• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Amaresh Biswal

ବିବାହ ଦୁଇଟି ଆତ୍ମାର ମିଳନ। କିନ୍ତୁ ଭାରତରେ ଏହା କେବଳ ଦୁଇଟି ମଣିଷ ମିଳନ ନୁହେଁ, ବରଂ ଦୁଇଟି ପରିବାର ମିଳନ, ଦୁଇଟି ସଂସ୍କୃତିର ମିଳନ, ଦୁଇଟି ବଂଶର ମିଳନ। ସେଥିପାଇଁ ଆମ ଦେଶରେ ବିବାହର ମହତ୍ୱ ଅଧିକ। ସାମାଜିକ ଭାବେ ଏହାକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ବୋଲି ବିଚାର କରାଯାଇଥାଏ। ବିଶ୍ୱର ଅନ୍ୟଆଡ଼େ, ବିବାହକୁ, ଜୀବନର ଅନ୍ୟ ଘଟଣା ପରି ଏକ ସାଧାରଣ କଥା ବୋଲି ବିଚାର କରାଯାଏ। ଯାହାକି ଭାରତରେ ସଂପୂର୍ଣ୍ଣ ଅଲଗା। ଆମ ପୂରାଣ ଶାସ୍ତ୍ରରେ ବିବାହ ହେଉଛି ମଣିଷ ଜୀବନର ସବୁଠାରୁ ବଡ଼ ଅନୁଷ୍ଠାନ।

ବାହାଘର ପାଲଟିଲାଣି ଖେଳଘର

କିନ୍ତୁ ମଣିଷ ଜୀବନର ଏହି ମହତ୍ୱପୂର୍ଣ୍ଣ ଘଟଣା ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ବେଳେବେଳେ ନାଟକୀୟ ଡାଏଲଗ୍ ଷ୍ଟାଇଲରେ ଆମେ କହୁ, ବାହାଘର ନୁହେଁ ଖେଳଘର। ଏହି ଡ୍ରାମା ଡାଏଲଗ୍ ଏବେ ସତ ହେବାକୁ ବସିଲାଣି। ବାହାଘର ବାସ୍ତବରେ ଖେଳଘର ପାଲଟିଗଲାଣି। ଆମ ଦେଶରେ ବିଶେଷକରି ବିବାହର ଆନୁଷ୍ଠାନିକତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। କାରଣ ଭାରତରେ ଆଉ ବିବାହ ବେଶୀଦିନ ତିଷ୍ଠି ରହିପାରୁନି। ବିଭିନ୍ନ କାରଣରୁ ପୂର୍ବରୁ ଛାଡ଼ପତ୍ର ସଂଖ୍ୟା କମ୍ ରହୁଥିଲା। ଏବେ କିନ୍ତୁ ଏହା ବଢ଼ିବାରେ ଲାଗିଛି।

ଛାଡ଼ପତ୍ର ବଢିବାର କାରଣ

୧. ଆଗରୁ ନାରୀମାନଙ୍କୁ ସାମାଜିକ ଭାବେ ନ୍ୟୁନ ସ୍ତରରେ ରଖାଯାଉଥିଲା। ପରିବାର ଗୁଡ଼ିକରେ ସେମାନଙ୍କର କୌଣସି ଗୁରୁତ୍ୱ ରହୁନଥିଲା। ଏବେବି ଅନେକ ଆଭ୍ୟନ୍ତରୀଣ ଅଂଚଳରେ ନାରୀମାନେ ସମାଜ ଓ ପରିବାରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନାହାଁନ୍ତି। ତେଣୁ ନିର୍ଯାତନା ଓ ଅସୁବିଧା ସତ୍ୱେ ସେମାନେ ମୁହଁ ଖୋଲି ନଥାନ୍ତି।

୨. ସେହିପରି ଅନେକ ମହିଳା ଶିକ୍ଷିତ ହୋଇନଥିବାରୁ ସେମାନେ ଆଇନ୍ କାକୁନ୍ ଚକ୍କରରେ ପଡ଼ିବାକୁ ଭୟ କରନ୍ତି। ନାରୀଟିଏ ଯଦି ପରିବାରର ହିଂସା ବିରୋଧରେ ମୁହଁ ଖୋଲେ, ତେବେ ସାମାଜିକ ଭାବେ ତାକୁ ନ୍ୟୁନ କରି ଦେଖାଯାଏ। ତା ଚରିତ୍ର ପ୍ରତି ଦୋଷାରୋପ କରାଯାଏ।

୩. ଏବେ କିନ୍ତୁ ସ୍ଥିତି ବଦଳି ଗଲାଣି। ସାମାଜିକ ସଚେତନତା ବୃଦ୍ଧି ପାଇବାରୁ, ଝିଅମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତେଣୁ ସେମାନଙ୍କ କଥା ଘରର ମୁରବିମାନେ ଶୁଣିଲେଣି। ସ୍ୱାମୀ ନିର୍ଯାତନା ଦେଲେ ସ୍ତ୍ରୀଟିଏ ତାକୁ ପ୍ରତ୍ୟାଖ୍ୟାନ କରିପାରିବ, ଏ ସଂପର୍କରେ ସେମାନେ ସଚେତନ ହେଲେଣି।

୪. ସେହିପରି ନାରୀମାନେ ଶିକ୍ଷିତ ହେବାରୁ, ଆଗ ଅପେକ୍ଷା ଥାନାରେ ଛାଡ଼ପତ୍ର ମାମଲା ବୃଦ୍ଧି ପାଇଛି। ନାରାମାନେ ନିର୍ଯାତନାର ଶିକାର ହେଲେ ସାହସର ସହ ମୁହଁ ଖୋଲିଲେଣି। ତେଣୁ ଧୀରେ ଧୀରେ ଛାଡ଼ପତ୍ର ମାମଲା ଅଧିକ ପଦାକୁ ଆସିଲାଣି।

ସର୍ବାଧିକ ଛାଡ଼ପତ୍ର ହେଉଥିବା ୮ଟି ରାଜ୍ୟ

ସର୍ଭେ ଅନୁଯାୟୀ, ଭାରତର ଏହି ୮ଟି ରାଜ୍ୟରେ ଛାଡ଼ପତ୍ର ବା ଡିଭୋର୍ସ ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି।

କେରଳ : କେରଳ ହେଉଛି ଦେଶର ସବୁଠାରୁ ଅଧିକ ଶିକ୍ଷିତ ରାଜ୍ୟ। ଏଠାରେ ସାକ୍ଷାରତା ହାର ଭାରତର ଅନ୍ୟ ରାଜ୍ୟଗୁଡ଼ିକଠାରୁ ଅଧିକ। କିନ୍ତୁ ଏହି ଶିକ୍ଷିତ ରାଜ୍ୟରେ ଛାଡ଼ପତ୍ର ସଂଖ୍ୟା ମଧ୍ୟ ଅଧିକ। ହୁଏତ ଏହା ହୋଇଥାଇ ପାରେ ଯେ, ସାକ୍ଷାରତା ହାର ଅଧିକ ଥିବାରୁ ଝିଅମାନଙ୍କ ମଧ୍ୟରେ ସଚେତନତା ଅଧିକ ରହିଛି। ଫଳରେ ସେମାନେ ଛାଡ଼ପତ୍ର ପାଇଁ ଖୋଲାଖୋଲି ଆବେଦନ କରିପାରୁଛନ୍ତି।

ଗୋଆ : ଗୋଆ ଏକ ଖୋଲା ସାମାଜିକ ବ୍ୟବସ୍ଥାରେ ବିଶ୍ୱାସ କରିଥାଏ। ଏହି ଭାରତୀୟ ଉପଖଣ୍ଡରେ ବିଦେଶୀମାନେ କଲୋନୀ ପ୍ରତିଷ୍ଠା କରିଥିଲେ। ସେଥିପାଇଁ ଏହା ଶିକ୍ଷା ଓ ସାମାଜିକ ଖୋଲାପଣରେ ଅନ୍ୟ ରାଜ୍ୟଗୁଡ଼ିକ ଠାରୁ ଟିକିଏ ଆଗରେ। ବୋଧହୁଏ ଏହି ଦୃଷ୍ଟିରୁ ଏଠାରେ ଝିଅମାନେ ଆଗକୁ ଆସି ଛାଡ଼ପତ୍ର ପାଇଁ ଆବେଦନ କରିବା ବୃଦ୍ଧି ପାଉଛି।

ମହାରାଷ୍ଟ୍ର : ମୁମ୍ୱାଇ ହେଉଛି ଦେଶର ଅନ୍ୟତମ ବ୍ୟାବସାୟିକ ଓ ସାଂସ୍କୃତିକ ପେଣ୍ଠସ୍ଥଳୀ। ଏହି ମେଟ୍ରୋପରିଟାନ ସହରରେ ମରାଠୀ ଲୋକ ଯେତେ ବାହାର ଲୋକ ମଧ୍ୟ ସେତେ। ଅତ୍ୟାଧୁନିକ ତଥା ଅଗ୍ରଣୀ ସାମାଜିକ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ଏଠାକାର ପୁଅଝିଅ ଛାଡ଼ପତ୍ର କରି ନୂଆ ଜୀବନ ବଂଚିବାକୁ ଚାହୁଁଛନ୍ତି। ଝିଅମାନେ ନିର୍ଯାତିତ ହେଲେ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁଛନ୍ତି।

କର୍ଣ୍ଣାଟକ : ଦକ୍ଷିଣ ଭାରତର ଆଉଏକ ପ୍ରମୁଖ ରାଜ୍ୟ ହେଲା କର୍ଣ୍ଣାଟକ। ଏଠି ରହିଛି ଦେଶର ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁ। ଯେଉଁଠି ରହିଛି ସବୁଠାରୁ ଅଧିକ ଆଇଟି କମ୍ପାନୀ। ସାରା ଦେଶରୁ ଚାକିରି କରିବାକୁ ଯାଇ ପୁଅଝିଅ ଏଠି ରହୁଛନ୍ତି। ଏଠି ସଂସାର ତିଆରି ହେବା ଯେତେ ସହଜ ଓ ଶୀଘ୍ର, ଭାଙ୍ଗିଥାଏ ମଧ୍ୟ ସେତେ ଶୀଘ୍ର। ହୁଏତ ସେହି କାରଣରୁ ଏଠି ଛାଡ଼ପତ୍ର ସଂଖ୍ୟା ବଢୁଛି.

ଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଆଧୁନିକ ଓ ସଚେତନ ପାରିବାରିକ ଓ ସାମାଜିକ ଚଳଣୀ ପାଇଁ ହିଂସା ବିରୋଧରେ ସଚେତନତା ବୃଦ୍ଧି ପାଇଛି ଓ ସେହି କାରଣରୁ ଛାଡ଼ପତ୍ର ମାମଲା ମଧ୍ୟ ବୃଦ୍ଧି ପାଉଛି।

ତାମିଲନାଡୁ : ଏହି ପ୍ରମୁଖ ଦକ୍ଷିଣୀ ରାଜ୍ୟରେ ରହିଛି ଦେଶର ଅନ୍ୟତମ ମେଟ୍ରୋ ସହର ଚେନ୍ନାଇ। ଏହି ସଚେତନ ସହରରେ ଛାଡ଼ପତ୍ର ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ତେଲେଙ୍ଗାନା: ଏହା ବି ଏକ ପ୍ରମୁଖ ଦକ୍ଷିଣୀ ରାଜ୍ୟ। ପରମ୍ପରା ଓ ପାରିବାରିକ ଚଳଣୀରେ ଏଠାରେ ଝିଅମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ। କୁହାଯାଉଛି କ୍ୟାରିୟରକୁ ଫୋକସ୍ କରୁଥିବା ଯୁବପିଢ଼ିଙ୍କ ଭିତରେ ଏବେ ଡିଭୋର୍ସ ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ବିବାହକୁ ସେମାନେ ଏକ ବନ୍ଧନ ବୋଲି ବିଚାର କରୁଛନ୍ତି।

ଉତ୍ତର ପ୍ରଦେଶ : ରାଜନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶର ରହିଛି ଅନ୍ୟତମ ପ୍ରମୁଖ ସହର ଲକ୍ଷ୍ନୌ। ଏମାନେ ପାରମ୍ପରିକ ଭାବେ ରକ୍ଷଣଶୀଳ ହୋଇଥିଲେ ମଧ୍ୟ ସହରୀକରଣ ପ୍ରଭାବରେ ଧୀରେ ଧୀରେ ସଚେତନତା ବୃଦ୍ଧି ପାଉଛି ଓ ସ୍ୱାଧୀନ ଜୀବନଶୈଳୀ ଆଳରେ ଛାଡ଼ପତ୍ର ବଢୁଛି।

OTV is now on Whatsapp

Join and get latest news update delivered to you via whatsapp

Join Now