ପଞ୍ଜାବୀ ଗାୟକଙ୍କୁ ଗୁଳି ମାରି ହତ୍ୟା : ଦିନକ ପୂର୍ବରୁ ସୁରକ୍ଷା ହଟାଇ ଦେଇଥିଲେ ମାନ୍‌ ସରକାର

ସୁରକ୍ଷା ବ୍ୟବସ୍ଥା ହଟିବାର ଦିନକ ପରେ ପଞ୍ଜାବୀ ଗାୟକଙ୍କୁ ହତ୍ୟା

Punjabi singer Sidhu Moosewala

ପଞ୍ଜାବୀ ଗାୟକଙ୍କୁ ଗୁଳି ମାରି ହତ୍ୟା । ଆଜି ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମନସା ଜିଲ୍ଲା ଜବାହାରକେ ଗାଁ ନିକଟରେ ମୋସେୱାଲାଙ୍କ ଉପରକୁ ଗୁଳି କରାଯାଇଛି । ଗୁଳିମାଡ଼ ପରେ ମୁସେୱାଲାଙ୍କୁ ଗୁରୁତର ଅବସ୍ଥାରେ ମନସାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ସମୟରେ ତାଙ୍କର ଜୀବନ ଚାଲିଯାଇଛି । ଏହି ଘଟଣାରେ ସିଦ୍ଧୁ ମୁସେୱାଲାଙ୍କ ସହ ଥିବା ଅନ୍ୟ ଦୁଇଜଣ ଆହତ ହୋଇଥିବା କୁହାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିଦ୍ଧୁଙ୍କ ସହ ୪୨୪ ଜଣଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହା ଘଟଣା ଘଟିଛି।

ସିଦ୍ଧୁ ମୁସେୱାଲାଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଧମକ ମିଳିଥିଲା ବୋଲି କୁହାଯାଇଛି । ଏହା ସତ୍ତ୍ୱେ ପଞ୍ଜାବ ସରକାର ଆମ୍ ଆଦମୀ ପାର୍ଟି ସରକାର ଏକ ଦିନ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଇ ମୋସେୱାଲାଙ୍କ ସମେତ ୪୨୪ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ । ମୁସେୱାଲା କଂଗ୍ରେସ ଟିକେଟରେ ଆମ୍ ଆଦମୀ ପାର୍ଟିର ବିଜୟ ସିଙ୍ଗଲାଙ୍କ ବିରୋଧରେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ବିଜୟ ସିଙ୍ଗଲା ମାନସା ଆସନରୁ ମୋସେୱାଲାଙ୍କୁ ୬୩,୩୨୩ ଭୋଟରେ ପରାସ୍ତ କରିଥିଲେ ।

୧୭ ଜୁନ୍ ୧୯୯୩ରେ ଜନ୍ମଗ୍ରହଣ କରିଥିବା ଶୁଭଦୀପ ସିଂ ସିଦ୍ଧୁ ମନସା ଜିଲ୍ଲାର ମୁସା ଗାଁର ବାସିନ୍ଦା । ମୁସେୱାଲାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ । ରାପ୍‌ ଗୀତ ଗାଇ ସେ ଲୋକପ୍ରିୟ ଥିଲେ। ସିଦ୍ଧୁ ମୁସେୱାଲାଙ୍କ ମା ଗାଁର ସରପଞ୍ଚ ଥିଲେ । ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ସେ ତାଙ୍କ କଲେଜ ସମୟରେ ସଙ୍ଗୀତ ଶିକ୍ଷା କରିଥିଲେ ଏବଂ ପରେ କାନାଡା ଯାଇଥିଲେ ।

ତେବେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବିଜେପି ନେତା ମନଜିନ୍ଦର ସିଂ ସିରସା ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଭିଡିଓ ଜାରି କରି କହିଛନ୍ତି ଯେ ପଞ୍ଜାବରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଅନିୟନ୍ତ୍ରିତ ହୋଇସାଛି । ଏହା ପରେ ମଧ୍ୟ ପଞ୍ଜାବୀ ଗାୟକଙ୍କ ସୁରକ୍ଷା ହଟାଇ ଦିଆଯାଇଥିଲା । ମୁସେୱାଲା ପଞ୍ଜାବର ଗର୍ବ ବଢ଼ାଇଥିଲେ, କିନ୍ତୁ ସେ ଅରବିନ୍ଦ କେଜ୍ରିୱାଲ ଏବଂ ଭଗବନ୍ତ ମାନଙ୍କର ରାଜନୀତିର ଶିକାର ହୋଇଗଲେ ।