ପଞ୍ଜୀକୃତ ଭେଣ୍ଡର ହିଁ ବିକିବେ ସିମ୍ କାର୍ଡ; ନଚେତ୍‌ ଗଣିବେ ୧୦ ଲକ୍ଷ ଟଙ୍କା ଜରିମାନା

ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ । ଯେ କେହି ଚାହିଁଲେ ବିକି ପାରିବେନି । କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି ।

News SIM Card

ଜାଲ ସିମ୍ କାର୍ଡ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନୂଆ ରଣନୀତି । ଏଣିକି କେବଳ ପଞ୍ଜୀକୃତ ଭେଣ୍ଡର ହିଁ ବିକି ପାରିବେ ସିମ୍ କାର୍ଡ । ଅଣ-ପଞ୍ଜୀକୃତ ବିକ୍ରେତା ସିମ୍ କାର୍ଡ ବିକିଲେ ମୋଟା ଅଙ୍କ ଏପରିକି ୧୦ ଲକ୍ଷ ଟଙ୍କାର ତଣ୍ଡ ଗଣିବେ ଟେଲିକମ କମ୍ପାନି । ସରକାରଙ୍କ ଏ ନିଷ୍ପତ୍ତି ସାଇବର ଅପରାଧ ରୋକିବାରେ ବଡ଼ ଭୂମିକା ତୁଲାଇବ ବୋଲି ଆଶା କରାଯାଉଛି ।

ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ । ଯେ କେହି ଚାହିଁଲେ ବିକି ପାରିବେନି । କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି । ଅକ୍ଟୋବର ପହିଲାରୁ ଲାଗୁହେବ ଏ ନୂଆ ନିୟମ । ଜାଲ ସିମ୍ କାର୍ଡ ଜରିଆରେ ସାବଇବର ଠକେଇ ବଢ଼ିବା ପରେ ନିକଟରେ ଦେଶର ସମସ୍ତ ଟେଲିକମ ଅପରେଟରଙ୍କୁ ସର୍କୁଲାର ଜାରି କରିଛି ଟେଲିକମ୍ ବିଭାଗ ।

ସେପ୍ଟେମ୍ବର ୩୦ ସୁଦ୍ଧା ନିଜର ସମସ୍ତ ‘ପଏଣ୍ଟ ଅଫ୍ ସେଲ’ ବା ଅଧିକୃତ ବିକ୍ରେତାଙ୍କ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ବୋଲି ଟେଲିକମ ଅପରେଟରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜୀକରଣ ବେଳେ ସିମ୍ କାର୍ଡ ଭେଣ୍ଡରଙ୍କୁ ନିଜର କର୍ପୋରେଟ ପରିଚୟପତ୍ର ବା CIN, ବିଜିନେସ ଲାଇସେନ୍ସ, ଆଧାର, ପାନ୍, ଜିଏସ୍ଟି ନମ୍ବର ପ୍ରଭୃତି ଦାଖଲ କରିବାକୁ କୁହାଯାଇଛି ।

ଟେଲିକମ ବିଭାଗ ଖାଲି ଏ ନିର୍ଦ୍ଦେଶ ଦେଇନି, କଡ଼ା ଚେତାବନି ବି ଦେଇ କହିଛି, ଯଦି ସେପ୍ଟେମ୍ବର ୩୦ ପରେ କୌଣସି ଅଣ-ପଞ୍ଜୀକୃତ POSରେ ସିମ୍ କାର୍ଡ ବିକ୍ରି ହେଉଥିବା ଧରାପଡ଼େ, ପ୍ରତି ଥର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ତଣ୍ଡ ଗଣିବେ ଟେଲିକମ ଅପରେଟର ।

ଖାଲି ସେତିକି ନୁହେଁ, ଅଣ-ପଞ୍ଜୀକୃତ ପଏଣ୍ଟ ଅଫ୍ ସେଲ୍ ଜରିଆରେ ଆକ୍ଟିଭେଟ୍ ହୋଇଥିବା ସମସ୍ତଙ୍କ ମୋବାଇଲ ସଂଯୋଗର ପୁନଃଯାଞ୍ଚ ଲାଗି ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ସେପ୍ଟେମ୍ବର ୩୦ ସୁଦ୍ଧା ସମସ୍ତ ପୁରୁଣା ସିମ୍ କାର୍ଡ ଭେଣ୍ଡରଙ୍କ ଡକ୍ୟୁମେଣ୍ଟ ଦାଖଲ ସହ ପଞ୍ଜୀକରଣ ସାରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଯଦି କୌଣସି ସିମ୍ କାର୍ଡ ବିକ୍ରେତାଙ୍କ ଡକ୍ୟୁମେଣ୍ଟ ଜାଲ ଥିବା ଜଣାପଡ଼ିବ, ଏଭଳି କ୍ଷେତ୍ରରେ ଉକ୍ତ ସିମ୍ କାର୍ଡ ବିକ୍ରେତାଙ୍କ ଦ୍ୱାରା ବିକ୍ରି ହୋଇଥିବା ସମସ୍ତ ସିମ୍ କାର୍ଡର ପୁନଃଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଟେଲିକମ୍ ବିଭାଗ । ସରକାରଙ୍କ ଏହି ନିଷ୍ପତ୍ତିକୁ ସାଇବର ଏକ୍ସପର୍ଟ ସ୍ୱାଗତ କରିଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ୬୬ ହଜାର ଜାଲ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବ୍ଲକ୍ କରାଯିବା ସହ ୬୭ ହଜାର ସିମ୍ କାର୍ଡ ଡିଲରଙ୍କୁ ବ୍ଲାକ୍ ଲିଷ୍ଟ କରାଯାଇଛି । ଏମିତିକି ୩୦୦ ଠକଙ୍କ ବିରୋଧରେ ମାମଲା ରୁଜୁ ସହ ୫୨ ଲକ୍ଷ ଫୋନ ସଂଯୋଗକୁ ରଦ୍ଦ କରାଯାଇଛି ।