Advertisment

G-20 ରେ ଝଟକିଲା ଉତ୍କଳୀୟ କଳା କାରିଗରୀ; କୋଣାର୍କ ଚକର ପ୍ରତିକୃତି ଦେଖି ବିମୋହିତ ବିଶ୍ୱନେତା

ଦିଲ୍ଲୀ ଦରବାରର G-20 ଶିଖର ସମ୍ମିଳନୀରେ ଶୋଭାପାଉଛି ଓଡ଼ିଶାର କୀର୍ତ୍ତିରାଜି । ଉତ୍କଳୀୟ କଳାର ଉତ୍କର୍ଷ ଆଜି ବିଶ୍ୱନେତାଙ୍କୁ ବିମୋହିତ କରୁଛି । କୋଣାର୍କର ଐତିହାସିକ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ଚକିତ କରିଛି ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନଙ୍କୁ । ଭାରତ ମଣ୍ଡପମ୍ ସ୍ୱାଗତସ୍ଥଳରେ ଶୋଭା ପାଉଥିବା ସୂର୍ଯ୍ୟମନ୍ଦିର ଚକର ପ୍ରତିକୃତି ସାମ୍ନାରେ ହିଁ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କରି କୋଣାର୍କର କାରୁକାର୍ଯ୍ୟ ସଂପର୍କରେ ଅବଗତ କରିଛନ୍ତି।

undefined

G20 Summit

Advertisment

ନା କେହି ଭୁଲିପାରିବେ ଏହି ମୁହୂର୍ତ୍ତକୁ..ନା କେହି ଅଣଦେଖା କରିପାରିବେ ପ୍ରଛଦପଟ୍ଟରେ ଝଟକୁଥିବା ଓଡ଼ିଶାର କୀର୍ତ୍ତିରାଜିକୁ । ଦୃଶ୍ୟ ଦେଖିଲେ ଆଖି  ଲାଖିଯାଉଛି । ପ୍ରତ୍ୟେକଟି ଓଡ଼ିଆଙ୍କ ଛାତି ଆଜି ଗର୍ବ ଆଉ ଗୌରବରେ ଫୁଲି ଉଠୁଛି । କାରଣ ଉତ୍କଳୀୟ କଳାର ଅନ୍ୟତମ ଉତ୍କର୍ଷ କୁହାଯାଉଥିବା କୋଣାର୍କର ଐତିହାସିକ ସୂର୍ଯ୍ୟମନ୍ଦିର ଚକ ଆଜି ସ୍ୱାଗତ କରୁଛି ବିଶ୍ୱନେତା ଆଉ ପ୍ରତିନିଧିମାନଙ୍କୁ । ସେହି ସ୍ଥାନରୁ ସବୁ ଅତିଥିଙ୍କୁ ପାଛୋଟି ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

କେବଳ ପାଛୋଟି ନେଉନାହାଁନ୍ତି, ଗୋଟି ଗୋଟି କରି ବୁଝାଉଛନ୍ତି ସୂର୍ଯ୍ୟମନ୍ଦିର ଓ ଏହି ଚକର କଥା ଆଉ ଗାଥାକୁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୋଦି ଅବଗତ କରିଛନ୍ତି ଚକର ବୈଶିଷ୍ଟତା ସଂପର୍କରେ । ତ୍ରୟୋଦଶ ଶତାବ୍ଦୀରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ଏହି ଚକରେ ରହିଛି ମୁଖ୍ୟତଃ ୮ଟି ଅର । ଯାହା ୮ଟି ପ୍ରହରକୁ ଦର୍ଶାଉଛି । ତା’ସହ ରହିଛି ୮ଟି ସରୁବାଡ଼ି ତଥା ଲାଲବାଡ଼ି । ଯାହା ସମୟ ଓ ବିକାଶର ଧାରାକୁ ସୂଚାଇଥାଏ ।

ଗଣତନ୍ତ୍ରରେ ଏକତା ଓ ବିକାଶର ପରିବର୍ତ୍ତନ ଧାରାକୁ ଦର୍ଶାଇବାକୁ G 20ରେ ସ୍ଥାନ ଦିଆଯାଇଛି କୋଣାର୍କ ଚକକୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଏହା ଏକ ଗୌରବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି ।

Advertisment

ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ G-20 ଶିଖର ସମ୍ମିଳନୀରେ କେବଳ ଯେ କୋଣାର୍କର କାରୁକାର୍ଯ୍ୟ ଓଡ଼ିଶାର ଗାଥା ବଖାଣୁଛି ତା’ନୁହେଁ । ଭାରତ ମଣ୍ଡପମରେ ବି ଶୋଭାପାଉଛି ଆମର ପ୍ରାଚୀନ ହସ୍ତକଳା । ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର, ସମ୍ବଲପୁରୀ ବସ୍ତ୍ର ଭଳି ଆକର୍ଷଣୀୟ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହେଉଛି ଏହି ବିଶ୍ୱମଞ୍ଚର ମନ୍ଥନ କାର୍ଯ୍ୟକ୍ରମ ଅବସରରେ । ଯାହାକୁ ଦେଖି ଓ କ୍ରୟକରି ବେଶ୍ ଆତ୍ମସନ୍ତୋଷ ଲଭିଛନ୍ତି ବିଦେଶାଗତ ଅତିଥି ।

ଏସବୁ ଭିତରେ ଅନ୍ୟତମ ଆକର୍ଷଣ ହୋଇଛି G-20କୁ ଆସୁଥିବା ଅତିଥିଙ୍କ ସ୍ୱାଗତ ପାଇଁ ପାରମ୍ପାରିକ ସମ୍ବଲପୁରୀ ନୃତ୍ୟ ସହ ଡାଲଖାଇ ଗୀତର ଆସର । ମନ ବୋଲ ମନୁନି ବୋଲି ଗୀତର ତାଳେ ତାଳେ ପାଦ ପକାଇ ବି ନାଚିଛନ୍ତି ଅତିଥି । ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ-IMF ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା ମଧ୍ୟ ଏହି ଗୀତରେ ନାଚି ପକାଇଲେ । ସ୍ୱାଗତ ମଞ୍ଚରେ ନାଚୁଥିବା କଳାକାରଙ୍କ ସହ ତାଳ ଦେଇ ନାଚିଲେ ସେ । ଡାଲଖାଇ ଓ ସମ୍ବଲପୁରୀ ଗୀତ ସହ ପାରମ୍ପାରିକ ନୃତ୍ୟ ଗୀତ ଜରିଆରେ G-20 ଅତିଥି ମାନଙ୍କୁ ସ୍ୱାଗତ କରିଛନ୍ତି ଓଡ଼ିଆ କଳାକାର ।

Advertisment
Konark Sun Temple G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ