Advertisment

ଭୟଙ୍କର ଷଡ଼ଯନ୍ତ୍ର!! ୪ କୋଟିର ଇନସୁରାନ୍ସ ପାଇଁ ସାଙ୍ଗକୁ ମାରି ନିଜକୁ ମୃତ ଘୋଷଣା

ନିଜକୁ ମୃତ ଦର୍ଶାଇ ୪ କୋଟିର ଇନସୁରାନ୍ସ ଟଙ୍କା ହାତେଇବାକୁ ସାଙ୍ଗକୁ ଟ୍ରକ୍‌ ଚକା ତଳକୁ ଠେଲି ଦେବାକୁ ପଛାଇଲା ନାହିଁ ଅଭିଯୁକ୍ତ ।

author-image
Manoranjan Behera
ଅଦ୍ୟତନ ହୋଇଛି
Man Kills Friend

Man Kills Friend

ବିପଦ ବେଳେ ବିପରୀତ ବୁଦ୍ଧି..ସାଙ୍ଗକୁ ମାରି ନିଜକୁ ମୃତ ଦର୍ଶାଇଲା ଅଭିଯୁକ୍ତ । ୪ କୋଟିର ଇନସୁରାନ୍ସ ଟଙ୍କା ପାଇବା ପାଇଁ ଦୀର୍ଘ ଦିନର ବନ୍ଧୁକୁ ଟ୍ରକ୍‌ ଆଗକୁ ଠେଲିଦେଲା ସଇତାନ ସାଙ୍ଗ । ଅଣ୍ଟି ଛୁରୀ ତଣ୍ଟି କାଟେ ଭଳି କାଣ୍ତ ଘଟାଇଲା ଅଭିଯୁକ୍ତ । ଏଭଳି ଅମାନବୀୟ ଘଟଣା ପଞ୍ଜାବରେ ଘଟିଛି । ଏହି ଘଟଣାର ଅଭିଯୁକ୍ତ ଗୁରପ୍ରୀତ ସିଂହଙ୍କୁ ପୋଲିସ୍‌ ଗିରଫ କରିବା ପରେ ବଖାଣିଲା ଘଟଣା ପଛର ସାଂଘାତିକ ସତ । ଏହି ମାମଲାରେ ପୋଲିସ ଗୁରପ୍ରିତଙ୍କ ସମେତ ତାଙ୍କ ପତ୍ନୀ ଜୀବନଦୀପ୍‌ କୋର୍‌ ଏବଂ ଆଉ ୪ ଜଣଙ୍କୁ ଗିରଫ କରିଛି ।

Advertisment

ପଞ୍ଜାବର ରାମଦାସ ନଗର ଅଞ୍ଚଳରେ ଗୁରୁପ୍ରୀତ ସିଂ ବିଜନେସ୍‌ କରୁଥିବା ବେଳେ ସେଥିରେ ବ୍ୟାପକ କ୍ଷତି ହେବାରୁ ତାଙ୍କର ଆର୍ଥିକ ସ୍ଥିତି ଟଳମଳ ହୋଇପଡ଼ିଥିଲା । ଏଥରୁ ବର୍ତ୍ତିବା ପାଇଁ ଗୁରପ୍ରୀତ, ତାଙ୍କ ପତ୍ନୀ ଜୀବନଦୀପ୍‌ ଏବଂ ଆଉ ୪ ଜଣ ବନ୍ଧୁ ଏକ ପ୍ଲାନ୍‌ ରଚିଥିଲେ । ଯଦି ଗୁରପ୍ରିତ ନିଜକୁ ମୃତ ଦର୍ଶାଉଛନ୍ତି, ତେବେ ଏହି ବାବଦକୁ ତାଙ୍କୁ ୪ କୋଟି ଟଙ୍କା ମିଳିବ । ଏହି ପ୍ଲାନ୍‌କୁ ସଫଳ କରିବା ପାଇଁ ସେ ନିଜ ସାଙ୍ଗ ସୁଖଜିତ୍‌ ସିଂଙ୍କୁ ଟାର୍ଗେଟ କଲେ ।

ସୁଖଜିତ୍‌ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ । ପୋଲିସ୍‌ ଖୋଜାଖୋଜି ଆରମ୍ଭ କରିବା ପରେ କେନାଲ ନିକଟରୁ ସୁଖବିନ୍ଦରଙ୍କ ବାଇକ୍‌ ଓ ଚପଲ ଉଦ୍ଧାର କରିଥିଲା । ପ୍ରଥମେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ୍‌ ସନ୍ଦେହ କରିଥିଲା ।

Advertisment

ମାମଲାର ତଦନ୍ତ ବେଳେ ଏକ ସୁଖଜିତଙ୍କ ସ୍ତ୍ରୀ କହିଥିଲେ ଯେ, ଗୁରୁପ୍ରୀତ ସିଂ କିଛି ଦିନ ଧରି ସୁଖଜିତ୍‌ଙ୍କୁ ମାଗଣାରେ ମଦ ଦେଉଥିଲେ । ଏହାର କିଛିଦିନ ମଧ୍ୟରେ ସୁଖଜିତ ନିଖୋଜ ହୋଇଥିବା ନେଇ ତାଙ୍କ ପତ୍ନୀ ପୋଲିସ୍‌କୁ କହିଥିଲେ। ଏହାପରେ ପୋଲିସ ଗୁରପ୍ରୀତଙ୍କ ଘରକୁ ପଚରାଉଚରା କରିବାକୁ ପହଞ୍ଚିଥିଲା । ଗୁରପ୍ରୀତ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କଥା ତାଙ୍କ ପତ୍ନୀ ଜୀବନଦୀପ୍‌ ପୋଲିସକୁ କହିଥିଲେ। ଜୀବନଦୀପଙ୍କ କଥାଟି ଅଡୁଆ ଲାଗିବାରୁ ପୋଲିସ ଗୁରପ୍ରୀତଙ୍କ ପରିବାର ସଦସ୍ୟଙ୍କୁ ଗୁଡ଼ାଇତୁଡ଼ାଇ ପଚରାଉଚରା କରିଥିଲା।

ଶେଷରେ ଗୁରପ୍ରୀତ ଜୀବିତ ଥିବା କଥା ପୋଲିସ ଜାଣିପାରିଥିଲା । ୪କୋଟି ଇନସୁରାନ୍ସ ଟଙ୍କା ହାତେଇବା ପାଇଁ ଏଭଳି ଷଡଯନ୍ତ୍ର ରଚାଯାଇଥିବା ଜଣାପଡ଼ିଥିଲା । ପୋଲିସର କହିବାନୁଯାୟୀ ଗତ ୧୯ ତାରିଖରେ ଗୁରପ୍ରୀତ ନିଜ ସାଙ୍ଗ ସୁଖଜିତଙ୍କୁ ଡାକି କିଛି ପାନୀୟ ପିଇବାକୁ ଦେଇଥିଲେ। ସେଥିରେ ସେ ନିଶା ମିଶାଇ ଦେଇଥିଲେ। ଫଳରେ ସୁଖଜିତ ଅଚେତ ହୋଇଯିବାରୁ ଗୁରପ୍ରୀତ ତାଙ୍କୁ ନିଜ ଡ୍ରେସ୍‌ ପିନ୍ଧାଇ ଦେଇଥିଲେ। ଏହାପରେ ଯେପରି କେହି ମୃତଦେହ ଚିହ୍ନଟ କରି ନକରିପାରିବେ ସେଥିପାଇଁ ରାତି ଅଧରେ ଟ୍ରକ୍‌ ଚକା ତଳକୁ ନିଜ ସାଙ୍ଗଙ୍କୁ ଠେଲି ଦେଇଥିଲେ। ଏହାପରେ ଗୁରପ୍ରୀତଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ସୂଚନାନୁଯାୟୀ ଟ୍ରକ୍‌ ଚକା ତଳେ ଚାପି ହୋଇଥିବା ସୁଖଜିତଙ୍କ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । କିନ୍ତୁ ଜୀବନଦୀପ୍‌ ଏହାକୁ ଗୁରପ୍ରୀତଙ୍କ ମୃତଦେହ ବୋଲି କହିଥିଲେ। ଗୁରପ୍ରୀତଙ୍କୁ ମୃତ ଦର୍ଶାଇ ତାଙ୍କ ପରିବାର ଲୋକେ ଇନସୁରାନ୍ସ ଟଙ୍କା ହାତେଇବା ପୂର୍ବରୁ ପୋଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ କରିପାରିଛି । ଏହି ଘଟଣାରେ ପୋଲିସ୍‌ ଗୁରପ୍ରୀତ, ତାଙ୍କ ପତ୍ନୀ ଓ ଆଉ ୪ ଜଣଙ୍କୁ ଗିରଫ କରିଛି।

Man Kills Friend Insurance Coverage
Advertisment
Advertisment