ମନ୍ତ୍ରୀଙ୍କ ଜୋତା କାଢ଼ିଲେ, ପାଇଜାମା ସଜାଡ଼ିଲେ ଅଫିସର, ଭିଡିଓ ଭାଇରାଲ

ଭାରତ କୋକିଂ କୋଲ୍ ଲିମିଟେଡର ଜଣେ ଜେନେରାଲ ମ୍ୟାନେଜର, କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଜୋତା ଖୋଲିଛନ୍ତି । ଏହାକୁ ନେଇ ନୂଆ ବିବାଦ ଦେଖାଦେଇଛି ।

Officer Removes Union Minister's Shoes

ମନ୍ତ୍ରୀଙ୍କ ପାଦରୁ ଜୋତା ଖୋଲିଲେ ଅଫିସର । ଏହାକୁ ନେଇ ନୂଆ ବିବାଦ ଦେଖାଦେଇଛି । ଭାରତ କୋକିଂ କୋଲ୍ ଲିମିଟେଡର (BCCL) ଜଣେ ବରିଷ୍ଠ ଅଧିକାରୀ କେନ୍ଦ୍ରମନ୍ତ୍ରୀଙ୍କ ଜୋତା ଖୋଲିଛନ୍ତି । ଆଉ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ଜୋତା ନୁହେଁ ଭିଡିଓରେ କେନ୍ଦ୍ରମନ୍ତ୍ରୀଙ୍କର ପାଇଜାମା ମଧ୍ୟ ଠିକ୍ କରୁଛନ୍ତି BCCLର ଜଣେ ଜେନେରାଲ ମ୍ୟାନେଜର ରାଙ୍କର ଅଧି୍କାରୀ । 

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ନିକଟରେ ଝାଡଖଣ୍ଡ ଗସ୍ତରେ ଆସିଥିଲେ । ଆଉ ଏହି ସମୟରେ ଅଧିକାରୀ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସ୍ଥାନୀୟ ମୁନିଧ ଅଞ୍ଚଳରେ ଥିବା ଅଣ୍ଡରଗ୍ରାଉଣ୍ଡ ମାଇନ ଭିତରକୁ ପ୍ରବେଶ କରିବା ସମୟରେ ଭାଇରାଲ ହେଉଥିବା ଭିଡିଓ ଉତ୍ତୋଳନ କରାଯାଇଥିବା କୁହାଯାଉଛି । ତେବେ ଅଧିକାରୀ ଜଣଙ୍କ ଏନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି । ଭିଡିଓ ଦେଖିବା ପରେ ଯାହାକିଛି ମତାମତ ରଖିବେ ବୋଲି କହି ଏଡ଼ାଇ ଯାଇଛନ୍ତି ।

ସେପଟେ ଭାଇରାଲ ଭିଡିଓକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଧାନବାଦ ଜିଲ୍ଲା କଂଗ୍ରେସ ସଭାପତି ସନ୍ତୋଷ ସିଂ ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କହିଛନ୍ତି, ଜଣେ  ଅଧିକାରୀଙ୍କ ପ୍ରତି ଏହା ଉଚିତ ସମ୍ମାନ ନୁହେଁ । ଏପରି ଘଟଣା ପାଇଁ ମନ୍ତ୍ରୀ କ୍ଷମା ମାଗନ୍ତୁ । ଏଥିସହ ସମସ୍ତ ନିୟମର ଉଂଲଘନ କରିଥିବାରୁ ଉକ୍ତ ଅଧିକାରୀଙ୍କୁ ମନ୍ତ୍ରୀ ପଦୋନ୍ନତି  କରାଇ ସମ୍ମାନ ଫେରାନ୍ତୁ ।

ସେନ୍ଦ୍ରା-ବନସଜୋରା ନିକଟରେ ଥିବା ସବସିଡେନ୍ସ ପ୍ରବଣ ଅଞ୍ଚଳ ପରିଦର୍ଶନରେ ଆସିଥିଲେ ମନ୍ତ୍ରୀ । ଏଥିସହ ମୁନିଧ ଅଞ୍ଚଳରେ ଥିବା ଅଣ୍ଡରଗ୍ରାଉଣ୍ଡ ମାଇନ ମଧ୍ୟ ବୁଲି ଦେଖିଥିଲେ । ଏହି ଅବସରରେ ରାଜଗଞ୍ଜ ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ଏକ ମିନି ସାଇନ୍ସ ଲ୍ୟାବର ମଧ୍ୟ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ।