• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡ଼ିଆ ଝିଅ କଳ୍ପନାଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା । ମୟୂରଭଞ୍ଜ ଝିଅ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ! ସବୁଠୁ ଆଗରେ ରହିଛି କଳ୍ପନାଙ୍କ ନାଁ । କିଏ ହେବ ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବା ପରେ ଏବେ ସୋରେନଙ୍କ ସ୍ତ୍ରୀ ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ବଢିଛି ।

ଖାଲି କଳ୍ପନା ନୁହନ୍ତି ବରଂ ବାପା ଶିବୁ ସୋରେନ୍, ମାଆ ରୁପି ସୋରେନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ହେଲେ କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ବହୁ ଅଧିକ ରହିଥିବା କୁହାଯାଉଛି । ତେବେ ଏଭଳି ପରିସ୍ଥିତିରେ ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ଝାଡଖଣ୍ଡରେ ଲାଗିରହିଥିବା ରାଜନୈତିକ ଅସ୍ଥିରତାରେ କେତେ ଦୂର ସୁଧାର ଆସିପାରିବ ତାହାକୁ ନେଇ ଚର୍ଚ୍ଚା ବି ବଢିଛି ।

କୁହାଯାଉଛି ୨୦୦୬ ମସିହାରେ ହେମନ୍ତଙ୍କୁ ବିବାହ କରିବା ପରେ କଳ୍ପନା ରାଜନୀତିକୁ ବେଶ୍‌ ପାଖରୁ ଦେଖିଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ସ୍ୱାମୀଙ୍କ ଆସନରେ ସେ ବସିଲେ ସବୁ ପରିସ୍ଥିତିର ମୁକାବିଲା କରିପାରିବେ । ଏହାସହ ହେମନ୍ତଙ୍କ ପାଇଁ ବି ରାଜନୈତିକ ଫାଇଦା ଅଧିକ ରହିବ । ତେବେ ଶ୍ୱଶୁର ଶିବୁ ବି ରାଜନୀତିରେ ବେଶ୍‌ ଅଭିଜ୍ଞ । ତେଣୁ ତାଙ୍କୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ କଥା ।

ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ତେବେ ସବୁଠୁ ଅଧିକ ଫାଇଦା ପାଇବେ ସ୍ୱାମୀ ହେମନ୍ତ ସୋରେନ । କାରଣ ମୁଖ୍ୟମନ୍ତ୍ରୀ ନହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ପରି କାମ କରିବେ ହେମନ୍ତ । ପଡ଼ୋଶୀ ବିହାରରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଲାଲୁ ପ୍ରସାଦ ଯାଦବ ବିବାଦୀୟ ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ପତ୍ନୀ ରାବଡି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପ୍ରକୃତ କ୍ଷମତା ଉପଭୋଗ କରୁଥିଲେ ଲାଲୁ ପ୍ରସାଦ ଯାଦବ ।

ତେବେ ବର୍ତ୍ତମାନ ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦକୁ ଅନ୍ୟ କାହା ହାତରେ ହେମନ୍ତ ଟେକିଦେବାକୁ ଚାହୁଁନଥିବା କୁହାଯାଉଛି । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ହେମନ୍ତ ଉଦ୍ୟମ କରୁଥିବା କୁହାଯାଉଛି । ରାଇରଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ ଏବେ ରାଷ୍ଟ୍ରପତି ହୋଇଛନ୍ତି। ଆଉ ଏପରି ସ୍ଥିତିରେ କଳ୍ପନା ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ପୁଣି ଥରେ ରାଇରଙ୍ଗପୁରକୁ ନେଇ ବଢିବ ଚର୍ଚ୍ଚା ।

ରିପୋର୍ଟର- ରାଜେଶ ଶର୍ମା