VIRAL VIDEO : ୧୦ ବର୍ଷୀୟା ଝିଅର ନିର୍ଘାତ ମାଡ଼ରେ ଲହୁଲୁହାଣ ହୋଇ ପଳାଇଲା ଚେନ୍‌ ଲୁଟେରା

ଚେନ୍‌ ଲୁଟେରା ଉପରେ ଝାମ୍ପି ପଡ଼ିଲା କୁନି ଝିଅ । ଉତ୍ତମ ମଧ୍ୟମ ଖାଇବା ପରେ ଦୁର୍ବୃତ୍ତ ଫେରାର୍ ।

girl attacks chain snatcher

ସାହସ ଥିଲେ ସବୁ କିଛି ସମ୍ଭବ । କୁନି ଝିଅର ଉଗ୍ରରୂପ ଦେଖି ଚେନ୍‌ ଲୁଟେରା ଫେରାର୍‌ । ମହାରାଷ୍ଟ୍ରର ପୁଣେ ସହରର ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଜେଜେ ମାଆଙ୍କ ସୁନା ଚେନ୍ ଲୁଟ୍ ବେଳେ ସାହସ ଦେଖାଇଛି ୧୦ ବର୍ଷିୟ ନାତୁଣି । ସାହସିକତାର ସହ ଲୁଟେରା ସହ ଲଢ଼ିଛି, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ମହାରାଷ୍ଟ୍ର ପୁନେ ସହର ମଡେଲ କଲୋନୀ ଅଞ୍ଚଳରେ ଗତ ମାସ ୨୫ ତାରିଖରେ ଏହି ଘଟଣା ଘଟିଛି । ଭିଡିଓରେ ଦେଖିବାକୁ ମିଳୁଛି, ଦୁଇ ନାତୁଣି ଜେଜେମା’ଙ୍କ ସହ ରାସ୍ତାରେ ଯାଉଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ବାଇକରେ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପିବା ପାଇଁ ଚେଷ୍ଟା କରିଥିଲା । ତେବେ ୧୦ ବର୍ଷୀୟା ନାତୁଣି ଏହା ଦେଖି ଲୁଟେରାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା ।

ଲୁଟେରାକୁ ଦେଖି ଭୟଭୀତ ନହୋଇ କୁନି ଝିଅଟି ତା’ ଉପରକୁ ଝାମ୍ପି ପଡ଼ିଥିଲା । ହାତରେ ଧରିଥିବା ପଲିଥିନ୍‌ ବ୍ୟାଗରେ ଜୋରରେ ଲୁଟେରାକୁ ମାରିବାରେ ଲାଗିଥିଲା । ଝିଅର ଏପରି ଅତର୍କିତ ଆକ୍ରମଣକୁ ସହ୍ୟ ନକରି ପାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସିସିଟିଭି ଫୁଟେଜ୍ ଆଧାରରେ ମାମଲା ରୁଜୁ କରି ପୋଲିସ ତନାଘନା ଚଳାଇଛି । ତେବେ ସାହସୀ ଝିଅର ଲୁଟେରା ସହ ମୁକାବିଲା କରିବା ଭିଜୁଆଲ ଏବେ ଭାଇରାଲ ହେଉଛି । ଭିଡିଓ ଦେଖି ଲୋକେ ଝିଅର ସାହସିକତାକୁ ପ୍ରଶଂସା କରୁଛନ୍ତି ।