ଏସିଆର ପ୍ରଥମ ଘଟଣା: କାନ୍ଧଠୁ ନଥିଲା ହାତ, ଏବେ ଲାଗିଲା ଦୁଇଟି ନୂଆ ସତସତିକା ହାତ...

ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣତାର ସହ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲେ । ଆଉ ଏଥିରେ ଡାକ୍ତରଙ୍କୁ ଏକ ବିରାଟ ସଫଳତା ମିଳିଛି । ସମଗ୍ର ଏସିଆରେ ଏଭଳି ହାତଯୋଡ଼ା ଯିବା ଘଟଣା ପ୍ରଥମ ବୋଲି କୁହାଯାଉଛି।

Rare Hand Sugery

ରାଜସ୍ଥାନ ଆଜ୍‌ମେରର ୩୩ ବର୍ଷିୟ ପ୍ରେମା ରାମ । ତାଙ୍କ ଜୀବନରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ । ସେ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଜୀବନ । ବର୍ତ୍ତମାନର ଅଧୁନିକ ଯୁଗରେ ବିଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ହିଁ ଆମକୁ ଆଗକୁ ବଢ଼ିବାର ରାହା ଦେଖାଉଛି । ଜୀବନକୁ ଅତି ସରଳ ଓ ସହଜ କରୁଛି ବିଜ୍ଞାନ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବିଜ୍ଞାନ ଏବେ ବେଶ ଆଗରେ ।

ସେମିତି ଏକ ଉଦାହରଣ ଏବେ ଆମ ସାମ୍ନାକୁ ଆସିଛି । ପ୍ରେମା ରାମଙ୍କ କ୍ଷେତ୍ରରେ ବିଜ୍ଞାନ ଆମକୁ ଚମତ୍କାର ଦେଖାଇଛି । ପ୍ରାୟ ଦଶନ୍ଧି ହେବ ପ୍ରେମା ରାମଙ୍କ ହାତ ନଥିଲା । ଅସାବଧାନତା ବଶତଃ ତାଙ୍କ ହାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଯାଇଥିଲା । ଡାକ୍ତର ତାଙ୍କ ଜୀବନ ବଞ୍ଚାଇବା ପାଇଁ କାନ୍ଧଠୁ ସମ୍ପୂର୍ଣ୍ଣ ହାତକୁ କାଟି ଅଲଗା କରିଦେଇଥିଲେ । ହାତ କଟିଯିବା ପରେ ତାଙ୍କ ଜୀବନରେ ଅନ୍ଧକାର ଛାଇ ଯାଇଥିଲା ।

ଦୈନନ୍ଦିନ ତଥ୍ୟ ନିତ୍ୟ କର୍ମ ପାଇଁ ମଧ୍ୟ ସେ ଅନ୍ୟ ପରେ ଭରସା କରୁଥିଲେ । ଅନ୍ୟର ବିନା ସହଯୋଗରେ ସେ କୌଣସି କାମ କରିପାରୁ ନଥିଲେ । ହାତ ହରାଇବାର କିଛି ବର୍ଷ ପରେ ସେ ଧିରେ ଧିରେ ଗୋଡ଼ରେ ଲେଖିବା ଓ ଅନ୍ୟ କିଛି କାମ କରିବା ଶିଖିଯାଇଥିଲେ । ହେଲେ ସବୁ କିଛି କରିବାକୁ ସମର୍ଥ ନଥିଲେ । ପରିବାର ଲୋକ ପ୍ରେମା ରାମଙ୍କ କ୍ଷେତ୍ରରେ ପ୍ରୋସ୍ଥେସିସ ହାତ ଲଗାଇବାକୁ ଅନେକ ଉଦ୍ୟମ କରିଥିଲେ । କିନ୍ତୁ ତାହା କୌଣସି ଫଳପ୍ରଦ ହୋଇପାରିନଥିଲା । କାରଣ ପ୍ରେମା ରାମଙ୍କ ହାତ କାନ୍ଧଠାରୁ ଅଲଗା ହୋଇଥିଲା ।

ପ୍ରାୟ ଦଶ ବର୍ଷ ଧରି ଏଭଳି ଅଭିଶପ୍ତ ଜୀବନ ବିତାଇବା ପରେ ଏବେ ବିଜ୍ଞାନ ତାଙ୍କୁ ଦେଇଛି ନୂଆ ଜୀବନ । ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲରେ ତାଙ୍କର ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ଏହି ଅସ୍ତ୍ରୋପଚାର ସାରା ଦେଶରେ ଚିକିତ୍ସା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣତାର ସହ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲେ । ଆଉ ଏଥିରେ ଡାକ୍ତରଙ୍କୁ ଏକ ବିରାଟ ସଫଳତା ମିଳିଛି । 

 

ପ୍ରେମା ରାମଙ୍କ କହିବାନୁଯାୟୀ, ତାଙ୍କର ହାତ ନଥିବା ବେଳେ ସେ ପାଠ ପଢ଼ା ସାରିବା ସହ ବିଇଡି ପରୀକ୍ଷା ମଧ୍ୟ ଦେଇଛନ୍ତି । ଆଗକୁ ନିଜ ହାତରେ ସବୁ କିଛି କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ପୁରା ଡାକ୍ତରୀ ଟିମ୍‌କୁ ସେ ଧନ୍ୟବାଦ ଦେଇଛନ୍ତି । ଆଉ କହିଛନ୍ତି ‘ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ମୁଁ ନୂଆ ହାତ ପାଇ ଖୁବ୍‌ ଖୁସି । ଆଗାମୀ ୧୮ ମାସ ମଧ୍ୟ ଫିଜିଓଥେରାପି କରି ହାତକୁ ସମ୍ପୂର୍ଣ୍ଣ ରୂପେ ସଚଳ କରିବା ପାଇଁ ଚେଷ୍ଟା କରିବି ।’