ଜୁବୈରଙ୍କୁ ସବୁ ମାମଲରେ ଜାମିନ ! ଅଲ୍ଟ ନ୍ୟୁଜର ସହ-ପ୍ରତିଷ୍ଠାତାଙ୍କୁ ସୁପ୍ରିମ୍‌କୋର୍ଟ ଦେଲେ ବଡ଼ ଆଶ୍ୱସ୍ତି

ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି ।

Mohammad Zubair

ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଶେଷରେ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ତାଙ୍କ ନାଁରେ ୟୁପିର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ୬ଟି ଯାକ ମାମଲାରେ ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଜି କୋର୍ଟ ତାଙ୍କୁ ୨୦,୦୦୦ ଟଙ୍କାର ସିକ୍ୟୁରିଟି ବଳରେ ସମସ୍ତ ୬ ମାମଲାରେ ଜାମିନ ଦେଇଛନ୍ତି । ଏଥିସହ ତାଙ୍କୁ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି ।

ସେହିପରି ଜୁବୈରଙ୍କ ବିରୋଧରେ ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍ଆଇଟିକୁ କୋର୍ଟ ଭାଙ୍ଗି ଦେଇଛନ୍ତି । ଯଦି ଆଗକୁ ଜୁବୈରଙ୍କ ନାଁରେ କୌଣସି ଏଫଆଇଆର ରୁଜୁ ହେବ, ତାହେଲେ ବି ତାଙ୍କର ଅନ୍ତରୀଣ ଜାମିନ କାଏମ ରହିବ । ସେ ଯଦି ଚାହିଁବେ, ତାହେଲେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରି ଏଫଆଇଆର ରଦ୍ଦ ପାଇଁ ନିବେଦନ କରିପାରିବେ । ଜୁବୈରଙ୍କୁ ଟ୍ୱିଟ୍ ନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଉତ୍ତର ପ୍ରଦେଶ ସରକାର । ହେଲେ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।

କୋର୍ଟ କହିଛନ୍ତି “ଜୁବୈରଙ୍କୁ ଟ୍ୱିଟ କରିବାକୁ ମନା କରିବା ଅର୍ଥ ଜଣେ ଆଇନଜୀବୀକୁ ଯୁକ୍ତି ନ କରିବାକୁ କହିବା ସହ ସମାନ । ଆପଣ କେମିତି ଜଣେ ସାମ୍ବାଦିକଙ୍କୁ ନ ଲେଖିବା ପାଇଁ କହିବେ ? ଯଦି ସେ କିଛି ଆଇନ ଉଲ୍ଲଙ୍ଘନ କରିବା ଭଳି କାମ କରନ୍ତି, ତା’ହେଲେ ସେ ଉତ୍ତରଦାୟୀ ରହିବେ । ଜଣେ ନାଗରିକ ନିଜର ସ୍ୱର ଉଠାଉଥିବା ବେଳେ ଆମେ କେମିତି ଆଗୁଆ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ? ପ୍ରତଟି ନାଗରିକ ସର୍ବସାଧାରଣ କିମ୍ବା ବ୍ୟକ୍ତିଗତ ସ୍ତରରେ ଯାହା ବି କରୁଛନ୍ତି, ସେଇଥିପାଇଁ ସେ ନିଜେ ଉତ୍ତରଦାୟୀ । ଆମେ କେବେ ହେଲେ ଆଗୁଆ କୌଣସି ନିର୍ଦ୍ଦେଶ ଦେଇ ପାରିବୁ ନାହିଁ ।”

ମହମ୍ମଦ ଜୁବୈରଙ୍କୁ ଗତମାସ ୨୭ ତାରିଖରେ ଦିଲ୍ଲୀ ପୋଲିସ୍‌ ଗିରଫ କରିଥିଲା । ୨୦୧୮ର ଗୋଟିଏ ଟ୍ୱିଟ ପାଇଁ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କ ନାଁରେ ଆଉ ୭ଟି ଏଫଆଇଆର ଉତ୍ତର ପ୍ରଦେଶରେ ରୁଜୁ ହୋଇଥିଲା । କିଛି ଦିନ ତଳେ ସୁପ୍ରିମକୋର୍ଟ ଜୁବୈରଙ୍କୁ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ଗୋଟିଏ ଏଫଆଇଆର ମାମଲାରେ ଜାମିନ ଦେଇଥିଲେ । ଆଜି ବାକି ସମସ୍ତ ମାମଲାରେ ତାଙ୍କୁ ଜାମିନ ମିଳିଛି ।