ସମଲିଙ୍ଗୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା; ସ୍ୱାମୀ-ସ୍ତ୍ରୀ ସାଜି ପାରିବେନି ପୁରୁଷ-ପୁରୁଷ କି ନାରୀ-ନାରୀ

ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।

ସମଲିଙ୍ଗୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ

ଦମ୍ପତି ବନିପାରିବେନି ପୁରୁଷ-ପୁରୁଷ କିମ୍ବା ନାରୀ-ନାରୀ ଯୋଡ଼ି । LGBTQ ବର୍ଗଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା । ସମଲିଙ୍ଗୀ ବିବାହକୁ ମିଳିଲାନି ଆଇନର ମାନ୍ୟତା । ସଂସଦ କୋର୍ଟକୁ ବଲ୍ ଫିଙ୍ଗିଲେ ସର୍ବୋଚ୍ଚ ଅଦାଲତ । ସମଲିଙ୍ଗୀ ବିବାହକୁ ଆଇନତଃ ବୈଧତା ଦେବାକୁ ମନା କରିବା ସହ, ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣର ଅଧିକାର ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଚିଫ୍ ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ସମେତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିବାବେଳେ, ୩-୨ ବହୁମତ ଆଧାରରେ ଫୈସଲା ଆସିଛି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ବିବାହ ସମ୍ବିଧାନରେ ଏକ ମୌଳିକ ଅଧିକାର ନୁହେଁ। ସମଲିଙ୍ଗୀ ବିବାହକୁ କୋର୍ଟ ଆଇନର ମାନ୍ୟତା ଦେଇପାରିବେ ନାହିଁ । କୋର୍ଟ କେବଳ ଆଇନର ବ୍ୟାଖ୍ୟା କରିପାରିବ । ଆଇନ ତିଆରି କରିବା ସଂସଦର ଅଧିକାର । ସ୍ପେଶାଲ୍ ମ୍ୟାରେଜ ଆକ୍ଟକୁ ବଦଳାଇବାର ଅଧିକାର ସୁପ୍ରିମକୋର୍ଟ ପାଖରେ ନାହିଁ । ଯଦି ସ୍ପେଶାଲ୍ ମ୍ୟାରେଜ ଆକ୍ଟକୁ ହଟାଯିବ, ଦେଶ ପ୍ରାକ୍-ସ୍ୱାଧୀନତା ଅମଳକୁ ଚାଲିଯିବ ବୋଲି ରାୟରେ କହିଛନ୍ତି ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟରେ ୧୮ଟି ସମଲିଙ୍ଗୀ ଯୋଡ଼ିଙ୍କ ପକ୍ଷରୁ ଦାୟର ଯାଚିକାର ଶୁଣାଣି ଚଳିତ ବର୍ଷ ଏପ୍ରିଲ ୧୮ରୁ ମେ ୧୧ ଯାଏଁ ଚାଲିଥିଲା । କେନ୍ଦ୍ର ସରକାର ଏଥିରେ ନିଜ ପକ୍ଷ ରଖି ସମଲିଙ୍ଗୀ ବିବାହକୁ ଆଇନତଃ ମାନ୍ୟତା ଦେଲେ ବହୁ ସାମାଜିକ, ସାଂସ୍କୃତିକ ଓ ସାମ୍ବିଧାନିକ ଜଟିଳତା ସୃଷ୍ଟି ହେବ ବୋଲି ଦର୍ଶାଇଥିଲେ ।

ସୁପ୍ରିମକୋର୍ଟଙ୍କ ଏହି ରାୟ ଯଦିଓ LGBTQ ବର୍ଗଙ୍କୁ ନିରାଶ କରିଛି । ତେବେ କୋର୍ଟ ଦୋହରାଇଛନ୍ତି ଯେ, ସମଲିଙ୍ଗୀଙ୍କୁ ନିଜ ସାଥି ବାଛିବାର ଅଧିକାର ରହିଛି । ସେମାନଙ୍କ ଅଧିକାର ଯେପରି ହନନ ନହୁଏ ଏବଂ ସମଲିଙ୍ଗୀ ଯୋଡ଼ିଙ୍କୁ ଯେପରି ଲିଙ୍ଗ ଆଧାରରେ କୌଣସି ଭେଦଭାବର ସମ୍ମୁଖୀନ ହେବାକୁ ନପଡ଼େ ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ପୋଲିସ ପାଇଁ ଜାରି କରିଛନ୍ତି ନିର୍ଦ୍ଦେଶାବଳୀ । ସରକାରଙ୍କୁ କହିଛନ୍ତି ଯେ, କ୍ୱିର୍ କମ୍ୟୁନିଟି ପାଇଁ ଉତ୍ପାଦ ଓ ସେବାର ଉପଲବ୍ଧତା ସୁନିଶ୍ଚିତ କରିଯାଉ । ସେମାନଙ୍କ ପାଇଁ ହଟଲାଇନ ଓ ସେଫ୍ ହାଉସ କରାଯାଉ । ଇଣ୍ଟରସେକ୍ସ ଶିଶୁଙ୍କୁ ଅପରେସନ ପାଇଁ ବାଧ୍ୟ କରାନଯାଉ ।

ପୋଲିସକୁ କହିଛନ୍ତି ଯେ, କେବଳ ଲିଙ୍ଗ ଆଧାରରେ କ୍ୱିର୍ କପଲଙ୍କୁ ଥାନାକୁ ଡାକି କିମ୍ବା ଘରକୁ ଯାଇ ଜେରା କରାନଯାଉ । ନିଜ ଘରକୁ ଫେରିବାକୁ ଚାହୁଁନଥିଲେ ସେମାନଙ୍କୁ ବାଧ୍ୟ କରାନଯାଉ । ଘର ଲୋକ ତାଙ୍କୁ ବାହାରକୁ ଛାଡ଼ୁନଥିଲେ କିମ୍ବା ନିର୍ଯାତନା ଅଭିଯୋଗ ଆସିଲେ, ସେମାନଙ୍କୁ ସୁରକ୍ଷା ସୁନିଶ୍ଚିତ କରାଯାଉ । ଏଥିସହ LGBT ବର୍ଗଙ୍କୁ ମୌଳିକ ସୁବିଧା ଦେବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶୁଣନ୍ତୁ ରାୟ ଆସିବା ପରେ କଣ ପ୍ରତିକ୍ରିୟା ରଖିଛନ୍ତି ସମଲିଙ୍ଗୀ କ୍ରୀଡ଼ାବିତ୍ ଦୂତି ଚାନ୍ଦ ଓ ସମଲିଙ୍ଗୀ ଅଧିକାର କର୍ମୀ ମୀରା ପରିଡ଼ା ।

ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ । ତେବେ ବିଶ୍ୱସ୍ତରରେ ସମଲିଙ୍ଗୀ ବିବାହ ପ୍ରତି ରହିଛି ମିଶ୍ରିତ ଦୃଷ୍ଟିଭଙ୍ଗୀ । ୩୪ଟି ଦେଶରେ ଏହାକୁ ସ୍ୱୀକୃତି ମିଳିଥିବାବେଳେ ୨୨ଟି ଦେଶରେ ଆଇନତଃ ମାନ୍ୟତା ମିଳିଛି । ୬୪ ଦେଶରେ ଦଣ୍ଡଯୁକ୍ତ ଅପରାଧ ଭାବେ ଏହା ପରିଗଣିତ ହୋଇଥାଏ । ପାକିସ୍ତାନ ଓ ଆଫଗାନିସ୍ତାନ ଭଳି କିଛି ଦେଶରେ ସରିଆ ଆଇନ ମୁତାବକ ସମଲିଙ୍ଗୀ ସଂପର୍କ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ବି ରହିଛି ।