Red alert issued in 8 districts in Kerala as heavy rainfall lashes state
କେରଳରେ ବର୍ଷା ବିତ୍ପାତ । ସପ୍ତାହେ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି । ଫଳରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ଏହା ଭିତରେ ଆଜି ପାଇଁ ପୁଣି ୮ଟି ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଛି ।
ବନ୍ୟାକୁ ଦୃଷ୍ଟିରେ ରଖି କେରଳର ପଥନମଥିତା, ଆଲପୁଝା, କୋଟାୟାମ, ଏମର୍ଣାକୁଲମ୍, ଇଡୁକି, ଥ୍ରୀସୁର, ପଲ୍ଲକଡ୍ ଓ କନ୍ନୁର ଜିଲ୍ଲାକୁ ରେଡ୍ ଅଲର୍ଟ କରାଯାଇଛି । ତେବେ ଥିରୁବନନ୍ତପୁରମ ବ୍ୟତୀତ ଅନ୍ୟ ଜିଲ୍ଲାଗୁଡ଼ିକୁ ପାଇଁ ଅରେଞ୍ଜ ଆଲର୍ଟରେ ଜାରି କରାଯାଇଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଅନେକ ସ୍ଥାନରେ ରାସ୍ତା ବୁଡ଼ି ପାଣି ଚାଲିଛି ।
ଉତ୍ତର ଓ କେନ୍ଦ୍ରୀୟ କେରଳର ଜିଲ୍ଲାଗୁଡ଼ିକରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ବର୍ଷା ଓ ବନ୍ୟା ଯୋଗୁଁ ସପ୍ତାହେ ଭିତରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ ୩୨ଟି ଘର ସଂପୂର୍ଣ୍ଣ ଧ୍ୱଂସ ହୋଇଥିବାବେଳେ ୨୩୨ଟି ଘର ଆଂଶିକ ନଷ୍ଟ ହୋଇଛି ।
ପ୍ରବଳ ବର୍ଷା ପରେ ଜଳଭଣ୍ଡାର ଗୁଡ଼ିକର ଗେଟ୍ ଖୋଲାଯାଇଛି । ଥ୍ରୀସୁର ଜିଲ୍ଲାର ୩ଟି, ଇଡୁକି ଓ ପଲ୍ଲକଡ଼ ଜିଲ୍ଲାରେ ଥିବା ଗୋଟିଏ ଲେଖା ଜଳଭଣ୍ଡାରର ଗେଟ୍ ଖୋଲାଯିବାରୁ ତଳ ଅଞ୍ଚଳରେ ବନ୍ୟା ଆସିଛି । ଚାଲାକୁଡ଼ି, ପାମ୍ପା, ମଣିମାଳା, ପେରିୟାର ଓ ଆଚନକୋବିଲ ନଦୀରେ ବନ୍ୟା ଆସିଛି । ଏହାସହ ପେରିୟାର ନଦୀରେ ବନ୍ୟା ଯୋଗୁଁ କୋଚିର ଆଲୁଆରେ ଥିବା ଶିବ ମନ୍ଦିର ବୁଡ଼ି ଯାଇଛି ।
ତେବେ ବର୍ଷା ଯୋଗୁଁ କନ୍ନୁରରେ ଭୂସ୍ଖଳନ ଘଟି ଅନେକ ଘର ନଷ୍ଟ ହୋଇଛି । ସେହିପରି ଥ୍ରୀସୁର, ଇଡୁକି, ପଲ୍ଲକଡ଼ରେ ରାସ୍ତା ଧୋଇଯାଇଛି । ଖରାପ ପାଗ ଲାଗି ରହିଥିବାରୁ କୋଝିକୋଡେ ବିମାନବନ୍ଦରରେ ଅବତରଣ କରିବାକୁ ଥିବା ବିମାନଗୁଡ଼ିକୁ କୋଚି ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659683825.jpg)