୭ ରାଜ୍ୟରେ ଲାଗିଲାଣି ଅଗ୍ନିପଥ ନିଆଁ ! ବିହାରରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ଓଡ଼ିଶାରେ ବି ଆନ୍ଦୋଳନକାରୀଙ୍କ ଉଗ୍ର ପ୍ରଦର୍ଶନ । ଏବର୍ଷ ଅଗ୍ନିବୀର ନିଯୁକ୍ତିର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି ।

Agnipath

ଉଗ୍ର ହେଉଛି ଅଗ୍ନିବୀର ହିଂସା । ବିହାରରେ ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କଲେ ସରକାର । କାଇମେର, ଭୋଜପୁର, ଔରଙ୍ଗାବାଦ, ରୋହତାସ, ବକ୍ସର, ନାୱଡ଼ା, ପଶ୍ଚିମ ଚମ୍ପାରଣ, ସମସ୍ତିପୁର, ଲାଖତ୍ସରାଇ, ବେଗୁସରାଇ, ବୈଶାଳୀ ଓ ସରନ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ୧୯ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ନେଇ ଘୋଷଣା କରାଯାଇଛି ।

ବିହାର-ଉତ୍ତରପ୍ରଦେଶ-ରାଜସ୍ଥାନ-ହରିୟାଣା-ତେଲେଙ୍ଗାନା-ଓଡ଼ିଶା । ଅଧିକାଂଶ ସ୍ଥାନରେ ଦାଉ ଦାଉ ଅଗ୍ନିପଥ ନିଆଁ । ଦିନକୁ ଦିନ ଅଧିକରୁ ଅଧିକ ହିଂସାତ୍ମକ ହେଉଛି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ । କେଉଁଠି ଟ୍ରେନ୍ ଜଳୁଛି, ତ କେଉଁଠି ଥାନା ତ ଆଉ କେଉଁଠି ରାସ୍ତାଘାଟ । ବିଶେଷ କରି ରେଳ ଭିତ୍ତିଭୂମି ଉପରେ ଅଧିକ ଦାଉ ସାଧୁଛନ୍ତି ଆନ୍ଦୋଳନକାରୀ ।

ବିହାର, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ହୁତୁହୁତୁ ହୋଇ ଜଳୁଛି ଟ୍ରେନ୍ । ଏମିତିକି ଉତ୍ତରପ୍ରଦେଶ ଆଲିଗଡ଼ ଜଟାରି ଥାନାକୁ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ଏଥିସହ ବିଭିନ୍ନ ସ୍ଥାନରେ ପୋଲିସ ଉପରକୁ ପଥରମାଡ଼ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ବି ଲାଠିଚାର୍ଜ, ଲୁହବୁହା ଗ୍ୟାସ୍ ଓ ଫାଙ୍କା ଗୁଳିଚାଳନାରେ ଜବାବ ଦେବାକୁ ପଡ଼ିଛି । ତେଲେଙ୍ଗାନାରେ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।

ବିହାରରେ ବି ଭୟଙ୍କର ହେବାରେ ଲାଗିଛି ଅଗ୍ନିପଥ ସ୍କିମ୍ ବିରୋଧୀ ଆନ୍ଦୋଳନର ନିଆଁ । ବେତିହାରେ ରାଜ୍ୟ ବିଜେପି ମୁଖ୍ୟ ତଥା ସାଂସଦ ସଞ୍ଜୟ ଜୟସ୍ୱାଲ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘର ଉପରକୁ ଆକ୍ରମଣ ହୋଇଛି । ସେହିପରି ହରିଆଣା ଫରିଦାବାଦ ଜିଲ୍ଲାର ବଲଭଗଡ଼ରେ ସ୍ଥିତି ଅଣାୟତ୍ତ ହେବାରୁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି ।

ଏଣେ ଓଡ଼ିଶାକୁ ବି ଡେଇଁଛି ଅଗ୍ନିପଥ ଅସନ୍ତୋଷ । କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସେନାରେ ନିଯୁକ୍ତି ପାଇଁ ବହୁ ଆଶାୟୀ । ଆର୍ମି ଅଫିସ୍, ରିଙ୍ଗ୍‌ରୋଡ୍, କନିକାଛକ ଓ ଡିସିପି ଅଫିସ୍ ନିକଟରେ ବିରୋଧ ପ୍ରଦର୍ଶନ ବେଳେ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି ।

ଏପଟେ ଦେଶବ୍ୟାପୀ ତେଜି ଚାଲିଥିବା ଅସନ୍ତୋଷର ନିଆଁକୁ ଦେଖି ଅଗ୍ନିପଥ ଯୋଜନାରେ ନିଯୁକ୍ତିର ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ନିୟମ କେବଳ ୨୦୨୨ ନିଯୁକ୍ତି ପ୍ରକ୍ରିୟାରେ ଲାଗୁ ହେବ । ଗତ ଦୁଇ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିବାରୁ ୨୦୨୨ରେ ହେବାକୁ ଥିବା ନିଯୁକ୍ତିରେ ନିୟମ କୋହଳ କରାଯାଇଛି ।

ଅଗ୍ନିପଥ ଯୋଜନାରେ ଆର୍ମିରେ ଭର୍ତ୍ତି ହେବାକୁ ଥିବା ନୂତନ ଆଶାୟୀଙ୍କ ବୟସ ସୀମା ପୂର୍ବରୁ ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ରହିଥିଲା । ସର୍ବାଧିକ ବୟସ ସୀମା ବୃଦ୍ଧି ହେବା ପରେ ଏବେ ଏହା ସାଢ଼େ ୧୭ରୁ ୨୩ ବର୍ଷ ହୋଇଛି । ବୟସ ସୀମା ବୃଦ୍ଧି ଦ୍ୱାରା ବହୁ ଯୁବକଙ୍କୁ ଏହାର ଫାଇଦା ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରିଛନ୍ତି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଖୁବ୍‌ଶୀଘ୍ର ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେହିପରି ସ୍ଥଳ, ବାୟୁ ଓ ନୌସେନା ମୁଖ୍ୟ ମଧ୍ୟ ତିନି ବାହିନୀରେ ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ।

ଅଗ୍ନିବୀର ହିଂସା ଯୋଗୁଁ ସାରା ଦେଶରେ ୩୪୦ଟି ଟ୍ରେନ୍‌ର ଚଳାଚଳ ପ୍ରଭାବିତ । ୯୪ଟି ମେଲ ଏକ୍ସପ୍ରେସ, ୧୪୦ ଏକ୍ସପ୍ରେସ ଟ୍ରେନ ବାତିଲ ହୋଇଥିବା ବେଳେ ୬୫ଟି ମେଲ୍ ଏକ୍ସପ୍ରେସ ଓ ୩୦ ପାସେଞ୍ଜର ଟ୍ରେନ ମଧ୍ୟ ସାମୟିକ ବାତିଲ । ସେହିଭଳି ୧୧ଟି ମେଲ ଏକ୍ସପ୍ରେସର ଗତିପଥରେ ପରିବର୍ତ୍ତନ କରାଯାଇଛି । ବ୍ୟାପକ ହିଂସାକାଣ୍ଡ କାରଣରୁ ରେଳ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ଓଡ଼ିଶା ଦେଇ ଯାଉଥିବା ୬ଟି ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟ ବାତିଲ ।