ଉଦୟପୁର ହତ୍ୟା ମାମଲାର ଚାଞ୍ଚଲ୍ୟକର ଖୁଲାସା: ସାମ୍ନାକୁ ଆସିଲା ପାକିସ୍ତାନୀ ଲିଙ୍କ୍‌

ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମ୍ର ଲିଙ୍କ...

Pakistan links emerge from savage Udaipur murder

ଉଦୟପୁରରେ ଟେଲରଙ୍କ ମୁଣ୍ଡକାଟ ଘଟଣାରେ ବଡ଼ ଖୁଲାସା । ସାମ୍ନାକୁ ଆସିଲା ହତ୍ୟାକାରୀ ଗସ୍ ମହମ୍ମଦ ଓ ମହମ୍ମଦ ରିୟାଜ୍ ଅନ୍‌ସାରିର ପାକିସ୍ତାନ୍ ଲିଙ୍କ୍ । ସେମାନେ ପାକିସ୍ତାନୀ ସଂଗଠନ ଦଓ୍ୱାତ୍-ଏ-ଇସ୍ଲାମି ସଂଗଠନ ସହ ସଂପର୍କରେ ଥିଲେ । ଜଣେ ୨୦୧୪ରେ ଏହି ସଂଗଠନକୁ ଭେଟିବାକୁ ପାକିସ୍ତାନର କରାଚି ଯାଇଥିଲା । ନିଜେ ରାଜସ୍ଥାନ ପୋଲିସ ଡିଜି ଏହି ସୂଚନା ଦେବା ସହ, ଏହି ଘଟଣାକୁ ଆତଙ୍କବାଦୀ କାର୍ଯ୍ୟାକଳାପ ଭାବେ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ।

କେବଳ ଏତିକି ନୁହେଁ, ଅନ୍ୟଜଣେ ଅଭିଯୁକ୍ତ ଦୁଇ ଦୁଇ ନେପାଳ ଯାଇଥିଲା ଏବଂ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ଥିଲା ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତାର ଦୁବାଇ ଲିଙ୍କ୍ ମଧ୍ୟ ରହିଛି । ତେଣେ ରିୟାଜ୍ କହ୍ନେୟାକୁ ସପ୍ତାହେ ହେଲା ଦୋକାନ ପାଖରେ ଅପେକ୍ଷା କରୁଥିଲା ଏବଂ ଏହି ହତ୍ୟାକାଣ୍ଡ ପୂର୍ବରୁ ସେମାନେ ISIS ଭିଡିଓ ଦେଖିଥିଲେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଟିମ୍ ଉଦୟପୁରରେ ଖୋଳତାଡ଼ ଜାରି ରଖିଛି । ଏଜେନ୍ସି ପକ୍ଷରୁ IPC ଏବଂ UAPAର ଏକାଧିକ ଧାରାରେ ମାମଲା ରୁଜୁ କରାଯିବା ସହିତ, ଏହି ଜଘନ୍ୟ ଅପରାଧରେ କୌଣସି ସଂଗଠନର ସମ୍ପୃକ୍ତି ଓ ବିଦେଶୀ ଲିଙ୍କ୍ ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି ।

ଗତକାଲି ୨ ହତ୍ୟାକାରୀଙ୍କ ଅତର୍କିତ ଆକ୍ରମଣର ଶିକାର ହୋଇ କହ୍ନେୟା ପ୍ରାଣ ହରାଇଥିଲେ । ଆଉ ଇଏ ଆଜି ତାଙ୍କ ଶେଷଯାତ୍ରାର ଦୃଶ୍ୟ ଶହଶହ ଲୋକଙ୍କ ଗହଣରେ ତାଙ୍କ ମୃତଦେହକୁ ଉଦୟପୁରରୁ ତାଙ୍କ ଗାଁକୁ ନେଇ ଶେଷକୃତ୍ୟ କରାଯାଇଛି । ଖାଲି କହ୍ନେୟାଙ୍କ ପରିବାର ନୁହେଁ, ସାରା ଉଦୟପୁରରେ ଶୋକ ଓ ଚାପା ଉତ୍ତେଜନା କହ୍ନେୟାଙ୍କ ମୁଣ୍ଡକାଟିଥିବା ୨ ହତ୍ୟାକାରୀଙ୍କୁ ଏନ୍‌କାଉଣ୍ଟର କରାଯାଉ, ନଚେତ୍ ଫାଶିରେ ଝୁଲାଇ ଦିଆଯାଉ ବୋଲି, ଉଦୟପୁରର ମୃତ ଟେଲର୍ କହ୍ନେୟା ଲାଲ୍ ତେଲିଙ୍କ ପତ୍ନୀ ଓ ପୁଅ ଦାବି କରିଛନ୍ତି ।

ଅନ୍ୟପକ୍ଷେ, ହତ୍ୟାର କିଛି ଘଣ୍ଟା ଭିତରେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବାହାବାହା ନେଉଥିବା ରାଜସ୍ଥାନ ପୋଲିସର କାର୍ଯ୍ୟକାରିତା ଉପରେ ବି ଉଠିଛି ପ୍ରଶ୍ନ । ଗୋଟିଏ ପଟେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ୫ ପୋଲିସ କର୍ମଚାରୀଙ୍କୁ ଆଉଟ୍-ଅଫ୍-ଟର୍ମ୍ ପ୍ରମୋସନ୍ ଦେବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଘୋଷଣା କରିଥିବା ବେଳେ; ଅନ୍ୟପଟେ ଅଭିଯୋଗ ଆସିଛି ଯେ, ନୁପୂର ଶର୍ମା ସମ୍ପର୍କିତ ସୋସିଆଲ୍ ମିଡିଆ ପୋଷ୍ଟ ପାଇଁ ହତ୍ୟା ଧମକ ଆସୁଛି ବୋଲି । ପୂର୍ବରୁ କହ୍ନେୟା ପୋଲିସକୁ ବାରମ୍ବାର ଜଣାଇଥିଲେ ହେଲେ ପୋଲିସ ତାଙ୍କୁ କୌଣସି ସୁରକ୍ଷା ଦେଇନଥିଲା କି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଭୟରେ ୪-୫ ଦିନ ଦୋକାନ ବି ବନ୍ଦ ରଖିଥିଲେ କହ୍ନେୟା ।ଆଉ କାଲି ଦୋକାନ ଖୋଲିବା ପରେ ଯାହା ଘଟିଲା, ତାହା ସମସ୍ତଙ୍କ ସାମ୍ନାରେ । ତେବେ କାର୍ଯ୍ୟରେ ଅବହେଳା ପାଇଁ ଜଣେ ASI ଓ ଜଣେ SHOଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ରାଜସ୍ଥାନ ଡିଜିପି । ଘଟଣାକୁ ନେଇ ଗେହଲଟ୍ ସରକାରକୁ ବିଜେପି ଘେରିଛି । ତେବେ ଉଦୟପୁରର ବର୍ବରକାଣ୍ଡକୁ ଦିଲ୍ଲୀର ଜାମା ମସ୍ଜିଦ, ଜମିଅତ୍ ଉଲାମା-ଇ-ହିନ୍ଦ ପକ୍ଷରୁ ମଧ୍ୟ ତୀବ୍ର ନିନ୍ଦା କରାଯିବା ସହ ଏହା ଇସ୍ଲାମ ବିରୋଧୀ ବୋଲି କୁହାଯାଇଛି ।