Mahakumbha 2025:ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ

କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ । 

ସ୍ୱତନ୍ତ୍ର ବ୍ୟବସ୍ଥା

ମହାକୁମ୍ଭ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ସାଧୁସନ୍ଥମାନେ ଆସି ଯୋଗଦେବେ । ତେବେ ମହାକୁମ୍ଭ ୨୦୨୫କୁ ଆରାମଦାୟକ ଓ ସ୍ମରଣୀୟ କରି ରଖିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥର ଲକ୍ଷ୍ୟ ରହିଛି ମହାକୁମ୍ଭ ସ୍ଥଳକୁ ସଫାସୁତୁରା ଓ ସ୍ୱାସ୍ଥ୍ୟକର କରାଯିବ । ମେଳା ସମୟରେ ମାସାଧିକ କାଳ ଏହି ସ୍ଥାନରେ ମଶାମାଛି ଉଡିବେନି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଦିଆଯାଇଛି । ଆସନ୍ତା ମାସ ୧୩ ତାରିଖରୁ ଆରମ୍ଭ ହେଉଥିବା ଏହି ଭବ୍ୟ ମେଳାରେ ଏଥର ଦେଖିବାକୁ ମିଳିବନି ମଶା, ମାଛି ଓ ଡାଆଁସ ।

ଏହି ନୂଆ ବ୍ୟବସ୍ଥାରେ ସ୍ୱୟଂଚାଳିତ ମିଷ୍ଟ ବ୍ଲୋୟର୍ ମେସିନ ସବୁ ଲଗାଯିବ । କଲ୍ ପାଇବାର ୩୦ ମିନିଟ ଭିତରେ ମହାକୁମ୍ଭ ମେଳା ଅଞ୍ଚଳରେ ମଶାମାଛିଙ୍କୁ ତଡାଯିବାର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁମାନଙ୍କୁ ସ୍ୱାସ୍ଥ୍ୟକର ପରିବେଶରେ ରଖାଯିବ । କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ ।  ଏହି ଆଧୁନିକ ମେସିନ ଗୁଡିକ କ୍ୟାମ୍ପର ପରିବେଶକୁ ମୋଟାମୋଟି ଭାବେ ଭଲ ରଖିବା ସହ ସ୍ୱାସ୍ଥ୍ୟକର ପରିବେଶର ସୁଖଦ ଅନୁଭୂତି ଦେବ । ମେଳା ସରିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ରହିବ ।

ଅଧିକ ପଢନ୍ତୁ:କୁମ୍ଭମେଳାରେ ହେବେନି ବାଟବଣା; ରାସ୍ତା ଦେଖାଇବ ‘କୁମ୍ଭ ସହାୟକ ଚାଟ୍‌ବଟ୍‌’

ମହାକୁମ୍ଭର ନୋଡାଲ୍ ଯୁଗ୍ମ ନିର୍ଦ୍ଦେଶକ ( ଭେକ୍ଟର କଣ୍ଟ୍ରୋଲ ) ଡାକ୍ତର ଭି ପି ସିଂହ କହିଛନ୍ତି ଯେ, ମଶାମାଛିଙ୍କୁ ମାରିବା ପାଇଁ ଔଷଧ ମଧ୍ୟ ସ୍ପ୍ରେ କରାଯିବ । ମେଳାରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୬୨ଟି ପଲ୍ସ ଫଗିଂ ମେସିନ ମଧ୍ୟ ମଗାଯାଇଥିବା ସେ କହିଛନ୍ତି । ଏଥି ସହିତ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭଲମନ୍ଦ ବୁଝିବା ପାଇଁ ୭୮ ଜଣ ସ୍ୱତନ୍ତ୍ର ଅଫିସରଙ୍କୁ ନିୟୋଜିତ କରାଯିବ । ମେଳା ସ୍ଥାନ ଓ ଲୋକଙ୍କ ରହିବା ସ୍ଥାନରେ ମ୍ୟାଲେରିଆ ଇନ୍ସପେକ୍ଟରଙ୍କୁ ମଧ୍ୟ ରହିବା ପାଇଁ କୁହାଯାଇଛି । ଏହି ଇନ୍ସପେକ୍ଟରମାନେ ଆଖଡାକୁ ଯାଇ ସାଧୁସନ୍ଥଙ୍କ ସହ ଆଲୋଚନା କରିବା ସହ ମଶାମାଛି ସମସ୍ୟା ଥିଲେ ତୁରନ୍ତ ପଦକ୍ଷେପ ନେବେ । ଏହି କାମରେ ୪୫ ଜଣ ମ୍ୟାଲେରିଆ ଇନ୍ସପେକ୍ଟର ଓ ୨୮ ଜଣ ଆସିଷ୍ଟାଣ୍ଟ ମ୍ୟାଲେରିଆ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯିବ । ଏମାନଙ୍କ ବ୍ୟତୀତ ଜିଲ୍ଲା ମ୍ୟାଲେରିଆ ଅଫିସରମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ସମାଧାନ କରିବେ । ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଦେବା ପାଇଁ ସରକାର ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ:ଭୋଜନପ୍ରିୟ କାଳିଆ: ପତ୍ନୀଙ୍କ ଅନୁପସ୍ଥିତିରେ ଖାଆନ୍ତି ମାଆ ହାତରନ୍ଧା ୨୪ ପ୍ରକାର ବ୍ୟଞ୍ଜନ