ଜୋର୍‌ରେ ପେଟ କାଟିଲା, ରକ୍ତ ବାନ୍ତି ହେଲା; ପେଟରୁ ବାହାରିଲା ବ୍ଲେଡ୍‌, ସେଫ୍ଟି ପିନ୍‌ ଓ କ୍ଲିପ୍‌

୨୦ ବର୍ଷର ଯୁବକଙ୍କ ପେଟରେ ରହିଥିଲା ବ୍ଲେଡ୍‌, ସେଫ୍ଟି ପିନ୍‌ ଓ କ୍ଲିପ୍‌ । ପେଟରେ ଭିଷଣ ଯନ୍ତ୍ରଣା ହେବାରୁ ଡାକ୍ତର କହିଲେ ତୁରନ୍ତ ଅପରେସନ୍‌ ଦରକାର । ତା’ପରେ..

Surgery

ପେଟରୁ ବାହାରିଲା ୧୩ଟି ହେୟାର କ୍ଲିପ୍‌ । କେବଳ ଏତିକି ନୁହେଁ ଏହା ସହ ବାହାରିଲା ପାଞ୍ଚ ପାଞ୍ଚଟି ସେଫ୍ଟି ପିନ୍‌ ଓ ରେଜର୍‌ ବ୍ଲେଡ୍‌ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ସ୍ୱାଭାବିକ ଭାବରେ ପ୍ରଶ୍ନ ଆସୁଥିବ ପେଟ ଭିତରକୁ ଏସବୁ ଗଲା କେମିତି ? ଧାରୁଆ ଅସ୍ତ୍ର ପେଟରେ ଥାଇ ମଣିଷ ବଞ୍ଚିଛି କେମିତି ? କିନ୍ତୁ ଘଟଣାଟି ପୂରା ସତ ।

କଷ୍ଟ ହେଉଥିଲା, କିନ୍ତୁ ସେ ଜାଣି ପାରୁନଥିଲେ । କାରଣ ସେ ମାନସିକ ଅନଗ୍ରସର ଥିଲେ । କିନ୍ତୁ ତାଙ୍କର କଷ୍ଟକୁ ବାପାମାଆ ଅନୁଭବ କରିପାରିଥିଲେ । ଏବଂ ଜାଣିବାକୁ ଚାହିଁଥିଲେ ୨୦ ବର୍ଷର ଭେଣ୍ତା ପୁଅର ଅସ୍ୱାଭାବିକ ଆଚରଣ ପଛର କାରଣ କ’ଣ ? ଯେତେବେଳେ ପୁଅର ହଠାତ୍‌ ରକ୍ତ ବାନ୍ତି ହୋଇଥିଲା ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଡାକ୍ତର ପରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ କି ପେଟରେ କାହିଁ କେତେଦିନରୁ ବ୍ଲେଡ୍‌, ସେଫ୍ଟି ପିନ୍‌ ଓ କ୍ଲିପ୍‌ ରହିଛି । ତୁରନ୍ତ ଅପରେସନ୍‌ ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର ।

ଯେହେତୁ ଯୁବକ ଜଣକ ମାନସିକ ଅନଗ୍ରସର, ତେଣୁ ଅପରେସନ୍‌ଟି ବେଶ୍‌ ଚ୍ୟାଲେଞ୍ଜି ରହିଥିଲା । ତେବେ ଏହି ଅପରେସନ୍‌ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଗଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଯୁବକଙ୍କର ଓପନ୍‌ ସର୍ଜରୀ କରାଗଲା । ଏଣ୍ତୋସ୍କୋପିରୁ ଜଣାପଡ଼ିଥିଲା ଯେ, ଯୁବକଙ୍କ ପେଟରେ ଏକ ମାଂସ ପିଣ୍ତୁଳା ରହିଛି ଏବଂ ଏହା ଉପରେ ବ୍ଲେଡ୍‌, କ୍ଲିପ୍‌ ସବୁ ଗୁଡ଼ାଇ ହୋଇ ରହିଛି । ପାଟି ପଟେ ପାଇପ୍‌ ପୁରାଇ ସେହି ବସ୍ତୁ ଗୁଡ଼ିକୁ କାଢ଼ିବାରେ ସଫଳ ହେଲେ ଡାକ୍ତର । ତେବେ ଯୁବକ ଜଣକ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ।

ଯୁବକ ଜଣକ ଅଗଷ୍ଟ ୭ ରେ ମେଡିକାଲରେ ଆଡମିଟ୍‌ ହୋଇଥିଲେ ଏବଂ ତା’ପରଦିନ ଡିସଚାର୍ଜ ହୋଇଯାଇଥିଲେ । ସୂଚନାନୁଯାୟୀ ଯୁବକ ଜଣକ ପିଲାଟି ଦିନରୁ ମାନସିକ ଅନଗ୍ରସର ଥିଲେ ।