ଆଉ ପଡ଼ିରହିବନି ଶବ; ମୃତଦେହ ରଖି ଧାରଣା ଦେଲେ ୨ ବର୍ଷ ଜେଲ୍‌

ରାଜସ୍ଥାନ ସରକାରଙ୍କ ପକ୍ଷରୁ ପାସ୍‌ କରାଯାଇଥିବା ଏହି ବିଲ୍‌ରେ ମୃତଦେହ ରଖି ଧାରଣା ଦେବାକୁ ବାରଣ କରାଯାଇଛି । ଏଥିରେ ଆହୁରି କୁହାଯାଇଛି କି, ଯେଉଁ ବ୍ୟକ୍ତିମାନେ କୌଣସି ଦାବି ପାଇଁ ମୃତଦେହ ରଖି ଧାରଣା ବା ବିକ୍ଷୋଭ ପ୍ରଦର୍ଶନ କରିବେ ସେମାନଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ ।

ମୃତଦେହ ରଖି ଧାରଣା ଦେଲେ ୨ ବର୍ଷ ଜେଲ୍‌

ଶବକୁ ମିଳିବ ସମ୍ମାନ । ମୃତଦେହ ରଖି ଧାରଣା ଦେଲେ ଏଣିକି ଯିବାକୁ ପଡ଼ିପାରେ ଜେଲ୍‌ । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏପରି ଏକ ଅଭିନବ ନିୟମ ଲାଗୁ କରାଯାଇଛି । ରାଜସ୍ଥାନର କଂଗ୍ରେସ ସରକାରଙ୍କ ପକ୍ଷରୁ ଏପରି ଏକ ନିୟମ ଲାଗୁ କରାଯିବା ନେଇ ବିଲ୍‌ ପାରିତ ହୋଇଛି ।

ସରକାରଙ୍କ ପକ୍ଷରୁ ପାସ୍‌ କରାଯାଇଥିବା ଏହି ବିଲ୍‌ରେ ମୃତଦେହ ରଖି ଧାରଣା ଦେବାକୁ ବାରଣ କରାଯାଇଛି । ତାହାସହ ଆହୁରି କୁହାଯାଇଛି କି, ଯେଉଁ ବ୍ୟକ୍ତିମାନେ କୌଣସି ଦାବି ପାଇଁ ମୃତଦେହ ରଖି ଧାରଣା ବା ବିକ୍ଷୋଭ ପ୍ରଦର୍ଶନ କରିବେ, ସେମାନଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ । ନିୟମ ଉଲ୍ଲଂଘନକାରୀ ମାନେ ୨ବର୍ଷ ଜେଲ୍‌ ଦଣ୍ଡ ଭୋଗିବେ ।

ଅଶୋକ ଗେହେଲଟଙ୍କ ସରକାର ଜୁଲାଇ ୨୦ ତାରିଖରେ ଏହି ବିଲ୍‌ ପାରିତ କରିଛନ୍ତି । ଗୃହରେ ପାରିତ ହୋଇଥିବା Dead Body Bill-2023ରେ ମୃତଦେହକୁ ସମ୍ମାନ ଜଣାଯାଇଛି । ବିଲ୍‌ରେ କୁହାଯାଇଛି କି, ଯଦି କୌଣସି ମୃତଦେହକୁ ତାଙ୍କ ପରିବାର ଲୋକ ନନିଅନ୍ତି ତେବେ ସେମାନଙ୍କୁ ଗୋଟିଏ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ ।

ସେହିପରି ପରିବାର ସଦସ୍ୟଙ୍କ ସହ ଅନ୍ୟ ବ୍ୟକ୍ତିମାନେ ମୃତଦେହକୁ ବିରୋଧ ପ୍ରଦର୍ଶନରେ ଯଦି ସାମିଲ ହୁଅନ୍ତି ତେବେ ସେମାନଙ୍କୁ ଜରିମାନା ସହ ୨ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ, ସେହି ବିରୋଧ ପ୍ରଦର୍ଶନରେ ଯେକୌଣସି ରାଜନେତା ମଧ୍ୟ ସାମିଲ ହେବେ ସେମାନେ ବି ଜେଲ୍‌ଦଣ୍ଡ ଭୋଗିବେ ।

ଜଣେ ମୃତବ୍ୟକ୍ତିଙ୍କ ଶବଦାହ କରିବାର ଆବଶ୍ୟକତା ରହିଛି । ଏହାକୁ ସମ୍ମାନ ଦେବା ସହ କର୍ତ୍ତବ୍ୟ ଭାବେ ଗ୍ରହଣ କରିବା ଆବଶ୍ୟକ । ଏହି ପ୍ରସଙ୍ଗକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିୱାଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦିନକୁ ଦିନ ଏପରି ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ମୃତଦେହ ରଖି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନେ ଅଯୌକ୍ତିକ ଦାବି କରୁଛନ୍ତି ।

ଗୃହ ମନ୍ତ୍ରୀଙ୍କ ଉତ୍ତର ରଖିବା ପରେ ଭଏସ୍‌ ଭୋଟ୍‌ ମାଧ୍ୟମରେ ରାଜସ୍ଥାନ ସରକାର Dead Body Bill-2023 ପାର୍‌ କରିଛନ୍ତି ।