Advertisment

ସଂସାର ଉଜାଡିଦେଲା କରମଣ୍ତଳ..କାହା ମଥାରୁ ସିନ୍ଦୂର ପୋଛିଲା ତ କାହାକୁ ବାପ ଛେଉଣ୍ତ କରିଦେଲା

ଯେତେ ଶବ ସେତେ କାହାଣୀ । ବଖାଣିବାବେଳେ କୋହ ଲୁଚୁନି । ଏଠି ଘର କାନ୍ଥରୁ ଲିଭିନି ସଙ୍କେତ ଶୁଭ ପରିଣୟର । ତେଣେ ନିମିଷକରେ ପୋଛି ହୋଇଯାଇଛି ପତ୍ନୀ ସିନ୍ଥିରୁ ସିନ୍ଦୁର ।

ଅଦ୍ୟତନ ହୋଇଛି
undefined

Train Accident

Advertisment

କାଳ ଶୁକ୍ରବାରର କରମଣ୍ଡଳ ଟ୍ରାଜେଡି । ଅକସ୍ମାତ୍ ଉଜାଡ଼ି ଦେଇଛି ଅନେକ ପରିବାର । ଚଟ୍ କରି ଛଡ଼ାଇ ନେଇଛି କେତେ ସଧବାଙ୍କ ଶଙ୍ଖା ସିନ୍ଦୁର । କେଉଁଠି ମାଆ କୋଳରେ ଥିବା ଶିଶୁ ହୋଇଛି ବାପ ଛେଉଣ୍ଡ ତ ପୁଣି କେଉଁଠି ବୁଢ଼ା ବାପ ହରାଇଛି ରୋଜଗାରିଆ ଭେଣ୍ଡିଆ ପୁଅ । ଟ୍ରେନ୍‌ରେ ଯାତ୍ରା ଆରମ୍ଭରୁ ଶବ ହୋଇ ଫେରିବା ପର୍ଯ୍ୟନ୍ତ ସବୁ ମୃତକଙ୍କ ପଛରେ ରହିଛି  କୋହଭରା କାହାଣୀ ।

Advertisment

ଯେତେ ଶବ ସେତେ କାହାଣୀ । ବଖାଣିବାବେଳେ କୋହ ଲୁଚୁନି । ଏଠି ଘର କାନ୍ଥରୁ ଲିଭିନି ସଙ୍କେତ ଶୁଭ ପରିଣୟର । ତେଣେ ନିମିଷକରେ ପୋଛି ହୋଇଯାଇଛି ପତ୍ନୀ ସିନ୍ଥିରୁ ସିନ୍ଦୁର । କେମିତି ବା ଲୁହକୁ ଚାପି ରଖିପାରନ୍ତେ ଶୁଭଶ୍ରୀ, ସାତଜନ୍ମର ସାଥୀ ହେବାକୁ କଥା ଦେଇ ଚିରନିଦ୍ରାରେ ଶୋଇଯାଇଥିବା ସ୍ୱାମୀଙ୍କ ମରଶରୀରକୁ ଦେଖି । ସୁନାର ସଂସାରକୁ ଚୂନା କରିଦେଲା କରମଣ୍ଡଳ ଟ୍ରେନ୍ ଟ୍ରାଜେଡି । ମାତ୍ର ୨ବର୍ଷ ତଳେ ଏକ ଘରୋଇ ଫାଇନାନ୍ସ ସଂସ୍ଥାରେ କାର୍ଯ୍ୟରତ ଭଦ୍ରକ ସାବରଙ୍ଗ ଗାଁର ରାଜେଶ ବଳଙ୍କ ହାତ ଧରିଥିଲେ ଶୁଭଶ୍ରୀ ନାୟକ ।

ଘଟଣା ଦିନ ରାଜେଶ ବାଲେଶ୍ୱରରୁ ମିଟିଂ ସାରି କରମଣ୍ଡଳରେ ଫେରୁଥିଲେ, ଭୋକ ଲାଗୁଥିବା ଫୋନ୍‌ରେ କହିବାରୁ ଖାଇବା ଧରି ଭଦ୍ରକ ଷ୍ଟେସନରେ ଅପେକ୍ଷା କରିଥିଲେ ପତ୍ନୀ ଶୁଭଶ୍ରୀ। ଆଉ ମାତ୍ର କିଛି ସମୟ ପରେ ଦୁହେଁ ସେଠୁ ସାଙ୍ଗ ହୋଇ ସାବରଙ୍ଗ ଯାଇଥାନ୍ତେ । ହେଲେ ବିଧିର ବିଧାନ ଥିଲା ଅଲଗା, ଖବର ଆସିଲା ଦୁର୍ଘଟଣାଗ୍ରସ୍ତ ହୋଇଛି କରମଣ୍ଡଳ ଏକ୍ସପ୍ରେସ୍। ଶୁଭଶ୍ରୀ ଫୋନ୍ କରି କରି ବ୍ୟସ୍ତ, କିନ୍ତୁ ଉଠାଉନଥିଲେ ରାଜେଶ । ଶାଶୁ ଘର ଲୋକଙ୍କୁ ଜଣାଇବାରୁ, ବଢ଼ିଥିଲା ଚିନ୍ତା ।

Advertisment

ଏଣେ ଭାଇ କଥା ଜାଣିବାକୁ ଭଉଣୀ ରଂଜିତା ବାରମ୍ବାର କଲ୍ କରୁଥିଲେ, ଦୀର୍ଘ ସମୟ ପରେ ରାଜେଶଙ୍କ ଫୋନ୍ ଉଠାଇଥିଲେ ଜଣେ ଅଜଣା ବ୍ୟକ୍ତି। ଯାହା କହିଲେ, ସେଥିରେ ସମସ୍ତଙ୍କ ହୋସ୍ ଉଡ଼ିଗଲା । ଫୋନ୍ ପାଖରେ ପଡ଼ିଥିବା ବ୍ୟକ୍ତି ଜୀବୀତ ନାହାନ୍ତି ବୋଲି ଶୁଣିବା ପରେ ରାଜେଶଙ୍କ ପରିବାର ଲୋକେ ବାହାନଗାରୁ ବାଲେଶ୍ୱର ଯାଏଁ ରାଜେଶଙ୍କୁ ଖୋଜି ବୁଲିଥିଲେ। ଶେଷରେ ରାତି ୨ଟାରେ ବାହାନଗା ମେଡିକାଲ ପାଖରେ ଏକ ଶବ ଗଦାରୁ ପିନ୍ଧିଥିବା ପୋଷାକରୁ ରାଜେଶଙ୍କୁ ଚିହ୍ନି ବେହୋସ ହୋଇଯାଇଥିଲେ ବଡ଼ ଭାଇ ମାନସ । ଏଣେ ରାଜେଶଙ୍କ ବିଧବା ପତ୍ନୀ ଶୁଭଶ୍ରୀ ସେବେଠୁ ନିସ୍ତବ୍ଧ ଓ ନିର୍ବାକ୍ ।

କାହାଣୀ ଆହୁରି ହୃଦୟ ବିଦାରକ ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୃତ ବାସୁଦେବପୁର ଅଢୁଆଁ ଗାଁର ମନୋଜ ମଲ୍ଲିକଙ୍କ ପରିବାରରେ । ହସିଲା ପୂରିଲା ପରିବାରକୁ ମଝି ଦରିଆରେ ଭସାଇ ଆରପାରିକୁ ଚାଲି ଯାଇଥିବା ମନୋଜଙ୍କ ବିଧବାପତ୍ନୀ ମନିଷାଙ୍କ କୋଳରେ ଜୁଳୁ ଜୁଳୁ କରି ଚାହୁଁଥିବା ୬ମାସର କୁନି ପୁଅ ହୁଏତ ଜାଣିନି, ଏ ଦୁନିଆରୁ ତାପାଇଁ ବାପା ଶବ୍ଦ ସବୁ ଦିନ  ପାଇଁ ଲିଭିଯାଇଛି । ୬ବର୍ଷର ଝିଅ ଓ ପୁଅକୁ କେମିତି ମଣିଷ କରିବେ ସେ ଚିନ୍ତାରେ ମନିଷା, ତ ନିଜ ରୋଜଗାରିଆ ପୁଅକୁ ହରାଇ ଧୈର୍ଯ୍ୟହରା ମନୋଜଙ୍କ ମାଆ-ବାପା ।

Advertisment

ମୃତ ମନୋଜ ପେଷାରେ ଥିଲେ ଜଣେ ମତ୍ସ୍ୟଜୀବୀ । ହେଲେ ଘର ପାଖ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲାଗିଥିବାରୁ ପେଟପାଟଣା ପାଇଁ ଘରେ ନଜଣାଇ ଭଦ୍ରକ ପରିବର୍ତ୍ତେ ବାଲେଶ୍ୱରରୁ ଟ୍ରେନ ଚଢ଼ି ବାହାରିଥିଲେ ଚେନ୍ନାଇ । ହେଲେ ସବୁ ସାରିଦେଲା କରମଣ୍ଡଳ ଆକ୍ସିଡେଣ୍ଟ । କଳା ଶୁକ୍ରବାରରେ କରମଣ୍ଡଳ ଟ୍ରାଜେଡି କେତେ ଯେ ପରିବାରକୁ ଛାରଖାର କରିଦେଲା, ତା’ର ଇଏ କେତୋଟି ମାତ୍ର ମିଳିଥିବା କରୁଣ ଉଦାହରଣ ।

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ