Advertisment

ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ: ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ

ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।

undefined

Woman Allegedly Raped In Delhi

Advertisment

ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ । ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ । ଏବେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ, ସେ ମାନସିକ ଭାବେ ଖୁବ୍ ବିଚଳିତ ଥିବାରୁ ତାଙ୍କ ସହ କଣ ଘଟିଛି କିଛି କହିପାରୁନାହାନ୍ତି । ସେପଟେ ଉଭୟ ପୀଡ଼ିତା, ତାଙ୍କ ପରିବାର ଓ ପୋଲିସ ସହ ଯୋଗାଯୋଗରେ ଥିବା କହିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ।

Advertisment

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ! ରକ୍ତସ୍ରାବ ଅବସ୍ଥାରେ ଉଦ୍ଧାର କଲା ପୋଲିସ । ପୁଣି ରାଜଧାନୀ ଛାତି ଉପରେ ଜଘନ୍ୟ କାଣ୍ଡ ! ଦିଲ୍ଲୀର ସରାଇ କାଲେ ଖାନ୍ ଅଞ୍ଚଳ। ଶୁକ୍ରବାର ଭୋର୍ ୩ଟା ୧୫। SKK ଫ୍ଲାଏଓଭର ପାଖରେ ଜଣେ ୩୪ ବର୍ଷୀୟା ଯୁବତୀ ରକ୍ତଭିଜା ଲୁଗାରେ ଛିଡ଼ା ହୋଇଥିବା ସୂଚନା ଆସିଲା ପୋଲିସ କଣ୍ଟ୍ରୋଲ ରୁମକୁ। ଜଣେ ସେନା ଅଧିକାରୀ ଅସହାୟ ଅବସ୍ଥାରେ ତାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ। PCR କଲ୍ ପାଇ ସନଲାଇଟ୍ କଲୋନୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଯୁବତୀ ଜଣକ ପ୍ରଥମେ ପୋଲିସ ସହ ଯିବାକୁ ଅମଙ୍ଗ ହେଉଥିଲେ। କିଛି ସମୟ ବୁଝାଇବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲା ପୋଲିସ। ଏବେ ସେ ବିପଦମୁକ୍ତ ଥିଲେ ବି, ମାନସିକ ବିଚଳିତ ଅଛନ୍ତି । ତେଣୁ ତାଙ୍କ ସହ କଣ ଘଟିଛି, ପୋଲିସକୁ କିଛି ସ୍ପଷ୍ଟ ଭାବେ କହିପାରୁନାହାନ୍ତି । ତାଙ୍କର କାଉନସେଲିଂ ଚାଲିଥିବା ସୂଚନା ମିଳିଛି ।

ଏହି ଘଟଣାକୁ ନେଇ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଯୁବତୀଙ୍କର ବ୍ଲିଡିଂ ହେଉଥିବାରୁ ସେ ଦୁଷ୍କର୍ମ ବା ଗଣଦୁଷ୍କର୍ମର ଶିକାର ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ୟ କେଉଁ ସ୍ଥାନରେ ଦୁଷ୍କର୍ମ ପରେ ଫ୍ଲାଏଓଭର ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଦେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। BNS '୭୦(୧)- ଦୁଷ୍କର୍ମ ବା ଗଣଦୁଷ୍କର୍ମ' ଏବଂ '୧୧୫(୨)- ଉଦ୍ଦେଶ୍ୟମୂଳକ ଭାବେ ଆଘାତ ଦେବା' ଧାରାରେ ମାମଲା ରୁଜୁ ହୋଇଛି। ଛାନଭିନ ପାଇଁ ଏକାଧିକ ଟିମ୍ ଗଠନ ହୋଇଥିବା ବେଳେ, ସୁରାକ୍ ପାଇବାକୁ ସିସିଟିଭି ଫୁଟେଜ ଖୋଜା ଚାଲିଛି। ସେପଟେ ନୂଆଦିଲ୍ଲୀ ଆବାସିକ କମିଶନର୍ କହିଛନ୍ତି, ଜଣେ ସ୍ବତନ୍ତ୍ର ମହିଳା ଅଧିକାରୀ ପୀଡ଼ିତା ଏବଂ ପୋଲିସ ସହ ଯୋଗାଯୋଗରେ ଅଛନ୍ତି । ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି ଏବଂ ତାଙ୍କ ଭାଇ ଓ ସଂପର୍କୀୟ ଟ୍ରେନ୍ ଯୋଗେ ଦିଲ୍ଲୀ ଆସୁଛନ୍ତି।

Advertisment

ଏସବୁ ଭିତରେ ସାମ୍ନାକୁ ଆସୁଛି ଯୁବତୀଙ୍କ ଦିଲ୍ଲୀ ରହଣିକୁ ନେଇ ଅନେକ ଉଦବେଗଜନକ ଖବର। କୁହାଯାଉଛି, ସେ ଜଣେ ନର୍ସିଂ ଗ୍ରାଜୁଏଟ୍। ପ୍ରାୟ ବର୍ଷେ ତଳେ ଘରେ କିଛି ନଜଣାଇ ଓଡ଼ିଶାରୁ ଦିଲ୍ଲୀ ପଳାଇ ଆସିଥିଲେ। ପରିବାରଲୋକେ ନିଖୋଜ ଏତଲା ଦେବା ପରେ, ୨ ମାସ ତଳେ ପୋଲିସ ତାଙ୍କୁ ଠାବ କରି ବାପାମାଆଙ୍କୁ ଦିଲ୍ଲୀ ଡକାଇଥିଲା। ହେଲେ ସେ ସାବାଳିକା ହୋଇଥିବାରୁ, ଜିଦ୍ କରି ଓଡ଼ିଶା ଫେରିବାକୁ ମନା କରିଦେଇଥିଲେ। ଆହୁରି ମଧ୍ୟ ସୂଚନା ମିଳିଛି ଯେ, ଯୁବତୀ ଜଣେ ସନ୍ୟାସିନୀଙ୍କ ସହ ଘରଭଡ଼ା ନେଇ ଏକାଠି ରହୁଥିଲେ। ତେବେ ଉଭୟଙ୍କ ମଧ୍ୟରେ କଳହ ହେବାରୁ ଭଡ଼ାଘର ଛାଡ଼ି, କିଛି ଦିନ ହେବ ସେ ନିରାଶ୍ରୟ ଭାବେ ରାସ୍ତାକଡ଼ରେ ଓ ଏଟିଏମ୍ ବୁଥ୍ ଭିତରେ ରାତି ବିତାଉଥିଲେ। ତାଙ୍କ ପାଖରେ ଟଙ୍କାପଇସା ନଥିଲା, ମୋବାଇଲ ମଧ୍ୟ ହଜିଯାଇଥିଲା। ତେଣୁ ସେ କାହାକୁ ନିଜ ସ୍ଥିତି ସଂପର୍କରେ ଜଣାଇପାରୁନଥିଲେ । କେବଳ ମାଉସୀଙ୍କ ବ୍ୟତୀତ ବାକି ପରିବାର ଲୋକଙ୍କ ସହ ତାଙ୍କର ସଂପର୍କ ଭଲ ନଥିଲା । ତେବେ ତାଙ୍କ ସହ ପ୍ରକୃତରେ କଣ ଘଟିଛି, ଯଦି ଏହା ଦୁଷ୍କର୍ମ ବା ଗଣଦୁଷ୍କର୍ମ, ତେବେ କିଏ ଓ କେଉଁ ସ୍ଥିତିରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଲା, ତାହା ଏବେ ତଦନ୍ତସାପେକ୍ଷ ରହିଛି ।

Police Delhi Police Odisha Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ