Advertisment

କୃଷି ଆଇନ୍‌ ପରି 'ଅଗ୍ନିପଥ'କୁ ବି ପ୍ରତ୍ୟାହୃତ କରିବାକୁ ବାଧ୍ୟ ହେବେ କେନ୍ଦ୍ର ସରକାର: ରାହୁଲ ଗାନ୍ଧୀ

ଏହି ଯୋଜନାକୁ ବିରୋଧ କରି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।

undefined

Congress Leader rahul gandhi

Advertisment

ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ନିଆଁ ଲିଭିନି କିନ୍ତୁ ଏପଟେ ଆରମ୍ଭ ହେଲାଣି ରାଜନୀତି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍‌ କରି କହିଛନ୍ତି- କେନ୍ଦ୍ର ସରକାର ଯବାନ ଓ କିଷାନଙ୍କୁ ଅପମାନିତ କରୁଛନ୍ତି। ତେଣୁ କୃଷି ଆଇନ୍‌ ପରି ‘ଅଗ୍ନିପଥ’ ଆଇନକୁ ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ।

Advertisment

ଉଗ୍ର ହେଉଛି ଅଗ୍ନିବୀର ହିଂସା । ବିହାର-ଉତ୍ତରପ୍ରଦେଶ-ରାଜସ୍ଥାନ-ହରିୟାଣା-ତେଲେଙ୍ଗାନା-ଓଡ଼ିଶା । ଅଧିକାଂଶ ସ୍ଥାନରେ ଦାଉ ଦାଉ ଅଗ୍ନିପଥ ନିଆଁ । ଦିନକୁ ଦିନ ଅଧିକରୁ ଅଧିକ ହିଂସାତ୍ମକ ହେଉଛି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ । କେଉଁଠି ଟ୍ରେନ୍ ଜଳୁଛି, ତ କେଉଁଠି ଥାନା ତ ଆଉ କେଉଁଠି ରାସ୍ତାଘାଟ । ବିଶେଷ କରି ରେଳ ଭିତ୍ତିଭୂମି ଉପରେ ଅଧିକ ଦାଉ ସାଧୁଛନ୍ତି ଆନ୍ଦୋଳନକାରୀ।

ଏହି ଯୋଜନାକୁ ନେଇ ରାଜନୀତି ଜୋର ଧରିଲାଣି। ନିଆଁରେ ଘିଅ ଢାଳିଛି କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, “ଲଗାତାର ୮ ବର୍ଷ ଧରି ସରକାର ‘ଜୟ ଯବାନ, ଜୟ କିଷାନ’ର ମୂଲ୍ୟବୋଧକୁ ଅପମାନିତ କରିଛନ୍ତି। ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ। ସେହିଭଳି ଅଗ୍ନିପଥ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାନ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ତାଙ୍କୁ ଦେଶର ଯୁବବର୍ଗଙ୍କ କଥା ମାନିବାକୁ ପଡ଼ିବ ଓ ‘ଅଗ୍ନିପଥ’ ଯୋଜନାକୁ ଫେରାଇ ନେବାକୁ ପଡ଼ିବ।’

Advertisment

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜ ଟ୍ୱିଟରରେ ଏକ ଭିଡିଓ ଶେଆର କରି କହିଛନ୍ତି ଯେ, ଦେଶର ସେନାରେ ଭର୍ତ୍ତି ହେବାକୁ ଚାହୁଁଥିବା ଗ୍ରାମାଞ୍ଚଳ ଯୁବକଙ୍କ ଦୁଃଖ ବୁଝିବାକୁ ଚେଷ୍ଟା କରନ୍ତୁ। ଗତ ୩ ବର୍ଷ ହେଲା ସେନାରେ ଭର୍ତ୍ତିକୁ ବନ୍ଦ କରି ଦିଆଯାଇଛି। କାଳେ କେତେବେଳେ ପୁଣି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ ଭାବି ଯୁବକମାନେ ଅଭ୍ୟାସ ବନ୍ଦ କରି ନାହାନ୍ତି। ଏବେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ସେମାନେ ଭାଙ୍ଗି ପଡ଼ିଛନ୍ତି। ୪ ବର୍ଷୀୟା ନିଯୁକ୍ତି ସ୍କିମ୍‌ କରି ସରକାର ତାଙ୍କର ସମସ୍ତ ଆଶା ଉପରେ ପାଣି ପକାଇ ଦେଇଛନ୍ତି। ସରକାର ସେମାନଙ୍କ ସ୍ଥାୟୀ ଭର୍ତ୍ତି, ରାଙ୍କ, ପେନସନ ଆଶା ସବୁ କିଛି ଛଡ଼ାଇ ନେଇଛନ୍ତି।

Advertisment

‘ଅଗ୍ନିପଥ’ ଯୋଜନାକୁ ଜୋରଦାର ବିରୋଧ କରି କଂଗ୍ରେସ ଖୁବ୍‌ଶୀଘ୍ର ଜନ୍ତରମନ୍ତରରେ ପ୍ରଦର୍ଶନ କରିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଏଥିନିମନ୍ତେ ଏକ ବିଶାଳ ସମାବେଶ ଆୟୋଜିତ ହେବ ଯେଉଁଥିରେ ପାର୍ଟିର ବଡ଼ ବଡ଼ ନେତା ଓ ଏମ୍‌ପି ସାମିଲ ହେବେ ବୋଲି ଜଣାଯାଇଛି।

ଅଗ୍ନିପଥ ଯୋଜନାରେ ଆର୍ମିରେ ଭର୍ତ୍ତି ହେବାକୁ ଥିବା ନୂତନ ଆଶାୟୀଙ୍କ ବୟସ ସୀମା ପୂର୍ବରୁ ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ରହିଥିଲା । ସର୍ବାଧିକ ବୟସ ସୀମା ବୃଦ୍ଧି ହେବା ପରେ ଏବେ ଏହା ସାଢ଼େ ୧୭ରୁ ୨୩ ବର୍ଷ ହୋଇଛି । ବୟସ ସୀମା ବୃଦ୍ଧି ଦ୍ୱାରା ବହୁ ଯୁବକଙ୍କୁ ଏହାର ଫାଇଦା ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରିଛନ୍ତି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଖୁବ୍‌ଶୀଘ୍ର ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେହିପରି ସ୍ଥଳ, ବାୟୁ ଓ ନୌସେନା ମୁଖ୍ୟ ମଧ୍ୟ ତିନି ବାହିନୀରେ ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ।

Agnipath Agnipath Scheme Agnipath Protest Agnipath Recruitment Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ