• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅସୀମ ପ୍ରେରଣା ଓ ଦୃଢ଼ ମନୋବଳର ପ୍ରତୀକ ଦିବ୍ୟାଙ୍ଗ ଫୁଡ୍‌ ଡେଲିଭରୀ ବୟ । ଜୀବନର ବାଜି ଜିତିବାକୁ କଠିନ ପରିଶ୍ରମ କରୁଛନ୍ତି । ସେ ଭିନ୍ନକ୍ଷମ କିନ୍ତୁ ସକ୍ଷମ । ନିଜ ଗୋଡ଼ରେ ଚାଲି ପାରନ୍ତିନି, କିନ୍ତୁ କାହା ଉପରେ ବୋଝ ବି ନୁହଁନ୍ତି । ଘରେ ବସି ନରହି ସେ ନିଜର ଓ ନିଜ ପରିବାର ପାଇଁ ଆଜି ସାହାରା ପାଲଟିଛନ୍ତି । ତାଙ୍କ ପାଖରେ ହୁଏତ କାମ ନକରିବାର ଅନେକ ବାହାନା ଅଛି, ହେଲେ ସେ ଦୁନିଆ ପାଇଁ ନୂଆ ବାର୍ତ୍ତା ଦେଇଛନ୍ତି ।

ହାତ ଗୋଡ଼ ଠିକ୍‌ ଥାଇ ଅନେକ ଏପରି ଲୋକ ଅଛନ୍ତି, ଯେଉଁମାନେ କାମ କରିବା ପାଇଁ ମନ କରନ୍ତିନି । ଆଉ ସେ ହ୍ୱିଲ୍ ଚେୟାରରେ ବସି ଘର ଘର ଖାଦ୍ୟ ବିତରଣ କରିବା ସହ ସମସ୍ତଙ୍କ ପେଟ ଭରୁଛନ୍ତି । ଜୋମାଟୋ ଡେଲିଭରି ବୟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ।

ସୋସିଆଲ ମିଡଆରେ ଏପରି ଭିଡିଓ ପ୍ରାୟତଃ ଦେଖିବାକୁ ମିଳେ, ଯାହା ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ଏହି ଭିଡିଓରେ ଯୁବକ ଜଣକ ନିଜର ଦୁର୍ବଳତାକୁ ଆଡ଼େଇ ଜୀବନର ଏକ ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି । ଭିଡିଓ ଆରମ୍ଭରେ ଦେଖିବାକୁ ମିଳୁଛି, ସେ କିପରି ହ୍ୱିଲ୍ ଚେୟାରରେ ବସି ଫୁଡ୍‌ ଡେଲିଭରୀ କରୁଛନ୍ତି । ସେ ହ୍ୱିଲ ଚେୟାର ପଛରେ ଖାଦ୍ୟ ପ୍ୟାକେଟ୍ ରଖିଥିବା ବେଳେ ପିନ୍ଧିଛନ୍ତି ଜୋମାଟୋ ଲେଖାଥିବା ଟି ସାର୍ଟ ।

ତେବେ ଏହି ଭିଡିଓ ଦେଖିବା ପରେ ଲୋକେ ସଂପୃକ୍ତ ଯୁବକ ଓ ଜୋମାଟୋ କମ୍ପାନୀକୁ ପ୍ରଶଂସାରେ ପୋତି ପକାଇଛନ୍ତି । ଦିବ୍ୟାଙ୍ଗ ଯୁବକଙ୍କ ମନୋବଳକୁ ସଲାମ୍‌ କରୁଥିବା ବେଳେ ଜୋମାଟୋ କମ୍ପାନୀ ତାଙ୍କୁ ନିଯୁକ୍ତି ପ୍ରଦାନ କରିଥିବାରୁ ତାକୁ ବି ଧନ୍ୟବାଦ ଜଣାଇଛନ୍ତି ।