୧୨୫ ବର୍ଷରେ ପୁରା ଫିଟ୍ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ ! କ’ଣ ରହିଛି ରହସ୍ୟ ? କେମିତି ତାଙ୍କର ଜୀବନଶୈଳି?

ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ପଦ୍ମଶ୍ରୀ ସମ୍ମାନ ପାଇଁ ଡକାଗଲା ସ୍ୱାମୀ ଶିବାନନ୍ଦଙ୍କ ନାଁ । ଖାଲି ପାଦରେ ଧଳା କୁର୍ତ୍ତା-ଧୋତି ପରିହିତ ଏହି ଯୋଗ କିମ୍ବଦନ୍ତୀ ଆଗେଇ ଆସିଲେ ସର୍ବସମ୍ମୁଖକୁ ।

Swami Sibanand

ଏ ବିଶ୍ୱ ମୋ ଘର, ଏହାର ଲୋକମାନେ ମୋ ବାପା-ମାଆ, ପ୍ରେମ ଓ ସେବା ମୋ ଧର୍ମ । ଏଭଳି ଉକ୍ତି ବାରାଣସୀର ୧୨୫ ବର୍ଷୀୟ ଯୋଗଗୁରୁ ସ୍ୱାମୀ ଶିବାନନ୍ଦଙ୍କର । ଯାହାଙ୍କ ଚିନ୍ତାଧାରା ଏତେ ଉଚ୍ଚକୋଟିର, ତାଙ୍କ ଆଚରଣ ଯେ କେମିତି ହୋଇଥିବ, ତାହା ଦେଖି ଅଭିଭୂତ ହୋଇଛି ସାରା ବିଶ୍ୱ । ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ପଦ୍ମଶ୍ରୀ ସମ୍ମାନ ପାଇଁ ଡକାଗଲା ସ୍ୱାମୀ ଶିବାନନ୍ଦଙ୍କ ନାଁ । ଖାଲି ପାଦରେ ଧଳା କୁର୍ତ୍ତା-ଧୋତି ପରିହିତ ଏହି ଯୋଗ କିମ୍ବଦନ୍ତୀ ଆଗେଇ ଆସିଲେ ସର୍ବସମ୍ମୁଖକୁ ।

ଆଉ ସମସ୍ତଙ୍କୁ ଆଚମ୍ବିତ, ବିମୋହିତ କରି ଏହି ଶତାୟୁ ବୟୋବୃଦ୍ଧ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ, ପରେ ସଭାକୁ ଓ ଶେଷରେ ରାଷ୍ଟ୍ରପତିଙ୍କୁ ମାଟିରେ ମୁଣ୍ଡ ଲଗାଇ ମୁଣ୍ଡିଆ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମାଟିକୁ ଛୁଇଁ ପ୍ରତି ନମସ୍କାର ଜଣାଇଥିବା ବେଳେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଆସନରୁ ଓହ୍ଲାଇ ଆସି ତାଙ୍କୁ ଉଠାଇଥିଲେ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ପଦ୍ମଶ୍ରୀ ପାଇବାରେ ୧୨୫ ବର୍ଷୀୟ ସ୍ୱାମୀ ଶିବାନନ୍ଦ ସର୍ବାଧିକ ବୟସ୍କ । ଭାରତୀୟ ସଂସ୍କୃତିକୁ ଦର୍ଶାଉଥିବା ତାଙ୍କର ଏହି ଆଚରଣ, ସରଳପଣ ଓ ବିନମ୍ରତା ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବିମୁଗ୍ଧ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ଓ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ପ୍ରମୁଖ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି ।

୧୮୯୬ ମସିହାରେ ବର୍ତ୍ତମାନର ବାଂଲାଦେଶ ଅନ୍ତର୍ଗତ ସିଲହଟ୍‌ରେ ଅତି ଗରିବ ପରିବାରରେ ଜନ୍ମ ନେଇଥିଲେ ସ୍ୱାମୀ ଶିବାନନ୍ଦ । ମାତ୍ର ୬ ବର୍ଷ ବୟସରେ ବାପା-ମାଆଙ୍କ ଦେହାନ୍ତ ପରେ ସେ ପହଞ୍ଚିଥିଲେ ପଶ୍ଚିମବଙ୍ଗ ନବଦ୍ୱୀପର ଏକ ଆଶ୍ରମରେ, ଆଉ ସେବେଠୁ ଯୋଗ ଓ ଅନୁଶାସନ ପାଲଟିଥିଲା ତାଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ଯୋଗ, ବ୍ରହ୍ମଚର୍ଯ୍ୟ ଓ ବିନା ତେଲ ମସଲା ଯୁକ୍ତ ଖାଦ୍ୟ । ଏହାହିଁ ୧୨୫ ବର୍ଷ ବୟସରେ ବି ରୋଗମୁକ୍ତ ଓ ଚଳଚଞ୍ଚଳ ରହିବା ପଛର ରହସ୍ୟ ବୋଲି କୁହନ୍ତି ଶିବାନନ୍ଦ । ସେ ଏବେବି ପ୍ରତିଦିନ ଭୋର୍ ୩ଟାରୁ ଉଠନ୍ତି, ଘଣ୍ଟା ଘଣ୍ଟା ଯୋଗାଭ୍ୟାସ କରନ୍ତି, କାଠ ତକିଆରେ ମୁଣ୍ଡ ରଖି ଚଟାଣରେ ସପ ପାରି ଶୁଅନ୍ତି ।

ବିନା ତେଲ ଓ ମସଲାରେ କେବଳ ସିଝା ଖାଦ୍ୟ ଖାଆନ୍ତି । ପ୍ରତିଦିନ ଭାତ, ସିଝା ଡାଲି ଓ କଞ୍ଚାଲଙ୍କା ଖାଆନ୍ତି ଶିବାନନ୍ଦ । ଫଳ ଓ କ୍ଷୀରକୁ ଧନୀଙ୍କ ଖାଦ୍ୟ ଭାବୁଥିବାରୁ ତାକୁ ଛୁଅଁନ୍ତି ନାହିଁ । ଆଜୀବନ ଗରିବ ଓ ଅବହେଳିତଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ସ୍ୱାମୀ ଶିବାନନ୍ଦ ଓଡ଼ିଶାରେ ମଧ୍ୟ କାର୍ଯ୍ୟ କରିଛନ୍ତି । ପ୍ରାୟ ୫୦ ବର୍ଷ ଧରି ସେ ପୁରୀର ୫ ଶହରୁ ଅଧିକ କୁଷ୍ଠ ଆକ୍ରାନ୍ତ ଭିକ୍ଷୁକଙ୍କୁ ଖାଦ୍ୟ ଓ ବସ୍ତ୍ର ଆଦି ଦାନ କରିଛନ୍ତି । ଯୋଗ ଓ ସମାଜସେବା ପାଇଁ ୨୦୧୯ରେ ଯୋଗ ରତ୍ନ ଓ ବସୁନ୍ଧରା ରତ୍ନ ଆଦି ପୁରସ୍କାର ପାଇଛନ୍ତି ଏହି ଶତାୟୁ ଯୋଗଗୁରୁ ।