ଡିଜିଟାଲ ଯୁଗରେ ପିଲାମାନେ କମ୍ପ୍ୟୁଟର, ଇଣ୍ଟରନେଟ, ମୋବାଇଲ ବ୍ୟବହାରରେ ଅଭ୍ୟସ୍ତ । ପିଲା ଦିନରୁ ସମସ୍ତଙ୍କ ହାତରେ ବହି ବଦଳରେ ଗୋଟିଏ ଗୋଟିଏ ମୋବାଇଲ । ଅନଲାଇନ ଗେମ ପାଇଁ ଖେଳପଡ଼ିଆ ଭୁଲି ସାରିଲେଣି କୁନି କୁନି ପିଲା । ଏଥିରେ ବାପାମା’ଙ୍କର ମଧ୍ୟ କମ ଅବଦାନ ନାହିଁ...। ଅଧିକାଂଶ ବାପାମା’ଙ୍କର କଡ଼ା ତାଗିଦ୍ ପଡ଼ିଆକୁ ଯାଇ ଖେଳିବା ଆବଶ୍ୟକ ନାହିଁ। ଗୋଡ଼ ହାତ ଅପରିଷ୍କାର ହେବ। ହ୍ୟାଣ୍ଡୱାଶ୍ ଦେଇ ନ ଧୋଇଲେ ବିଭିନ୍ନ ପ୍ରକାର ଜୀବାଣୁ ଶରୀର ଭିତରକୁ ଯିବେ। ଶିକ୍ଷକମାନେ ମଧ୍ୟ ଏ ଦିଗରେ ବେଶ୍ ସଚେତନ। ଖେଳିବାକୁ ଛାଡ଼ିବେ କାହିଁକି, ବିପଦକୁ ନିମନ୍ତ୍ରଣ କରିବେ କାହିଁକି ?
ଦିନ ଥିଲା ସ୍କୁଲ ଛୁଟି ହେବାମାତ୍ରେ ପିଲାମାନେ ପଡ଼ିଆକୁ ଖେଳିବା ପାଇଁ ଦୌଡ଼ି ଯାଉଥିଲେ । ଘର ଲୋକଙ୍କ ଆକଟ ସତ୍ତ୍ୱେ ସନ୍ଧ୍ୟା ପର୍ଯ୍ୟନ୍ତ ସାଙ୍ଗସାଥୀ ମେଳରେ ବିଭିନ୍ନ ପ୍ରକାର ଖେଳରେ ଦିନ କଟୁଥିଲା ସେମାନଙ୍କର । ହେଲେ ବର୍ତ୍ତମାନ ଯୁଗ ପରିବର୍ତ୍ତନ ହେବା ସଙ୍ଗେ ପିଲାଙ୍କର ଖେଳିବାର ଢଙ୍ଗରେ ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଉ ଆଗ ପରି ପିଲାମାନେ ପଡ଼ିଆକୁ ବ୍ୟାଟବଲ୍ ଧରି ଦୌଡ଼ି ଯାଉନାହାନ୍ତି । ବରଂ ଘଣ୍ଟା ଘଣ୍ଟା ଧରି ଲ୍ୟାପଟପ୍ କିମ୍ବା ମୋବାଇଲରେ ଭିଡିଓ ଗେମ ଖେଳୁଛନ୍ତି । ସ୍କୁଲ, କିମ୍ବା ସହପାଠୀଙ୍କ ସହିତ ସାମାଜିକ ସମ୍ପର୍କ ଅପେକ୍ଷା ଆଜିର ପିଲାମାନେ ଡିଜିଟାଲ ସ୍କ୍ରିନ ସାମ୍ନାରେ ଅଧିକ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି ।
Also Read
ଯଦିଓ ଭିଡିଓ ଗେମ୍ ଖୁବ ମଜାଦାର ଏବଂ କେବେ କେମିତି ଶିକ୍ଷଣୀୟ ମଧ୍ୟ ହୋଇପାରେ କିନ୍ତୁ ପରିବାର ଏବଂ ସାଙ୍ଗମାନଙ୍କ ସ୍ଥାନ ଏହା ନେଇ ପାରିବ ନାହିଁ । ପ୍ରଯୁକ୍ତିର ମାତ୍ରାଧିକ ବ୍ୟବହାର ଯୋଗୁଁ ନୂଆ ସମସ୍ୟା ସୃଷ୍ଟି ହୋଇଛି, ଯାହାର ସମାଧାନର ଆବଶ୍ୟକତା ରହିଛି । ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ଗେମିଂ ନୂତନ ସମସ୍ୟା ଭାବରେ ଉଭା ହୋଇଛି । ରୋବଲକ୍ସ, ଫ୍ରି ଫାୟାର ଓ ପବଜି ପରି ଗେମିଂ ପ୍ଲାଟଫର୍ମ କିଶୋର ବୟସର ପିଲାଙ୍କୁ ପାଗଳ କରିଛି କହିଲେ ଚଳେ ।
କୁନି ପିଲାଙ୍କ କୁନି ମନ ସହ ଖେଳୁଛି ଭିଡିଓ ଗେମ
ରୋବଲକ୍ସ ବିଶ୍ୱର ସବୁଠାରୁ ବଡ଼ ଗେମିଂ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ । ଯେଉଁଥିରେ ଦୈନିକ ୮୦ ପ୍ରତିଶତ ସକ୍ରିୟ ୟୁଜର ଅନଲାଇନ ଗେମ ଖେଳନ୍ତି । ଏଥିରେ ୪୦ ପ୍ରତିଶତ ୟୁଜରଙ୍କ ବୟସ ୧୩ ବର୍ଷରୁ କମ । ଏହି ପ୍ଲାଟଫର୍ମରେ ଅନୁଚିତ କଣ୍ଟେଣ୍ଟ, ଗାଳିଗୁଲଜ ହେଉଥିବା ପରି ଅନେକ ଅଭିଯୋଗ ହେଉଛି । ଆଉ ନିଜର ଅଜାଣତରେ କୁନି କୁନି ପିଲାମାନେ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ଆରମ୍ଭ କରୁଛନ୍ତି । ଦିନକୁ ଦିନ ଏହା ଏଭ ଅଭ୍ୟାସରେ ପରିଣତ ହୋଇଯାଉଛି । ଯେଉଁ ବାପାମା’ମାନେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି,ସେମାନେ ନିଜ ପିଲାଙ୍କୁ ଏହି ଗେମିଂ ପ୍ଲାଟଫର୍ମରୁ ଦୂରେଇ ରଖନ୍ତୁ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି । ଅସହଜ ଅନୁଭବ କରୁଥିଲେ ଏହି ଫ୍ଲାଟଫର୍ମ ବ୍ୟବହାର କରନ୍ତୁ ନାହିଁ ବୋଲି ନିଜେ ରୋବଲକ୍ସର ସିଇଓ କହିଛନ୍ତି ।
କିଶୋରବସ୍ଥା ଓ ଭିଡିଓଗେମ
ବର୍ତ୍ତମାନ ସମୟରେ ଭିଡିଓ ଗେମ ପିଲାଙ୍କ ଜୀବନର ଏବ ପ୍ରଧାନ ଅଂଶ ହୋଇଯାଇଛି । ବିଜିଏମଆଇ ଓ ଫ୍ରିଫାୟାର ପରି ରୟାଲ ଫାଇଟର ଗେମ ଗୁଡ଼ିକ ପିଲାଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିବାବେଳେ ରୋବଲକ୍ସ ଏବଂ ମାଇନାକ୍ରାଫ୍ଟ ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କୁ ଆକର୍ଷିତ କରିଥାଏ । ଅନେକଙ୍କ ପାଇଁ ଗେମିଂ ପ୍ଲାଟଫର୍ମ ଖେଳ ଖେଳିବା ଠାରୁ ଅଧିକ ଏକ ଡିଜିଟାଲ୍ ଗପସପର ସ୍ଥାନ ପାଲଟିଯାଇଛି । ସ୍କୁଲ ସାଙ୍ଗମାନଙ୍କ ଅପେକ୍ଷା ଏଠାରେ ଥିବା ସାଙ୍ଗ ଅଧିକ ପ୍ରିୟ ଲାଗୁଛନ୍ତି । ହେଲେ ଅନଲାଇନ ଗେମିଂର ଅଭ୍ୟାସରେ ପଡ଼ି କିଶୋରମାନେ ଭୁଲ ରାସ୍ତାକୁ ଆପଣାଇ ନେଉଛନ୍ତି । ନିଜ ଅଜାଣତରେ ଗେମିଂ ଦୁନିଆର ଜାଲରେ ଛନ୍ଦି ହୋଇ ପଡ଼ୁଛନ୍ତି, ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଉଛି । ଅଭିଭାବକଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ ।
ପିଲାମାନେ ଅନଲାଇନରେ ଅପରିଚିତ ଲୋକଙ୍କ ସହ କଥା ହେବା ସହ ବନ୍ଧୁତା କରୁଛନ୍ତି । ଇ-ସ୍ପୋର୍ଟସ ଓ ଷ୍ଟ୍ରିମିଂ ସଂସ୍କୃତି କିଶୋରଙ୍କୁ ଗେମିଂ ଦୁନିଆକୁ ଟାଣି ନେଉଛି ଓ ସେମାନଙ୍କ ଆଶାକୁ ବୃହତ ଆକାର ଦେଉଛି । ଅଧିକାଂଶ ଅନଲାଇନରେ ଖେଳକୁ ଏକ ଟାଇମପାସ ଭାବରେ ଆରମ୍ଭ କରିଥାଆନ୍ତି,କିନ୍ତୁ ଥରେ ଏ ଅଭ୍ୟାସ ଲାଗିରେ ସହଜରେ ଛାଡ଼ିବା ମୁସ୍କିଲ ।
୨୦୨୩ର ଷ୍ଟାଟିଷ୍ଟା ସର୍ଭେ ଅନୁସାରେ ୭୫ ପ୍ରତିଶତ ଗେମର୍ସ ଅନଲାଇନ ପ୍ଲାଟଫର୍ମ ସହ ଯୋଡ଼ିହେବାର ଏକ ବର୍ଷ ମଧ୍ୟରେ ଧୋକାଦାରୀ ଓ ଉତ୍ପୀଡ଼ନ ପରି ବିଷାକ୍ତ ବ୍ୟବହାରର ସମ୍ମୁଖୀନ ହେଉଛନ୍ତି । ଛୋଟ ଛୋଟ ପିଲାମାନେ ଡାଇନାମୋ ଗେମିଂ, କ୍ୟାରିମିନାଟି, ମୋଟେଲ, ଜୋନାଥନ ଗେମିଂ ଓ ଟୋଟାଲ ଗେମିଂ ପରି ଷ୍ଟ୍ରିମରଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । ବିଡ଼ମ୍ବନାର ବିଷୟ କ୍ୟାରିମିନାଟି ଭଳି କିଛି ଗେମର୍ସ ଅଶ୍ଳୀଳ ଭାଷାର ବି ପ୍ରୟୋଗ କରନ୍ତି । ୨,୫୦୦ରୁ ଅଧିକ କିଶୋର ସମେତ ଯୁବକଙ୍କୁ ନେଇ ହୋଇଥିବା ସର୍ଭେ ଅନୁସାରେ ୫୩ ପ୍ରତିଶତ ଲୋକ ଅନଲାଇନ ଗେମିଂ ପ୍ଲାଟଫର୍ମରେ ଧମକଚମକର ଶିକାର ହେଉଛନ୍ତି, ସେମାନଙ୍କ ମଧ୍ୟରୁ ୭୦% ଲୋକ ଏହାକୁ ଏକ ଗମ୍ଭୀର ସମସ୍ୟା ବୋଲି ମତପ୍ରକାଶ କରିଛନ୍ତି ।
ରୋବଲକ୍ସର ଅନ୍ଧାର କୋଠରୀରେ କ’ଣ ହୁଏ ?
ରୋବଲୋକ୍ସ ଏବଂ ମାଇକ୍ରାଫ୍ଟ ଭଳି ଅନଲାଇନ୍ ଗେମିଂ ପ୍ଲାଟଫର୍ମର ଅନ୍ଧାରୁଆ ପାର୍ଶ୍ୱ ବିଶେଷକରି କିଶୋର ଖେଳାଳିମାନଙ୍କ ପାଇଁ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ଏଥିରେ ୟୁଜର ଭର୍ଚୁଆଲ୍ ଦୁନିଆରେ ସ୍ୱତନ୍ତ୍ର କୋଠରୀ ସୃଷ୍ଟି କରି ସେଥିରେ ଅନୈତିକ କାମରେ ଲିପ୍ତ ହୁଅନ୍ତି । ଏଠାରେ ଭର୍ଚୁୁଆଲି କୁନି କୁନି ପିଲାଙ୍କ ସହ ଦୁର୍ବ୍ୟବହାର କରାଯାଏ । ବିବିସିର ଏକ ରିପୋର୍ଟରୁ ଜଣାପଡ଼ିଛି, ରୋବଲକ୍ସ ପ୍ଲାଟଫର୍ମରେ ଅନେକ ସମୟରେ ଅଶ୍ଳୀଳ କଣ୍ଟେଣ୍ଟ ଆସିଯାଏ । ଏଥିପାଇଁ ୨୦୨୪ରେ ତୁର୍କୀରେ ରୋବଲକ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କେବଳ କୁନି କୁନି ପିଲା ନୁହେଁ ଅନେକ ଆତଙ୍କବାଦୀ ସଂଗଠନ ଭିଡିଓ ଗେମିଂ ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରନ୍ତି । ଆତଙ୍କବାଦୀମାନେ ପ୍ରାୟତଃ ଆତଙ୍କବାଦର ପ୍ରଚାରପ୍ରସାର ଏବଂ ନିଯୁକ୍ତି ପାଇଁ ଗେମିଫିକେସନ୍ ବ୍ୟବହାର କରନ୍ତି। ସେମାନେ ବିନା କୌଣସି ପ୍ରତିବନ୍ଧକରେ ପରସ୍ପର ସହିତ ଜଡିତ ହେବା ପାଇଁ ଚାଟ୍ ବକ୍ସ ବ୍ୟବହାର କରନ୍ତି ।
ଆତଙ୍କବାଦୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ପର୍ଯ୍ୟନ୍ତ ଅନଲାଇନ୍ ପ୍ଲାଟଫର୍ମଗୁଡିକ କେବଳ ଖେଳ ଖେଳିବା ପାଇଁ ନୁହେଁ ଅନେକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି । ଏହି ପ୍ଲାଟଫର୍ମରେ ଗେମ ସହ ଆଡଲ୍ଟ କଣ୍ଟେଣ୍ଟ ଓ ଅନ୍ୟାନ୍ୟ ଅପରାଧିକ ଗତିବିଧି ମଧ୍ୟ ହୋଇଥାଏ । ଏନେଇ ଅନେକ ଲୋକ ନିଜର ଅନୁଭୂତି ବଖାଣିଛନ୍ତି । ଜଣେ ୟୁଜର କରିଛନ୍ତି, ଘରେ ବସି ବସି ବିରକ୍ତ ହେବାରୁ ରୋବଲକ୍ସରେ ଗେମ ଖେଳିବା ଆରମ୍ଭ କରିଥିଲି । ହେଲେ କିଛି ସମୟ ମଧ୍ୟରେ ଅନେକ ଅଶ୍ଚୀଳ ପୋଷ୍ଟର ତାଙ୍କ ମୋବାଇଲରେ ପପ ଅପ ହୋଇଥିଲା । ଖେଳ ଭିତରେ ଆଡଲ୍ଟ କଣ୍ଟେଣ୍ଟ ଆସିବା ସାଧାରଣ କଥା ହୋଇଗଲାଣି ବୋଲି ସେ କହିଛନ୍ତି ।
ଅନଲାଇନ ଗେମ ଖେଳିବା ସମୟରେ ଚାର୍ଟବକ୍ସରେ ଅନ୍ୟ ପିଲାଙ୍କ ସହ ଚାର୍ଟ କରନ୍ତି କୁନି କୁନି ପିଲା । ଫଳରେ ଅଳ୍ପ ବୟସରୁ ଯୌନ ଉଦ୍ଦୀପକ କଣ୍ଟେଣ୍ଟ ସମ୍ପର୍କରେ ଆସିଥାଆନ୍ତି । କୁନି ବୟସରେ ଅଧିକ ଜାଣବାର ଇଚ୍ଛା ଯୋଗୁଁ ସେମାନେ ଅଶ୍ଚୀଳ କଣ୍ଟେଣ୍ଟ ସର୍ଚ୍ଚ କରିବା ଆରମ୍ଭ କରନ୍ତି ।
ଅନ୍ୟପକ୍ଷରେ ରାତାରାତି ଧନୀ ହେବା ଲୋଭରେ ଅନଲାଇନ ଖେଳ ଖେଳି ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି କିଶୋରମାନେ। କହିବାକୁ ଗଲେ ଅନଲାଇନ ଗେମ୍ ବିଷମ ପରିସ୍ଥିତି ସୃଷ୍ଟି କରିଛି ।
ପିଲାଙ୍କ ପାଇଁ କାହିଁକି ସମସ୍ୟା ସୃଷ୍ଟି କରୁଛି ଅନଲାଇନ ଗେମ?
ଅନଲାଇନ ଗେମିଂର ସବୁଠାରୁ ବଡ଼ ବିପଦ ହେଉଛି ପିଲାମାନେ ମାନସିକ ଭାବେ ରୋଗୀ ହେବାରେ ଲାଗିଛନ୍ତି । ପିଲାଙ୍କ ମାନସିକ ସମସ୍ୟା ଏଥିପାଇଁ ଦୁଇଗୁଣା ବଢ଼ି ଯାଇଛି । ଲଗାତର ଗେମ ଖେଳିବା ଫଳରେ ପିଲାଙ୍କ ଠାରେ ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା ଓ ଆଖିରେ ସମସ୍ୟା ଭଳି ରୋଗ ହେଉଥିବା ଅଭିଯୋଗ ହେଉଛି । ଖେଳିବା ପାଇଁ ଡିଭାଇସ ନମିଳିଲେ ପିଲାମାନେ ହିଂସ୍ର ବି ହୋଇଯାଉଛନ୍ତି ।
ଗେମ ଖେଳିବା ସମୟରେ ପିଲାଙ୍କ ମସ୍ତିସ୍କରୁ ଫିଲ ହାପି ନ୍ୟୁରୋ ଟ୍ରାନ୍ସ ମିଟର ନାମକ ପ୍ରୋମାଇନ ନିର୍ଗତ ହୋଇଥାଏ । ଯିଏ ଅଧିକ ସମୟ ଗେମ ଖେଳିଥାଏ ତାଙ୍କୁ ପ୍ରୋମାଇନର ଅଭ୍ୟାସ ହୋଇଯାଏ । ଏହା ଦ୍ଵାରା ପିଲାଙ୍କୁ ଅନ୍ୟ କେଉଁ ଜିନିଷରୁ ଖୁସି ମିଳେ ନାହିଁ । ସ୍ମାର୍ଟଫୋନ ପିଲାଙ୍କ ପାଇଁ ଏତେ ବିପଦକାରୀ ଯେ ଏହାର ଅଧିକ ବ୍ୟବହାର ଦ୍ଵାରା କ୍ୟାନସର ବି ହୋଇପାରେ । କାହିଁକି ନା ଏଥିରୁ ନିର୍ଗତ ରେଡିଏସନ ଦ୍ଵାରା ପିଲାଙ୍କ ବ୍ରେନରେ ଥିବା ସେଲ କ୍ଷତିଗ୍ରସ୍ତ ହୋଇଥାଏ । ଏହା ଦ୍ଵାରା ମସ୍ତିସ୍କରେ ଅକ୍ସିଜେନ ପହଞ୍ଚି ପାରେ ନାହିଁ, ଏମିତିକି ପୁରା ଶରୀର କ୍ଷତିଗ୍ରସ୍ତ ହୋଇଥାଏ । ଏମିତି ପିଲାଙ୍କର ଶୋଇବା ସମୟରେ ପରିବର୍ତ୍ତନ, ଆଖି ପୋଡାଜଳା, ସ୍ମରଣ ଶକ୍ତି ହ୍ରାସ, ଏକାଗ୍ରତା ରଖିବାରେ ଅସୁବିଧା ଆଦି ଦେଖାଦିଏ।
ନିଶା ଠାରୁ କମ୍ ନୁହେଁ ଅନଲାଇନ ଗେମ
ରୋବଲକ୍ସ ପରି ଗେମ ଖେଳିବା କୌଣସି ଡ୍ରଗ୍ସ ନିଶା ଠାରୁ କମ ନୁହେଁ । ଥରେ ଖେଳିବା ଆରମ୍ଭ କରିବା ମାତ୍ରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ସେଥିରେ ବ୍ୟସ୍ତ ରୁହନ୍ତି । ଏଥିପାଇଁ ରୋବଲକ୍ସ ଓ ଫୋର୍ଟନାଇଟ ପରି ପ୍ଲାଟଫର୍ମ ବିରୋଧରେ ମାମଲା ଦାଏର ହୋଇଛି । ଭିଡିଓ ଗେମ୍ସ ପରିସଂଖ୍ୟାନ ଅନୁଯାୟୀ, ୮ ରୁ ୧୮ ବର୍ଷ ବୟସର ୮.୫ ପ୍ରତିଶତ କିଶୋର ଖେଳ ବ୍ୟାଧିରେ ପୀଡିତ। ଅନଲାଇମ ଗେମ୍ ପ୍ରତି କୌଣସି କଟକଣା ରହୁନଥିବାରୁ ଅପରାଧିକ ଗତିବିଧି ବଢ଼ୁଥିବା ସାଧାରଣରେ ଅଭିଯୋଗ ହେଉଛି। ଗେମ୍ ନିର୍ମାଣକାରୀ ସଂସ୍ଥା ଅର୍ଥରାଶି ଏବଂ ମାଗଣା ମୋବାଇଲ ରିଚାର୍ଜ ଲୋଭ ଦେଖାଇ ଲୋକଙ୍କୁ ଆକର୍ଷିତ କରୁଛନ୍ତି । ଯାହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ତେବେ ଏହି ସବୁ ଆପ୍ ଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇବା ପାଇଁ ସାଧାରଣରେ ଦାବି ହେଉଛି।
ପିଲାଙ୍କୁ ଏଥିରୁ କିପରି ଦୂରେଇବେ?
ଅନଲାଇନ ଗେମ ଯୋଗୁଁ ଛୁଆ ହିତାହିତ ଜ୍ଞାନ ହରାଇ ବସୁଛନ୍ତି । ମୋବାଇଲ ଗେମର ନିଶାରୁ ବାହାର କରିବା ପାଇଁ ପରିବାରର ସଦସ୍ୟଙ୍କ ମୁଖ୍ୟ ଭୂମିକା ରହିବା ଆବଶ୍ୟକ । ଛୁଆଙ୍କୁ ମୋବାଇଲ ଠାରୁ ଦୂରେଇ ରଖନ୍ତୁ । ସମୟ ଥାଉ ଥାଉ ସଚେତନ ହେଲେ ସମସ୍ୟା ସୃଷ୍ଟି ହେବନାହିଁ । ଏଭଳି ସ୍ଥିତିରେ ଛୁଆଙ୍କ ସହ ପରିବାର ଲୋକ ଅଧିକରୁ ଅଧିକ ସମୟ ବିତାନ୍ତୁ । ପିଲାମାନଙ୍କ ସହିତ ମିଶି କିଛି ନୂତନ ସୃଜନଶୀଳ କାର୍ଯ୍ୟ କରନ୍ତୁ । କେଉଁ ସାଇଟ୍ ଯିବା ଓ କେଉଁଠିକୁ ଯିବାନି ସେ ସଂକ୍ରାନ୍ତରେ ପିଲାମାନେ ଭଲଭାବେ ଜାଣିବା ଦରକାର । ପିଲାମାନଙ୍କ ପାଇଁ ଏକ ଭଲ ବାତ୍ତାବରଣ ସୃଷ୍ଟି କରିବା ଦରକାର। ଏଭଳି ସ୍ଥିତିରେ ପିଲାମାନଙ୍କୁ ସାଇବର ଅପରାଧିଙ୍କ ଠାରୁ ଦୂରେଇ ରଖିବାରେ ଅଭିଭାବଙ୍କ ଭୁମିକା ଗୁରୁତ୍ୱପୂର୍ଣ । କେବଳ ଅଭିଭାବକ ନୁହନ୍ତି, ଶିଶୁ ଓ ମହିଳାମାନଙ୍କୁ ଏଭଳି ଅପରାଧର ଶିକାର ହେବାରୁ ଦୂରେଇ ରଖିବାକୁ ବ୍ୟାପକ ଜନସଚେତନତା ମଧ୍ୟ ଆବଶ୍ୟକତା ରହିଛି।