ଟଳମଳର ସଙ୍କେତ!! ଦେଶବ୍ୟାପୀ ତେଜୁଛି ଅନ୍ଦୋଳନ, ଅଡୁଆରେ ମମତାଙ୍କ ଚଉକି

ସାରା ଦେଶର ଆଖି ଦିଦିଙ୍କ ଉପରେ । ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ । ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ ।

Mamata Banerjee

ସାରା ଦେଶର ଆଖି ଦିଦିଙ୍କ ଉପରେ । ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ । ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ । ପ୍ରତିବାଦର ନିଆଁରେ ଜଳୁଛି ପଶ୍ଚିମବଙ୍ଗ । ଧୀରେ ଧୀରେ ବ୍ୟାପୁଛି ଅରାଜକତା, ହିଂସା ଓ ପ୍ରତିହିଂସା । ହେଲେ ସମସ୍ୟାର ସମାଧାନ କରିବା ଛାଡ଼ି ନିଜ ସୁରକ୍ଷା ଚିନ୍ତାରେ ଡିଫେନ୍ସିଭ୍ ଖେଳୁଛନ୍ତି ମମତା ବାନାର୍ଜୀ ।

ଦେଶବ୍ୟାପୀ ଆନ୍ଦୋଳନର ନିଆଁ । ରୋଗୀସେବା ଏକରକମ ଠପ୍ । ଏମ୍ସ ହେଉ କି ସାଧାରଣ ଡାକ୍ତରଖାନା, ସବୁଠି ସବୁ ଡାକ୍ତରଙ୍କ ହାତରେ କଳା ପଟି । ଦାବି ଗୋଟିଏ ଆମକୁ ନ୍ୟାୟ ଦିଅ । କଲିକତାର ଆର.ଜି କଲେଜରେ ଯେଉଁ ଘଟଣା ଘଟିଲା ତାହା ଗ୍ରହୀତ ଅପରାଧ । ଏଣୁ ଦୋଷୀକୁ କଠୋରରୁ କଠୋର କାର୍ଯ୍ୟାନଷ୍ଠାନ ପାଇଁ ଦାବି ହେଉଛି । ଆଉ ଏହି ଆନ୍ଦୋଳନ ସକାଶେ ଫସି ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଅନ୍ୟପଟେ ବିଜେପି ଏହାକୁ ବଡ ଇସ୍ୟୁ କରିବାକୁ ଯାଉଛି । ଖବରଦାତା ସମ୍ମିଳନୀ କରି ଦଳର ଛାମୁଆ ନେତା ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ଚାରିଆଡୁ ଶଣ୍ଢୁଆସି ଆକ୍ରମଣର ଶିକାର ହେବାପରେ ଦିଦିଙ୍କ ସ୍ଥିତି ଏବେ ଦୋଦୂଲ୍ୟମାନ୍ । ବିଜେପି ପକ୍ଷରୁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦିଦିଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ସ୍ଥିତି ଅଣାୟତ୍ତ ହେବାପରେ ନିଜ ଭାବମୂର୍ତ୍ତି ସୁରକ୍ଷିତ ରଖିବାକୁ ରାଲିରେ ସାମିଲ ହୋଇ ଦିଦି ନାଟକବାଜି କରିଛନ୍ତି ବୋଲି ସମ୍ବିତ ଖୋଲାଖୋଲି କହିଛନ୍ତି । ଗତକାଲିର ଭିଡିଓରେ ଆନ୍ଦୋଳନକାରି ଡାକ୍ତରଙ୍କ ସହ ସାମିଲ ହୋଇଥିଲେ ମମତା । ନିଜେ ମୁଖ୍ୟମନ୍ତ୍ରୀ ଥାଇ ସ୍ୱାସ୍ଥ୍ୟବିଭାଗ ଦାୟିତ୍ୱରେ ରହିଛନ୍ତି ମମତା । ଏଭଳି ସ୍ଥିତିରେ ଜଣେ ମହିଳା ଡାକ୍ତର ଡାକ୍ତରଖାନାରେ ପରିସରରେ ଦୁଷ୍କର୍ମର ଶିକାର ହୋଇ ପ୍ରାଣ ହାରିଛନ୍ତି ।

ଦୋଷୀକୁ କଠୋର କାର୍ଯ୍ୟାନୁଷ୍ଠାନ ଦେବା ବଦଳରେ ଦିଦି ଆନ୍ଦୋଳନ କରିବା ଧର୍ମକୁ ଆଖିଠାର ବୋଲି ବିଜେପି କହିଛି । ଆଉ ଏପଟେ ନିଆଁରେ ଘିଅ ଢାଲିଲା ଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ସିବିଆଇ । ମିଳିଥିବା ସିସିଟିଭି ଫୁଟେଜରେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଠାବ କରିଛି ସିବିଆଇ । କେବଳ ଆର ଜି କଲେଜ ଘଟଣା ନୁହେଁ ।

ଦିଦି ଏବେ ବିଭିନ୍ନ ପ୍ରସଙ୍ଗରେ ଅଡୁଆରେ ଫସିବାକୁ ଯାଉଛନ୍ତି । ବାଂଲାଦେଶ ଅଶାନ୍ତି ପରେ ପଶ୍ଚିମବଙ୍ଗ ବାଟ ଦେଇ ନିକଟରେ କିଛି ଅନୁପ୍ରବେଶକାରୀ ଦେଶ ଭିତରକୁ ଚାଲିଆସିଥିବା ଅଭିଯୋଗ ହୋଇଥିଲା । ଏମିତିକି ବିଏସଏଫ ଯବାନ ଜଣେ ଦଲାଲ ଓ ଜଣେ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ ମଧ୍ୟ କରିଥିଲା ।

ଏହି ଘଟଣାରେ ମଧ୍ୟ ବିଜେପି ମମତାଙ୍କୁ ଟାର୍ଗେଟ କରୁଛି । ଆଉ ଏପଟେ ଓଡିଶା ଆଳୁ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି । ଆଳୁ ଟ୍ରକ ଓଡ଼ିଶା ସୀମାରେ ପ୍ରବେଶ ଅନୁମତି ମିଳୁ ନ ଥିବା ବେଳେ ଚାଷୀଙ୍କ ପାଖରେ ଆଳୁ ପଡି ପଡି ନଷ୍ଟ ହେଉଛି । ଫଳରେ ନିଜ ରାଜ୍ୟରେ ରୋଷର ଶିକାର ହେଉଛନ୍ତି ମମତା । ଏ ସମସ୍ତ ଘଟଣା ପରେ ଦିଦିଙ୍କ ଚଉକି ଏବେ ବିପଦରେ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି ।