ବିମାନରେ ଚାଲିଲାନି ଏସି, ଝାଳରେ ଭିଜିଲେ ଲୋକେ; କାଗଜ-ମାଗାଜିନ୍ ପାଲଟିଲା ବିଞ୍ଛଣା

ବିମାନରେ ଚାଲିଲାନି AC, ଝାଳରେ ଭିଜିଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍ ବିମାନରେ ।

Flight

ବିମାନରେ ଚାଲିଲାନି AC, ଝାଳରେ ଭିଜିଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍‌ଜେଟ୍ ବିମାନରେ । ଆଜି ସ୍ପାଇସ୍‌ଜେଟ୍‌ର SG-୪୮୬ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅପେକ୍ଷା କରିଥିଲା । ପ୍ରାୟ ଦେଢ଼ ଘଣ୍ଟା ହେବ ଯାତ୍ରୀ ଟେକ୍ ଅଫ୍ ପାଇଁ ବିମାନ ଭିତରେ ଅପେକ୍ଷା କରିଥିଲେ ।

ହେଲେ ଏହି ସମୟରେ AC ଚାଲିନଥିବା ଯାତ୍ରୀ ଅଭିଯୋଗ କରିଛନ୍ତି । ବିମାନରେ ଥିବା ଯାତ୍ରୀ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ । ତଥାପି ଚାଲିନଥିଲା AC । ପରିସ୍ଥିତି ଏମିତି ହୋଇଥିଲା କି ଶେଷରେ ବାଧ୍ୟ ହୋଇ ଲୋକେ ପାଖରେ ଥିବା କାଗଜ, ମେଗାଜିନ୍, ପାମ୍ପଲେଟ୍‌କୁ ବିଞ୍ଛଣା ଭଳି ବ୍ୟବହାର କରିଥିଲେ ।

ପ୍ରବଳ ଗରମ ହେତୁ କିଛି ଯାତ୍ରୀ ଅଣନିଶ୍ୱାସୀ ହୋଇଯାଇଥିବା ଖବର ମିଳିଛି । ଅତ୍ୟଧିକ ଉତ୍ତାପ ଏବଂ ଭେଣ୍ଟିଲେସନ୍ ଅଭାବ ହେତୁ ଯାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ । ବୃଦ୍ଧ ଓ ଛୋଟ ପିଲାମାନଙ୍କ ସମେତ ଅନେକ ଯାତ୍ରୀଙ୍କଠାରେ ଗରମ ଥକାପଣର ଲକ୍ଷଣ ଦେଖିବାକୁ ମିଳିଥିଲା ।

ଚେକ୍ ଇନ୍ ପରେ ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଏୟାର କଣ୍ଡିସିନର ସୁଇଚ୍ ଅନ୍ କରିନଥିବା ଅଭିଯୋଗ ହୋଇଛି । ଭିତରର ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ଛୁଇଁଥିଲା । ଯାତ୍ରୀମାନେ ଯନ୍ତ୍ରଣା ଭୋଗୁଥିଲେ । ବିମାନଟି ଉଡ଼ାଣ ଭରିବା ପରେ ଏସି ସୁଇଚ୍ ଅନ୍ କରାଯାଇଥିଲା ବୋଲି ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି । ସେପଟେ ଘଟଣାକୁ ନେଇ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।