• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରକାରୀ ସ୍କୁଲର ପୋଲ୍‌ ଖୋଲିଦେଲା କୁନି ରିପୋର୍ଟର । ନିଜ ସ୍କୁଲର ଦୁର୍ଦ୍ଦଶା ସମ୍ପର୍କରେ ଅନର୍ଗଳ କହିଯାଉଛି । ଅଭିଜ୍ଞ ଟିଭି ରିପୋର୍ଟରଙ୍କ ପରି ନିଜେ ବୁଲି ବୁଲି ଦେଖାଉଛି ସରକାରୀ ସ୍କୁଲର ଅବ୍ୟବସ୍ଥା । ସାମ୍ନାରେ ଥିବା କୁନି ପିଲାଟିର ସାଙ୍ଗ ଭିଡିଓ ତିଆରି କରୁଛି । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହାସହ କୁନି ପିଲାର ରିପୋର୍ଟିଂ କୌଶଳକୁ ମଧ୍ୟ ଲୋକେ ବେଶ୍‌ ପ୍ରଶଂସା କରୁଛନ୍ତି ।

ଟିଭି ରିପୋର୍ଟରଙ୍କ ପରି ଗପୁଥିବା ପିଲାଟି ଝାଡ଼ଖଣ୍ଡର ଗୋଡା ଜିଲ୍ଲାର । ମହାଗମ ବ୍ଲକ୍ ଅନ୍ତର୍ଗତ ଏକ ସରକାରୀ ସ୍କୁଲରେ ସେ ପାଠ ପଢ଼େ । କରୋନା ମହାମାରୀ ପରଠାରୁ ସ୍କୁଲ୍‌ ଖୋଲିଛି ସତ ପାଠପଢ଼ା ହେଉନି । ଶୌଚାଳୟ କଥା କହିଲେ ନସରେ । ଭିତରକୁ ଯାଇ ହେଉନି । ସ୍କୁଲର ଅବ୍ୟବସ୍ଥା ସଂପର୍କରେ ଜଣାଇବାକୁ ପିଲାଟି ଅଭିନବ ଉପାୟ ଅବଲମ୍ବନ କରିଛି । ତେବେ ପିଲାଟି ହାତରେ ବୁମ୍ ଭାବରେ ଏକ ପ୍ଲାଷ୍ଟିକ୍ ବୋତଲ ଧରି ସାରା ସ୍କୁଲ ବୁଲି ବୁଲି ଅତି ସୁନ୍ଦର ଭାବରେ ନିଜ କଥାକୁ ଉପସ୍ଥାପନ କରିଛି।

ଏହି ଭାଇରାଲ ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ଘୁରୁ ବୁଲୁଛି । ସ୍କୁଲର ଅବ୍ୟବସ୍ଥା, ଟଏଲେଟ୍, ଶିକ୍ଷକ ଡେରିରେ ଆସିବା, ଛାତରୁ ପାଣି ଗଳିବା, ଏମିତି ଅନେକ ଗୁମର ଖୋଲି ଦେଇଥିବା ଏହି ପିଲାଟିର କାମକୁ ପ୍ରଶଂସା କରିଛନ୍ତି ଲୋକେ । ଆଉ ଏହି ଭିଡିଓର ପ୍ରଭାବ ମଧ୍ୟ ଝାଡ଼ଖଣ୍ଡ ସରକାର ଉପରେ ଜୋରଦାର୍ ପଡ଼ିଛି ବୋଲି କୁହାଯାଉଛି ।

ତେବେ କେବଳ ଝାଡ଼ଖଣ୍ଡରେ ନୁହେଁ, ଦେଶରେ ଏପରି ଅନେକ ସରକାରୀ ସ୍କୁଲ ଅଛି । ଅବ୍ୟବସ୍ଥା ଭିତରେ ଗଢ଼ାହେଉଛି ପିଲାଙ୍କ ଭବିଷ୍ୟତ । ତେବେ ଏଇଠି ପ୍ରଶ୍ନ ଉଠୁଛି, ସରକାର ଏତେ ଯୋଜନା କରିବା ପରେ ମଧ୍ୟ କାହିଁକି ସୁଧୁରୁନି ସ୍କୁଲର ଅବସ୍ଥା । କେଉଁଠି ଅସୁବିଧା ରହିଯାଉଛି ? ଏପରି ମାହୋଲରେ ପାଠପଢ଼ା ହେଲେ ପିଲାଙ୍କ ଭବିଷ୍ୟତ କ’ଣ ହେବ ?