ସଂପୂର୍ଣ୍ଣ ଲକଡାଉନ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ : ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର

ବାୟୁ ପ୍ରଦୂଷଣ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

ବିଷ ବୟଳରେ ଦିଲ୍ଲୀ

News Summary

NCR ଅଞ୍ଚଳରେ ବି ଲକଡାଉନ୍ କରିବାକୁ କହିଲେ ଦିଲ୍ଲୀ ସରକାର

NCR ଅଞ୍ଚଳରେ ଲକଡାଉନ୍ ହେଲେ ଆହୁରି ଫଳପ୍ରଦ ହେବ କହିଲେ

ନୂଆଦିଲ୍ଲୀ : ଲକଡାଉନ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ । ବାୟୁ ପ୍ରଦୂଷଣ ରୋକିବାକୁ ରାଜଧାନୀ ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ୍ ଲଗାଇବା ପାଇଁ ପ୍ରସ୍ତୁତ ଥିବା ସୁପ୍ରିମକୋର୍ଟରେ କହିଛନ୍ତି ଦିଲ୍ଲୀ ସରକାର । ସତ୍ୟପାଠ ଦାଖଲ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏକଥା ଜଣାଇଛନ୍ତି ଦିଲ୍ଲୀ ସରକାର । NCR ଅଞ୍ଚଳରେ ବି ଲକଡାଉନ୍ କରିବାକୁ ଦିଲ୍ଲୀ ସରକାର ପରାମର୍ଶ ଦେଇଛନ୍ତି । ପଡ଼ୋଶୀ ରାଜ୍ୟ NCR ଅଞ୍ଚଳରେ ଲକଡାଉନ୍ ଲାଗୁ ହେଲେ ଆହୁରି ଫଳପ୍ରଦ ହେବ ।

ସେପଟେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରାରେ ସାମାନ୍ୟ ସୁଧାର ଆସିଛି । ତଥାପି ବିଷ ବଳୟରେ ରହିଛି ଦିଲ୍ଲୀ । ସ୍ଥିତି ଏପରି ହୋଇଛି ଯେ, ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି । ସକାଳୁ ସକାଳୁ ମର୍ଣ୍ଣିଂ ଓ୍ୱାର୍କ ହେଉ ଅବା ଅଫିସ ଯିବା କି କାମ ସନ୍ଧାନରେ ଘରୁ ବାହାରିବା କଷ୍ଟକର ହେଉଛି । ଏହା ସିଧାସଳଖ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବା ଲୋକେ ଅଭିଯୋଗ କରୁଛନ୍ତି । ଆଜି ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ AQI ମାନ ୩ଶହରୁ ଅଧିକ ରେକର୍ଡ ହୋଇଛି । ଗତକାଲି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୩୦ ରେକର୍ଡ ହୋଇଥିଲା । ଗତ ଶନିବାର ଦିନ AQI ମାନ ୪୩୭ ରେକର୍ଡ ହୋଇଥିଲା ।

ସୂଚନାଯୋଗ୍ୟ ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଗତ ୧୩ ତାରିଖରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ ଘୋଷଣା ହୋଇଗଲା । ଆଜି ଠାରୁ ସପ୍ତାହେ ପାଇଁ ସ୍କୁଲ୍ ବନ୍ଦ କରିଥିବା ନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ କେଜରିୱାଲ। ସେହିପରି ନଭେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାଇଭେଟ ଅଫିସରମାନଙ୍କୁ ମଧ୍ୟ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଥିଲା । ସପ୍ତାହେ ପାଇଁ ସରକାରୀ କର୍ମଚାରୀ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଥିଲା ।