Advertisment

IPL କୁ ବିପଦରୁ ଉଦ୍ଧାର କରିଥିଲେ ରତନ ଟାଟା !

ଟାଟା ସ୍ପୋର୍ଟ୍ସ କମ୍ପ୍ଲେସ ବ୍ୟତୀତ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସହ ମଧ୍ୟ ଟାଟା ପରିବାରର ମଧ୍ୟ ବିଶେଷ ନିବିଡ଼ତା ରହିଛି । ଭାରତୀୟ ଆଥଲେଟଙ୍କୁ ସାହାଯ୍ୟ ଓ ସହାୟତା ପାଇଁ ସଦା ସର୍ବଦା ଆଗେଇ ଆସିଛି ଟାଟା ଗ୍ରୁପ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Ratan Tata

Ratan Tata

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ବୁଧବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଶିଳ୍ପ ରତ୍ନ ରତନ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ରତନ ଟାଟାଙ୍କ ବିୟୋଗରେ ସାରାଦେଶ ଶୋକରେ ବୁଡ଼ିଥିବାବେଳେ ଦରଦୀ ମହାନାୟକଙ୍କୁ ଝୁରୁଛି କ୍ରିକେଟ ଜଗତ ।

Advertisment

କେବଳ କ୍ରିକେଟ କାହିଁକି ଭାରତୀୟ କ୍ରୀଡା ପ୍ରତି ତାଙ୍କର ଥିଲା ବିଶେଷ ଅବଦାନ । ଅନେକ ଖେଳାଳିଙ୍କୁ ସେ କେବଳ ଆର୍ଥିକ ପ୍ରୋତ୍ସାହନ ଯୋଗାଇନାହାନ୍ତି ବରଂ ସାରା ଭାରତରେ କ୍ରୀଡା ଭିତ୍ତିଭୂମିକୁ ମଜଭୁତ କରିବା ଲାଗି ଏକାଧିକ ସ୍ପୋର୍ଟ୍ସ ଏକାଡେମୀ ପ୍ରତିଷ୍ଠା କରିଛନ୍ତି । ଅନେକ ଅଲିମ୍ପିଆନଙ୍କୁ ପ୍ରୋତ୍ସାହନ ଯୋଗାଇଛି ଟାଟା ଗ୍ରୁପ । ଇଣ୍ଡିଆନ ପ୍ରିମିୟର ଲିଗ୍ ଓ ମହିଳା ପ୍ରିମିୟର ଲିଗର ମୁଖ୍ୟ ପ୍ରାୟୋଜକ ମଧ୍ୟ ରହିଛି ଟାଟା ଗ୍ରୁପ । 

ଯେତେବେଳେ ଚାଇନିଜ୍ କମ୍ପାନୀ VIVO ଇଣ୍ଡିଆନ ପ୍ରିମିୟର ଲିଗର ମୁଖ୍ୟ ପ୍ରାୟୋଜକ ଥିଲା, ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବଡ଼ ବିବାଦ ଦେଖାଦେଇଥିଲା । ଚାଇନିଜ୍ ବ୍ରାଣ୍ଡକୁ ପ୍ରାୟୋଜକ ରଖିଥିବାରୁ ବିସିସିଆଇ କଡ଼ା ସମାଲୋଚନାର ଶିକାର ହୋଇଥିଲା । ଏପରି ସମୟରେ ଆଇପିଏଲର ପ୍ରାୟୋଜକ ହେବାସହ ବିସିସିଆଇକୁ ବିପଦରୁ ରକ୍ଷା କରିବାକୁ ଆଗେଇ ଆସିଥିଲା ଟାଟା ଗ୍ରୁପ । କେବଳ ପୁରୁଷ ନୁହେଁ, ମହିଳା ପ୍ରିମିୟର ଲିଗର ମୁଖ୍ୟ ପ୍ରାୟୋଜକ ମଧ୍ୟ ହୋଇଛି ଟାଟା ଗ୍ରୁପ । 
୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଆଇପିଏଲର ମୁଖ୍ୟ ପ୍ରାୟୋଜକ ରହିବ ଟାଟା ଗ୍ରୁପ । ନୂଆ ଡିଲ୍ ଅନୁଯାୟୀ ୨୫୦୦ କୋଟି ଟଙ୍କା ମୂଲ୍ୟ ବଦଳରେ ବିସିସିଆଇର ଟାଇଟେଲ ସ୍ପନସର ହାତେଇଥିଲା ଟାଟା ଗ୍ରୁପ । 

Advertisment

ଜଣାଶୁଣା କ୍ରିକେଟର ମହିନ୍ଦର ଅମରନାଥ, ସଞ୍ଜୟ ମାଞ୍ଜ୍ରେକର, ରବିନ ଉଥାପ୍ପା ଓ ଭିଭିଏସ ଲକ୍ଷ୍ମଣଙ୍କ ଭଳି କ୍ରିକେଟରଙ୍କୁ ଏୟାର ଇଣ୍ଡିଆ ଦ୍ୱାରା ସହଯୋଗ କରିଛନ୍ତି କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା । ଜଗଭଲ ଶ୍ରୀନାଥ, ହରଭଜନ ସିଂହ, ଯୁବରାଜ ସିଂହ ଓ ମହମ୍ମଦ କୈଫଙ୍କ ଭଳି ଭାରତୀୟ କ୍ରିକେଟରଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇଛି ଟାଟା ଗ୍ରୁପ ।

ଭାରତୀୟ କ୍ରୀଡ଼ା ପ୍ରତି ଟାଟା ପରିବାରର ରହିଛି ଉଲ୍ଲେଖନୀୟ ଅବଦାନ । ଦେଶର ପ୍ରଥମ ଅଲିମ୍ପିକ୍ ଟିମକୁ ସ୍ପନସର କରିଥିଲେ ସାର୍ ଡୋରାବ ଟାଟା । ଅନେକ ବର୍ଷ ଧରି ହକିକୁ ମଧ୍ୟ ସହାୟତା ଯୋଗାଇଛି ନାଭାଲ ଟାଟା । କେବଳ ସେତିକି ନୁହେଁ ଅନେକ ମହାନ କ୍ରୀଡାବିତଙ୍କୁ ମଧ୍ୟ ତିଆରି କରିଛି ଟାଟା ସ୍ପୋର୍ଟ୍ସ କ୍ଳବ୍ ।
ବର୍ଷ ୧୯୯୬ରେ ଟାଟା ଗ୍ରୁପ ପ୍ରତିଷ୍ଠିତ କରିଥିଲା ଟାଟା ଆର୍ଚେରୀ ଏକାଡେମୀ । ଏହି ଏକାଡେମୀରୁ ପ୍ରଶିକ୍ଷଣ ନେଇ ନ୍ୟାସନାଲ ଇଭେଣ୍ଟରେ ଦେଶକୁ ପ୍ରତିନିଧିତ୍ୱ କରିଥିବା ଖେଳାଳି ୫ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ଜିତିଛନ୍ତି । ଟାଟା କ୍ୟାପିଟାଲର କର୍ମଚାରୀ ସୌରଭ ଘୋଷାଲ ପ୍ରଥମ ଭାରତୀୟ ପୁରୁଷ ସ୍କ୍ୱାସ ଖେଳାଳି ଭାବେ PSA ରାକିଂର ଟପ୍ ଟେନରେ ସ୍ଥାନ ପାଇଥିଲେ । 

ଭାରତରେ ଥିବା ଅନ୍ୟତମ ସର୍ବୋତ୍ତମ ଫୁଲବଲ ଅନୁଷ୍ଠାନର ମେରୁଦଣ୍ଡ ହେଉଛି ଟାଟା ଗ୍ରୁପ । ଟାଟା ଫୁଲବଲ ଏକାଡେମୀରୁ ପ୍ରଶିଷଣ ନେଇ ଅନେକ ଭାରତୀୟ ଫୁଟବଲ ଖେଳାଳି ସିନିୟର ନ୍ୟାସନାଲ ଟିମରେ ଖେଳୁଛନ୍ତି । ୨୦୨୧-୨୨ ସଂସ୍କରଣର ଇଣ୍ଡିଆନ ସୁପର ଲିଗ ଚାମ୍ପିଅନ ହୋଇଥିବା ଜାମସେଦପୁର ଏଫସିର ମାଲିକ ମଧ୍ୟ ଟାଟା ଗ୍ରୁପ ।

ଟାଟା ସ୍ପୋର୍ଟ୍ସ କମ୍ପ୍ଲେସ ବ୍ୟତୀତ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସହ ମଧ୍ୟ ଟାଟା ପରିବାରର ମଧ୍ୟ ବିଶେଷ ନିବିଡ଼ତା ରହିଛି । ଭାରତୀୟ ଆଥଲେଟଙ୍କୁ ସାହାଯ୍ୟ ଓ ସହାୟତା ପାଇଁ ସଦା ସର୍ବଦା ଆଗେଇ ଆସିଛି ଟାଟା ଗ୍ରୁପ । 

ଭାରତରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ଟାଟା ଗ୍ରୁପ ପ୍ରତିଷ୍ଠା କରିଥିବା ପ୍ରମୁଖ ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ରହିଛି, ଟାଟା ଷ୍ଟିଲ୍ ଆଡଭେନଚର ଫାଉଣ୍ଡେସନ, ଟାଟା ଫୁଟବଲ ଏକାଡେମୀ, ଟାଟା ଆର୍ଚେରୀ ଏକାଡେମୀ, ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ ଫୁଟବଲ, ନାଭାଲ ଟାଟା ହକି ଏକାଡେମୀ, ଓଡ଼ିଶା ନାଭାଲ ଟାଟା ହାଇ-ପର୍ଫମାନ୍ସ ସେଣ୍ଟର ଓ ଟିଏସଏଏଫ୍ କ୍ଳାଇମ୍ବିଂ ଏକାଡେମୀ ।

ଟାଟା ଓପନ ଟେନିସ ଚାମ୍ପିଅନସିପ୍, ପ୍ରୋ କବାଡ଼ି ଲିଗ୍, ରଗବି ବିଶ୍ୱକପ, ୱିମ୍ବଲଡନ ଭଳି ସମ୍ମାନଜନକ ପ୍ରତିଯୋଗିତାକୁ ମଧ୍ୟ ସହାୟତା ଯୋଗାଇଛି ଟାଟା ଗ୍ରୁପ । ଗୋପୀଚାନ୍ଦଙ୍କର ବ୍ୟାଡମିଣ୍ଟନ ଗୁରୁକୂଳର ମଧ୍ୟ ମୁଖ୍ୟ ପ୍ରାୟୋଜକ ରହିଛି ଟାଟା ଗ୍ରୁପ ।

Ratan Tata Tata Group
Advertisment
Advertisment