ସେନାର ଅଗ୍ନିପଥ ସ୍କିମକୁ ବିରୋଧ : ଟ୍ରେନ ଉପରକୁ ପଥରମାଡ଼ ଓ ରାସ୍ତା ଅବରୋଧ କରି ହଙ୍ଗାମା

ମାତ୍ର ୪ ବର୍ଷ ପାଇଁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ମିଳୁଥିବାରୁ ଏହାକୁ ବିରୋଧ କରାଯାଇଛି ।

ଅଗ୍ନିପଥ ସ୍କିମକୁ ନେଇ ବିରୋଧ

ଅଗ୍ନିପଥ ସ୍କିମକୁ ବିରୋଧ । ସେନା ଦ୍ୱାରା ୪ବର୍ଷ ପାଇଁ ଯୁବକମାନଙ୍କୁ ଅଗ୍ନିବୀର ଭାବରେ ନିଯୁକ୍ତ କରୁଥିବା ଅଗ୍ନିପଥ ସ୍କିମକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି। ଏହା ବିହାରରୁ ଆରମ୍ଭ ହୋଇଛି, ବକ୍ସରରେ ଯୁବକମାନେ ଟ୍ରେନ ଉପରକୁ ପଥର ମାଡ଼ କରିଥିବା ବେଳେ ମୁଜାଫରପୁରରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି ।

ପାଟନା ଯାଉଥିବା ପାଟଳିପୁତ୍ର ଏକ୍ସପ୍ରେସକୁ ପଥରମାଡ଼ କରିଛନ୍ତି ଉତକ୍ଷିପ୍ତ ଯୁବକ । ତେବେ ଏହି ସମୟରେ କାଶୀ ପାଟନା ଜନ ଶତାଦ୍ଦୀ ଏକ୍ସପ୍ରେସ ପ୍ଲାଟଫର୍ମ ନମ୍ବର ୧ରେ ପ୍ରାୟ ୧୮ ମିନିଟ୍ ପାଇଁ ଅଟକି ରହିଥିଲା । ଏହି କାରଣରୁ ପ୍ରଶାସନ ଏବଂ ଯାତ୍ରୀମାନେ ଚିନ୍ତାରେ ପଡ଼ିଯାଇଥିଲେ । ତେବେ ପରେ ସ୍ୱାଭାବିକ ହୋଇଥିବା ସ୍ଥିତି ।

ଅନ୍ୟପକ୍ଷରେ ମୁଜାଫରପୁରରେ ମଧ୍ୟ ଯୁବକମାନେ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ବିକ୍ଷୋଭକାରୀ ଯୁବକମାନେ ମୁଜାଫରପୁର ରେଳ ଷ୍ଟେସନ ନିକଟସ୍ଥ ଛକ ଠାରେ ଏକ ହଙ୍ଗାମା ସୃଷ୍ଟି କରିଥିଲେ । କେବଳ ଏତିକି ନୁହେଁ ଯୁବକମାନେ ଚକରେ ନିଆଁ ଲଗାଇ ରାସ୍ତା ଅବରୋଧ ମଧ୍ୟ କରିଥିଲେ । ସଦର ପୋଲିସ ଷ୍ଟେସନ ନିକଟ ଭଗବାନପୁର ଗୋଲାମ୍ବରରେ ବହୁ ସଂଖ୍ୟକ ଯୁବକ ମଧ୍ୟ ଏକାଠି ହୋଇଥିଲେ । ତେବେ ସେମାନଙ୍କୁ ମନାଇବା ପାଇଁ ପୋଲିସ ଏବଂ ପ୍ରଶାସନ ଚେଷ୍ଟା କରୁଛି । ଯୁବକମାନେ କହିଛନ୍ତି , ମାତ୍ର ୪ ବର୍ଷ ପାଇଁ ଚାକିରି ଦେବା ନିଯୁକ୍ତି ଅଧିକାରର ଉଲ୍ଲଂଘନ ଅଟେ ।

ସୂଚନାଯୋଗ୍ୟ ମଙ୍ଗଳବାର ନିଜେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତିନି ସେବାର ମୁଖ୍ୟମାନେ ଦିଲ୍ଲୀରେ ଏହି ଯୋଜନାର ଘୋଷଣା କରିଛନ୍ତି। ସାଢେ ୧୭ ବର୍ଷରୁ ୨୧ ବର୍ଷର ଯୁବକଯୁବତୀଙ୍କୁ ଏହି ସ୍କିମରେ ନିଯୁକ୍ତି ମିଳିବ । ଦଶମ ପାସ୍ ଓ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବକଯୁବତୀ ଅଗ୍ନିବୀର ପଦବୀ ଲାଗି ଆବେଦନ କରିପାରିବେ । ଆସନ୍ତା ୩ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଜୁଲାଇ ୨୦୨୩ ସୁଦ୍ଧା ଅଗ୍ନିବାରୀଙ୍କ ପ୍ରଥମ ବ୍ୟାଚ୍ ସେନାରେ ଯୋଗଦେବେ । ଏମାନଙ୍କୁ ସେନାରେ ସଂପୂର୍ଣ୍ଣ ରୂପେ ମିଶ୍ରଣ କରାଯିବ । ଅର୍ଥାତ୍ ନିୟମିତ ସୈନ୍ୟ ଓ ଏମାନଙ୍କ ମଧ୍ୟରେ କୌଣସି ପ୍ରାର୍ଥକ୍ୟ ରହିବ ନାହିଁ ।

ଏହି ସ୍କିମ ଅନ୍ତର୍ଗତ ନିଯୁକ୍ତ ସୈନ୍ୟ ଅଗ୍ନିବୀର ନାମରେ ତିନି ବାହିନୀରେ ଭର୍ତ୍ତି ହେବେ । ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ, ତିନି ବାହିନୀ ଠାରୁ ପୃଥକ ହେବ ଅଗ୍ନିବୀର ପଦବୀ । ସେହିପରି ଏମାନଙ୍କ ଚାକିରୀ ଅବଧି ୬ ମାସ ପ୍ରଶିକ୍ଷଣକୁ ମିଶାଇ ମୋଟ ୪ ବର୍ଷ ହେବ । ତେବେ ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ । ତେବେ ଏମାନଙ୍କର ଆଉ ଥରେ ସ୍କ୍ରିନିଂ କରାଯିବ ।

ଯେଉଁମାନେ ୪ ବର୍ଷ ପରେ ଅବସର ନେବେ ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ । ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ । ମାତ୍ର ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି ସେନାରେ କାର୍ଯ୍ୟ କରିବେ । ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ । ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ ।

ସେହିପରି ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ । ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୫ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ବି ମିଳିବ । ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରୀ ମଧ୍ୟ କରିପାରିବେ ।