Advertisment

Dhanu Sankranti: ଭୋଜନପ୍ରିୟ କାଳିଆ: ପତ୍ନୀଙ୍କ ଅନୁପସ୍ଥିତିରେ ଖାଆନ୍ତି ମାଆ ହାତରନ୍ଧା ୨୪ ପ୍ରକାର ବ୍ୟଞ୍ଜନ

ବିଚିତ୍ର ଆମ ଓଡ଼ିଆ ଧାର୍ମିକ ପରମ୍ପରା। ସାଧାରଣ ମଣିଷ ପରି ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳଣୀ। ୧୧ ମାସ ଧରି ସେ ପତ୍ନୀ ଲକ୍ଷ୍ମୀଙ୍କ ହାତରନ୍ଧା ଖାଆନ୍ତି। କିନ୍ତୁ ଗୋଟିଏ ମାସ ଖାଆନ୍ତି ମାଆଙ୍କ ହାତରନ୍ଧା। ଶ୍ରୀମନ୍ଦିରରେ ଏହାକୁ କୁହାଯାଏ ପହିଲି ଭୋଗ। ଏହି ଭୋଗରେ କଣ ସବୁ ମାଆ ତା ପୁଅ ପାଇଁ ରାନ୍ଧେ ଜାଣନ୍ତୁ।

author-image
Otv Khabar Bureau
ଅଦ୍ୟତନ ହୋଇଛି
ଓଡ଼ିଶାରେ ଧନୁ ସଂକ୍ରାନ୍ତି

ଓଡ଼ିଶାରେ ଧନୁ ସଂକ୍ରାନ୍ତି

ଓଡ଼ିଆ ଘରେ ବାର ମାସରେ ପଡ଼େ ତେର ପରବ। ଯଦିଓ ଆମର ଜାତୀୟ ପର୍ବ ଅନେକ ରହିଛି, ହେଲେ ଓଡ଼ିଆଙ୍କର ଅଧିକାଂଶ ପର୍ବ ଏହି ଜାତିର ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସହିତ ଜଡ଼ିତ ରହିଥାଏ। ଏହିଥିରୁ ଗୋଟିଏ ହେଲା ‘ଧନୁ ସଂକ୍ରାନ୍ତି’। ପୌଷ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହା ପ୍ରାୟତଃ ଡିସେମ୍ବର ୧୪ ବା ୧୫ ତାରିଖ ବେଳକୁ ପଡ଼ିଥାଏ। ଏହି ତିଥିରୁ ହିଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପହିଲି ଭୋଗ ଆରମ୍ଭ ହୋଇଥାଏ। ଯାହାକି ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି ଅର୍ଥାତ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥାଏ।

Advertisment

ଧନୁ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ। ଗୋପାଳ ବଲ୍ଲଭ ପରେ ମହାପ୍ରଭୁଙ୍କର ପହିଲି ଭୋଗ ନୀତି କରାକଯାଇଥାଏ। ଏହି ଅବସରରେ ୨୪ ପ୍ରକାରର ପିଠା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ ଲାଗିଥାଏ। ରାତି ୨ଟାରୁ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ପରେ, ଭୋର ସମୟରୁ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଥାଏ। ଅର୍ଥାତ କାଉ କା କହିବା ପୂର୍ବରୁ ପହିଲି ଭୋଗ ନୀତି ସମ୍ପନ୍ନ ହେବାର ପରମ୍ପରା ଅଛି। ମାଆ ଯଶୋଦା ତାଙ୍କ ଅଲିଅଳ ପୁଅ ଶ୍ରୀକୃଷ୍ଣଙ୍କୁ ଅନେକ ପ୍ରକାର ପିଠା ଖୁଆଇଥାନ୍ତି। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପହିଲି ନୀତି ପାଳନ ହୋଇଥାଏ।

ମହାପ୍ରଭୁଙ୍କର କ୍ଷେତ୍ର ଶ୍ରୀକ୍ଷେତ୍ରରେ ‘ପହିଲି ଭୋଗ’ ଏକ ନିଆରା ପରମ୍ପରା। ଏହି ସମୟରେ ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ। ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ। ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି- ଏ ସଂକ୍ରାନ୍ତିର ନାମ ମହୋଦରୀ। ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସୀସା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ। ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ। ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ। ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ।

Advertisment

ମହାସୁଆର ନିଯୋଗର ସମ୍ପାଦକ ତଥା ସେବକ ଗଣେଶ୍ୱର ମହାସୁଆର, ଧନୁ ସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତି ସଂପର୍କ କୁହନ୍ତି- ମହାପ୍ରଭୁ ବର୍ଷର ୧୧ ମାସ ପତ୍ନୀ ମହାଲକ୍ଷ୍ମୀଙ୍କର ହାତରନ୍ଧା ଖାଇଥାନ୍ତି। ଏହି ଗୋଟିଏ ମାସ ସେ ମାଆ ଯଶୋଦାଙ୍କ ହାତରନ୍ଧା ଖାଇବାର ପରମ୍ପରା ରହିଛି। ମାଆ ଯଶୋଦା ଅତି ଆଦରରେ ପୁଅ ପାଇଁ ୨୪ ପ୍ରକାର ଦୁର୍ଲଭ ଓ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ଯାହାକୁ ନୀତି ଅନୁଯାୟୀ ପହିଲି ଭୋଗ ବୋଲି କୁହାଯାଇଥାଏ।

ଏହି ୨୪ ପ୍ରକାର ଭୋଗରେ ଅଧିକାଂଶ ହେଉଛି ପିଠା ବ୍ୟଞ୍ଜନ। ଏସବୁ ବିରି ଓ ଗହମରୁ ପ୍ରସ୍ତୁତ ହୋଇଥାଏ। ସେଗୁଡ଼ିକ ମଧ୍ୟରୁ କେତେକ ହେଉଛି- ଅମ୍ବାଲୁ, ଛତୁ, କାକେରି, ଗଇଁଠି, ଟିକିଲି, ତରସୁଆବୋଡ଼ା, ମୁଗେଇ, କଣ୍ଟେଇ ପ୍ରଭୃତି। ଏହି ପ୍ରସାଦ ବିକ୍ରି ହୁଏନାହିଁ। ଏହା କେବଳ ପାଳିଆମାନେ ପାଇଥାନ୍ତି। ଦେଉଳକରଣ ଓ ତଡ଼ଉକରଣ ଏହି ଭୋଗରୁ କିଛି ରାଜଉଆସକୁ ନେଇକି ଯାଆନ୍ତି। ମହାପ୍ରଭୁଙ୍କର ଦୈନିକ ସେବାପୂଜା କରୁଥିବା ସେବାୟତଙ୍କୁ ଏହି ଖେଇ ପ୍ରସାଦ ଦିଆଯାଇଥାଏ। ଭୋଗ ପ୍ରସ୍ତୁତ କରିଥିବା ସୁଆର ମହାସୁଆରଙ୍କୁ ମଧ୍ୟ ଏଥିରୁ କିଛି ମିଳିଥାଏ।

Festivals Odisha
Advertisment
Advertisment