ସରକାରୀ ତଥ୍ୟ ; କେବଳ ଟମାଟୋ ନୁହେଁ ଡାଲି-ଚାଉଳ ଦର ବି ବେଲଗାମ୍‌

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଢ଼ିଥିବା କଥା ସଂସଦରେ ଉଠିବା ସହ କିଲୋଗ୍ରାମ ପିଛା ପୂର୍ବରୁ କେତେ ଟଙ୍କା ଥିଲା ଓ ପରେ କେତେ ଟଙ୍କା ହୋଇଛି ସେନେଇ ମଧ୍ୟ ଟିକିନିଖି ସୂଚନା ଦିଆଯାଇଛି ।

ହଟହଟ୍ଟା ଖାଉଟି ବଢ଼ିଛି ଚାଉଳ, ଡାଲି ଦର

ବଜାରରେ ହୁ ହୁ ହୋଇ ବୁଢ଼ୁଛି ଟମାଟୋ ଦର । ଏମିତିକି କିଛି କିଛି ସ୍ଥାନରେ ଟମାଟୋ କିଲୋ ପ୍ରତି ୨ଶହ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ହେଲେ ଏହି ଟମାଟୋ ଦର ଭିତରେ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ଖୁବ୍‌ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ଖାଉଟି । ବିଶେଷକରି ରସୁଣ, ଅଦା, ଚାଉଳ ଓ ହରଡ଼ ଡାଲି ଭଳି ସବୁଦିନିଆ ଖାଦ୍ୟ ଜିନିଷର ଦାମ୍‌ ଏବେ ବଢ଼ିଚାଲିଛି । ଏ କଥା ଆମେ କହୁନୁ କହୁଛି ଖୋଦ୍‌ ସରକାରଙ୍କ ରିପୋର୍ଟ । ଯାହା ଏବେ ଜନତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ସୂଚନା ଦିଆଯାଇଛି । ଚଳିତ ସପ୍ତାହରେ ଏହି ପ୍ରସଙ୍ଗ ସଂସଦରେ ଉଠିଛି । ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି କି, ହରଡ଼ ଡାଲିର ସର୍ବାଧିକ ମୂଲ୍ୟ ୨୮ ପ୍ରତିଶତ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଚାଉଳ ଦର ମଧ୍ୟ ୧୦.୫ ପ୍ରତିଶତ ବଢ଼ିଥିବା ବେଳେ ଅଟା ଓ ବିରି ଉପରେ ୮ ପ୍ରତିଶତ ଦାମ୍‌ ବୃଦ୍ଧି କରାଯାଇଛି ।

ଏହି ସମସ୍ତ ନିତ୍ୟ ଆବଶ୍ୟକୀୟ ସାମଗ୍ରୀ ବଢ଼ିଥିବା କଥା ସଂସଦରେ ଉଠିବା ସହ କିଲୋଗ୍ରାମ ପିଛା ପୂର୍ବରୁ କେତେ ଟଙ୍କା ଥିଲା ଓ ପରେ କେତେ ଟଙ୍କା ହୋଇଛି ସେନେଇ ମଧ୍ୟ ଟିକ୍‌ନିଖ୍‌ ସୂଚନା ଦିଆଯାଇଛି । କୁହାଯାଇଛି କି, ପୂର୍ବରୁ ଚାଉଳ କିଲୋଗ୍ରାମ ପିଛା ୩୭ ଟଙ୍କା ରହିଥିଲା । ଆଉ ଏବେ ଏହା ୪୧ ଟଙ୍କାରେ ବିକ୍ରି ହେଲାଣି ।

ସେହିପରି ହରଡ଼ ଡାଲିର ମୂଲ୍ୟକୁ ନେଇ ମନ୍ତ୍ରଣାଳୟ କହିଛି ୨୦୨୨-୨୩ ଫସଲ ବର୍ଷ ପାଇଁ କୃଷି ମନ୍ତ୍ରଣାଳୟର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ଗତ ଫସଲ ବର୍ଷରେ ୪୨.୨ ଲକ୍ଷ ଟନ୍ ତୁଳନାରେ ହରଡ଼ ଡାଲି ଉତ୍ପାଦନ ୩୪.୩ ଲକ୍ଷ ଟନ୍ ରହିଛି । ତେଣୁ ସ୍ୱାଭିବକ ଭାବେ ହରଡ଼ ଡାଲି ଦର ବୃଦ୍ଧି ଘଟିଛି ।

ଗତବର୍ଷ ହରଡ଼ ଡାଲିର ମୂଲ୍ୟ ୧୦୬.୫୦ ଟଙ୍କା ଥିଲା । ହେଲେ ଚଳିତ ବର୍ଷ କିଲୋପ୍ରତି ୧୩୬ ଟଙ୍କାରେ ବିକ୍ରି ହେଉଛି । ବଜାରରେ ବିରିଡାଲିର ଦର ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଏହାର ଦାମ୍‌ ୧୦୬.୫୦ ଟଙ୍କା ରହିଥିବାବେଳେ ଏବେ ୧୧୪ ଟଙ୍କାରେ ବିକ୍ରି ହେଉଛି । ମୁଗଡ଼ାଲି ଗତବର୍ଷ ୧୧୧ଟଙ୍କା ରହିଥିଲା ହେଲେ ଚଳିତ ବର୍ଷ ଏହାର ଦାମ୍‌ ୧୨୦ଟଙ୍କା ରହିଛି ।

ଖାଲି ସେତିକି ନୁହେଁ, ଗ୍ରାହକଙ୍କ ପାଇଁ କେବଳ ଆଳୁର ହାରାହାରି ଖୁଚୁରା ମୂଲ୍ୟ ଗତ ବର୍ଷ ତୁଳନାରେ ପ୍ରାୟ ୧୨% କମ୍ ରହିଥିବା କୁହାଯାଇଥିବା ବେଳେ ପିଆଜର ମୂଲ୍ୟ ମଧ୍ୟ ୫ ପ୍ରତିଶତ ଅଧିକ ରହିଛି ।

ବଜାରରେ ଟମାଟୋ ଦର ବୃଦ୍ଧିକୁ ନେଇ ମଧ୍ୟ ମନ୍ତ୍ରଣାଳୟ ତାର ପ୍ରତିକ୍ରିୟା ରଖିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଫସଲ ଋତୁ ନଥିବାରୁ ଉତ୍ପାଦନ ହ୍ରାସ ଘଟିଛି । ଭାରତର ଉତ୍ତରରେ ମୌସୁମୀ ଯୋଗୁ ପ୍ରବଳ ବର୍ଷା ହୋଇଥିବାରୁ ଟମାଟୋ ଦର ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଟମାଟୋ ଦର ରହିଛି । ଉତ୍ତରପ୍ରଦେଶର ବୁଲନ୍ଦସରରେ ଟମାଟୋ ମୂଲ୍ୟ ସର୍ବାଧିକ ୨୫୭ ଟଙ୍କା ରହିଛି । ସେହିପରି ଦେଶର ବିଭନ୍ନ ସ୍ଥାନୀରେ ୨ଶହ ଟଙ୍କା ପାର୍‌ କରିଛି ଟମାଟୋ ଦର ।