଲପ୍ଲାଇନ ସ୍ଥାପନ । ଏହି ହେଲପଲାଇନ ଶିକ୍ଷାନୁଷ୍ଠାନର ହଷ୍ଟେଲ, ଶ୍ରେଣୀ କୋଠରୀ, କମନ ରୁମ ଓ ୱେବସାଇଟରେ ପ୍ରଦର୍ଶନ କରିବା । ମାନସିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ପ୍ରତି ଦୁଇବର୍ଷରେ ଆତ୍ମହତ୍ୟା ପ୍ରତିରୋଧ ବାବଦରେ ମାନସିକ ରୋଗ ଚିକିତ୍ସକ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ । ଏହି ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନକୁ ରାଗିଂ ମୁକ୍ତ କରିବ ।
ସେହିଭଳି ପିଲାଙ୍କ ପାଠପଢା ବୋଝ କମ କରିବା ଲାଗି ପ୍ରତି ତ୍ରୟମାସରେ ପରୀକ୍ଷା ପାର୍ଟନର ସମୀକ୍ଷା କରିବା । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଅଭିଭାବକଙ୍କୁ ସମ୍ବେଦନଶୀଳ ପ୍ରସଙ୍ଗ ବାବଦରେ ବୁଝାଇବାର ବ୍ୟବସ୍ଥା କରିବା । ଯୌନ ଉତ୍ପୀଡନ, ରାଗିଂ ଓ ଅନ୍ୟ ମାନସିକ ନିର୍ଯାତନା ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ କରିବା । ଏଥିପାଇଁ ସ୍ୱତନ୍ତ୍ର ଆଭ୍ୟନ୍ତରୀଣ କମିଟି ଗଠନ ।
ସ୍ପର୍ଶକାତର ପ୍ରସଙ୍ଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ । ବିଦ୍ୟାର୍ଥୀ ଅନୁକୂଳ ସେବା ପ୍ରଦାନ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ପ୍ରଦାନ । ଏପରିକି ଜରୁରୀକାଳୀନ ପରସ୍ଥିତିର ମୁକାବିଲା ଲାଗି ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ରେକର୍ଡ଼ ରଖିବାକୁ ମାର୍ଗଦର୍ଶିକାରେ ସୁପ୍ରିମକୋର୍ଟ ଦର୍ଶାଇଛନ୍ତି । ତେବେ କଥା ହେଉଛି ପୂର୍ବରୁ ବାରମ୍ବାର ତାଗିତ୍ ସତ୍ୱେ ଏକରକମ ନିଦାବିଷ୍ଣୁ ପାଲଟିଯାଇଥିବା ଆମ ବ୍ୟବସ୍ଥା ଏହାକୁ କେତେ ଗୁରୁତ୍ୱ ଦେଉଛି ତାହା ଆଗକୁ ଦେଖାଯିବ ।
କହିବା ବାହୁଲ୍ୟ ଯେ, ପାଠ ପଢ଼ି ଜୀବନରେ ସଫଳ ମଣିଷଟିଏ ହେବାକୁ ଲକ୍ଷ୍ୟ ରଖିଥିବା, ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀ ଆଜି ବାଟବଣା ହୋଇଯାଉଛି । ପ୍ରେମ ପ୍ରତାରଣା, ଆର୍ଥିକ ସମସ୍ୟା, ପାଠପଢ଼ାରେ ବିଫଳତା ଓ ଚାପ, ପାଠ ପ୍ରତିଯୋଗିତାରେ ଅଭିଭାବମାନଙ୍କ ମାତ୍ରାଧିକ ଚାପ ପିଲାଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରୁଛି।
ଯଦିଓ ସର୍ବ ସମ୍ମୁଖରେ ଗଣତନ୍ତ୍ରର ବିଧି ବ୍ୟବସ୍ଥା ମଧ୍ୟରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ଘଟଣା ବୃଦ୍ଧି ସତ୍ୱେ, ଏଭଳି କି ନ୍ୟାୟପାଳିକାଙ୍କ କଡା ନିର୍ଦ୍ଦେଶ ପରେ ବି ମାମଲାରେ ସୁଧାର ଆସୁନାହିଁ । ଯେ କୌଣସି ଆତ୍ମହତ୍ୟା ଘଟଣାରେ ବ୍ୟବସ୍ଥାକୁ ଟାର୍ଗେଟ କରି ରାଜନୈତିକ ଆକ୍ଷେପ ପ୍ରତ୍ୟାକ୍ଷେପ ବ୍ୟତୀତ ଆତ୍ମହତ୍ୟା ପ୍ରତିରୋଧ ଦିଗରେ ନୀତି ର୍ନିଦ୍ଧାରଣ କରିବା ଭଳି ପରିସ୍ଥିତି ଦେଖାଯାଉ ନାହିଁ । ତେବେ କଥା ହେଉଛି ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ଅନେକ ଗୁରୁତ୍ବପୂର୍ଣ୍ଣି ପଦ, ପଦବୀ ଖାଲି ପଡ଼ିଥିବା ସତ୍ୱେ ସରକାର ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶନାମାର ସଫଳ ରୂପାୟନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753780647.jpg)