ପ୍ରଶାସନର ନିୟମ ମାନିଲେ ପ୍ରଧାନମନ୍ତ୍ରୀ ମୋଦି : ମାଇକରେ ଦେଲେନି ଭାଷଣ

ରାତି ୧୦ଟା ପରେ ମାଇକରେ ଭାଷଣ ଦେଲେନି, ପ୍ରଶାସନର ନିୟମ ଅନୁସାରେ ରାତିରେ ମାଇକ୍ ବଜାଇବା ମନା

ପ୍ରଧାନମନ୍ତ୍ରୀ ମାନିଲେ ନିୟମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନିଲେ ପ୍ରଶାସନର ନିୟମ । ମାଇକରେ ଭାଷଣ ଦେବାପାଇଁ ମନା କଲେ । କାରଣ ରାତି ୧୦ଟା ପରେ ମାଇକ୍ ବଜାଇବାକୁ ବାରଣ କରିଥିଲା ସ୍ଥାନୀୟ ପ୍ରଶାସନ । ଆଉ ସାଧାରଣ ଲୋକଙ୍କ ପରି ନିୟମ ମାନିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି । ଲୋକଙ୍କୁ ଅଭିବାଦନ ଜଣାଇ ଆଉ ଥରେ ପୁଣି ଆସିବେ କହି ଫେରିଗଲେ । ତେବେ ମାଇକରେ ଭାଷଣ ଦେବାରୁ ବିରତ ରହି ସେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଗତକାଲି ରାଜସ୍ଥାନ ଆବୁ ରୋଡରେ ମୋଦିଙ୍କ ଏକ କାର୍ଯ୍ୟକ୍ରମ ଥିଲା । ହେଲେ ସଠିକ୍‌ ସମୟରେ ପହଞ୍ଚି ପାରିନଥିଲେ ପ୍ରଧାନନ୍ତ୍ରୀ । ଡେରିରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ପ୍ରଶାସନର ନିୟମ ଅନୁସାରେ ଆବୁ ରୋଡ୍ ଅଞ୍ଚଳରେ ରାତି ୧୦ଟା ପରେ ମାଇକ୍ ବଜାଇବା ମନା । ଏହି ନିୟମକୁ ମାନି ମାଇକରେ ଭାଷଣ ଦେଲେନି । ମୋଦି ସେଠାରେ ବିନା ମାଇକରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଆଉ ଥରେ ନିଶ୍ଚୟ ଆସିବେ । ଲୋକଙ୍କ ଭଲ ପାଇବାର ମୂଳ, ସୁଧ ସହିତ ଫେରାଇବେ । ଆସିବାରେ ଡେରି ହୋଇଥିବାରୁ ସେ ଲୋକଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ଶୁଣିବା ପାଇଁ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଲୋକ ପହଞ୍ଚିଥିଲେ । ସମସ୍ତେ ନିଜ ନିଜ ଫୋନର ଫ୍ଲାସଲାଇଟ୍ ଅନ୍ କରି ମଞ୍ଚରେ ମୋଦିଙ୍କୁ ସ୍ୱାଗତ କରିଥିଲେ । ଆଉ ପ୍ରଧାନମନ୍ତ୍ରୀ ମୋଦି ଘଟଣାସ୍ଥଳରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ସେପଟେ ପୁଣି ଆସିବା ପାଇଁ ମୋଦି ପ୍ରତିଶ୍ରୁତି ଦେବା ପରେ ଲୋକ ଖୁସି ହୋଇଥିଲେ । ତେବେ ପ୍ରଶାସନ ନିୟମ ମାନି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମୋଦି ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯ ଏବଂ ୩୦ ସେପ୍ଟେମ୍ବରରେ ଗୁଜୁରାଟ ଗସ୍ତରେ ଥିଲେ । ସେଠାରେ ସେ ବିଭିନ୍ନ ସହରରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ଗୁଜୁରାଟକୁ ୨୯ ହଜାର କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଉପହାର ଦେଇଛନ୍ତି । ତାଙ୍କର ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧିନଗରରୁ ଅହମ୍ମଦାବାଦ ଫେରୁଥିବା ବେଳେ ଆମ୍ବୁଲାନ୍ସ ପାଇଁ ନିଜ ଗାଡ଼ି ଅଟକାଇ ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା ।