ଦିନକ ପରେ G-20 ଶିଖର ସମ୍ମିଳନୀ; ବିଶାଳ ଆୟୋଜନ ଓ ସୁନ୍ଦର ସାଜସଜ୍ଜାରେ ଝଟକୁଛି ଦିଲ୍ଲୀ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରସ୍ତୁତ ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ୨୦ରୁ ଅଧିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ।

G20 Summit

ଦିନକ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ G-20 ରାଷ୍ଟ୍ରଗୋଷ୍ଠୀ ବୈଠକ ।  ଏହି ଶିଖର ସମ୍ମିଳନୀ ଲାଗି ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ନିମନ୍ତ୍ରିତ ଅତିଥି । ଆମେରିକାଠୁ ବ୍ରିଟେନ୍, ଫ୍ରାନ୍ସରୁ ଜାପାନ ପର୍ଯ୍ୟନ୍ତ ସବୁ ଶକ୍ତିଶାଳୀ ଦେଶର ମୁଖ୍ୟମାନେ ଆସୁଥିବାରୁ ଦିଲ୍ଲୀ ମହାନଗରୀ ଏବେ ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି । ସେହିଭଳି ସାଜସଜ୍ଜାରେ ଓ ଅତିଥି ସତ୍କାର କ୍ଷେତ୍ରରେ ମଧ୍ୟ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରସ୍ତୁତ ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ୨୦ରୁ ଅଧିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ । ଜି ଟ୍ୱେଣ୍ଟି ଅଧ୍ୟକ୍ଷତା ପାଇଥିବା ଭାରତ ପ୍ରଥମ ଥର ପାଇଁ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଥିବା ବେଳେ ଏହି ଅବସରରେ ବିଶ୍ୱର ବହୁ ଶୀର୍ଷ ନେତାଙ୍କୁ ସ୍ୱାଗତ ଓ ଆତିଥେୟତା ଦେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛି ନୂଆଦିଲ୍ଲୀ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ହୋଇଛି ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ପୋଲିସ ଓ ସେନା ବାହିନୀର ସଜାଗ ପହରା ଓ ଅତ୍ୟାଧୁନିକ ସୁରକ୍ଷା ସାଜ ସରଂଜାମ ଭିତରେ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀ ମହାନଗରୀ । ପ୍ରତି ଛକରେ ଚେକିଂ ଓ ବ୍ଲକିଂ ସାଙ୍ଗକୁ ବିଏସଏଫ୍ ଯବାନଙ୍କ କଡ଼ା ପଇଁତାରା । ସମ୍ବେଦନଶୀଳ ସ୍ଥାନରେ ମୁତୟନ ହୋଇଛନ୍ତି ଏନଏସଜି କମାଣ୍ଡୋ । କୌଣସି ଅଘଟଣକୁ ଏଡାଇବାକୁ ଆଗୁଆ ସନ୍ଧାନୀ କୁକୁର ଦ୍ୱାରା ଚାଲିଛି ଯାଞ୍ଚ୍ ଓ ସର୍ଚ୍ଚ ଅପରେେସନ । ପ୍ରଗତି ମଇଦାନଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ହୋଇଛି ।

ସେହିଭଳି ବୈଠକସ୍ଥଳ ନିକଟକୁ ଡ୍ରୋନ୍ ପ୍ରତିରୋଧୀ କରିବା ଲାଗି ଏବେଠୁ କାମରେ ଲାଗି ସାରିଛି ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟିଡ୍ରୋନ୍ ସିଷ୍ଟମ । ସେପଟେ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଜଳ, ସ୍ଥଳ ଓ ଆକାଶ ପଥରେ ଯେଉଁ କୌଣସି ଆଶଙ୍କା ଓ ଅଘଟଣକୁ ପ୍ରତିହତ କରିବାକୁ ସର୍ବୋଚ୍ଚ ସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଚଳିତ ଥର ନୂଆଦିଲ୍ଲୀରେ ଆୟୋଜିତ ଅଷ୍ଟାଦଶ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ମୋଟ ୪୧ଟି ଦେଶର ରାଷ୍ଟ୍ରପତି ଏବଂ ଜି-୨୦ ରାଷ୍ଟ୍ରଗୋଷ୍ଠୀର ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଭାଗ ନେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି କିଛି ଅତିଥି ଦିଲ୍ଲୀରେ ପହଞ୍ଚି ସାରିଥିବା ବେଳେ ଅନ୍ୟମାନେ ପର୍ଯ୍ୟାୟକ୍ରମେ ଭାରତ ଆସୁଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତାକାଲି ସନ୍ଧ୍ୟା ୬ଟା ୫୫ରେ ନୂଆଦିଲ୍ଲୀରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେହିଭଳି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ୍ ଅପରାହ୍ଣ ଗୋଟାଏ ୪୦ରେ ପହଞ୍ଚିବାକୁ ସମୟ ଧାର୍ଯ୍ୟ ହୋଇଛି । ଅନ୍ୟପକ୍ଷରେ ମରିସସ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ପହଂଚିବା ପରେ ତାଙ୍କ ଓଡ଼ିଶାର ପରାମ୍ପରିକ ଡାଲଖାଇ ନୃତ୍ୟୁଗୀତ ଭିତରେ ପାଛୋଟି ଅଣଆଯାଇଥିବା ଦେଖିବାକୁ ମିଳିଥିଲା ।

ଅତିଥିମାନଙ୍କୁ ନୂଆଦିଲ୍ଲୀ ସମ୍ପର୍କରେ ସମ୍ପୂର୍ଣ୍ଣ ଭିନ୍ନ ଅନୂଭୁତି ଓ ସ୍ମରଣୀୟ ରଖିବାକୁ ଦିଲ୍ଲୀ ମହାନଗରରୀ ସଜାସଜା, ଟ୍ରାଫିକ ବ୍ୟବସ୍ଥା ଓ ହୋଟେଲରେ ଆଥିତେୟତା, ମନୋରଞ୍ଜନ, ଖାଦ୍ୟ ପେୟ ଉପରେ ସର୍ବୋତ୍କୃଷ୍ଟ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ବିଦେଶୀ ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ସୂନା ଓ ରୁପାରେ ତିଆରି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ବାସନକୁସନ ପ୍ରସ୍ତୁତ ରଖାଯାଇଛି । ସେହିଭଳି ଅତିଥିମାନଙ୍କୁ ନିଜ ଦେଶର ଅନୁଭୂତି ଦେବା ଲାଗି ସେମାନଙ୍କ ଦେଶର ଜୀତୟ ପଶୁ ଓ ପକ୍ଷୀମାନଙ୍କ ପ୍ରତିକୃତି ସବୁ ସ୍ୱାଗତ ମୁଦ୍ରାରେ ଅପେକ୍ଷାରେ କରିଛନ୍ତି ।