Advertisment

କଣ ପାଇଁ ଗଲା ବାବା ସିଦ୍ଦିକିଙ୍କ ଜୀବନ? ସଲମାନଙ୍କୁ ଧମକ, ଗାଲାକ୍ସିରେ ବଢିଲା ସୁରକ୍ଷା

ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏଥିସହ ସଲମାନଙ୍କୁ ପୁଣି ଦେଇଛି ଧମକ ।

ଅଦ୍ୟତନ ହୋଇଛି
undefined

Salman Khan

Advertisment

ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏଥିସହ ସଲମାନଙ୍କୁ ପୁଣି ଦେଇଛି ଧମକ । ଏହାପରେ ବଢିଛି ସଲମାନଙ୍କ ସୁରକ୍ଷା । ସେପଟେ ଆଉ କିଛି ସମୟ ପରେ ମୁମ୍ବାଇ ବଡ଼ କବରିସ୍ତାନରେ ହେବ ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର । ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି ।

Advertisment

ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍.. ହତ୍ୟା ପାଇଁ ନିଜକୁ ଦାୟୀ କରି ସଲମାନ ଖାନଙ୍କୁ ବି ଧମକ । 'ଯିଏ ବି ସଲମାନଙ୍କୁ ସହଯୋଗ କରିବ, ନିଜ ହିସାବ କିତାବ କରିକି ରଖିଥିବ' । ବରିଷ୍ଠ ଏନସିପି ନେତା, ତିନି ଥରର ବିଧାୟକ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ମର୍ଡର ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ।

ହତ୍ୟାକାଣ୍ଡର ୧୪ ଘଣ୍ଟା ପରେ ସୋସିଆଲ ମିଡିଆରେ ଗ୍ୟାଙ୍ଗ ପକ୍ଷରୁ ଏକ ପୋଷ୍ଟ କରାଯାଇଛି । ଶୁବୁ ଲୋଙ୍କର ନାଁରେ ଫେସବୁକ୍ ଆକାଉଣ୍ଟରୁ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖାଯାଇଛି ଯେ, ବାବା ସିଦ୍ଦିକିଙ୍କ ଚାପ୍ଟର ସରିଲା । ଦାଉଦ୍ ଇବ୍ରାହିମ୍ ସହ ତାଙ୍କର ସଂପୃକ୍ତି ରହିଥିଲା । ସଲମାନ ଖାନଙ୍କ ସହ ଆମେ କୌଣସି ଯୁଦ୍ଧ ଚାହୁଁନଥିଲୁ କିନ୍ତୁ ଆମ ଭାଇଙ୍କ ସେ ବହୁତ କ୍ଷତି ଘଟାଇଛି ।

Advertisment

ଯିଏ ବି ସଲମାନ ଖାନ୍ କିମ୍ବା ଦାଉଦ ଗ୍ୟାଙ୍ଗକୁ ସହଯୋଗ କରିବ, ସିଏ ତାର ହିସାବ କରିକି ରଖିଥିବ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟର ଅଧିକ ତନାଘନା ଚଳାଇଛି ମୁମ୍ବାଇ ପୋଲିସ । ପୋଷ୍ଟମର୍ଟମ ପରେ ସିଦ୍ଦିକିଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ ସହ ଶ୍ରଦ୍ଧାଂଜଳି ଜଣାଇବାକୁ ଛୁଟିଥିଲା ଭିଡ଼ ।

ବାସଭବନରେ ଏକାଠି ହୋଇଥିଲେ ସଲମାନଙ୍କ ପୁରା ପରିବାର ସହ ଅନେକ ବଲିଉଡ୍ ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି । ସେପଟେ ସଲମାନ ଖାନଙ୍କ ଘର ଆଗରେ ବଢ଼ିଛି ସୁରକ୍ଷା । ଗାଲାକ୍ସି ଆପାର୍ଟମେଣ୍ଟକୁ ଘେରି ରହିଛନ୍ତି ପୋଲିସ । ଚର୍ଚ୍ଚା ହେଉଛି, ସଲମାନ୍ ଖାନଙ୍କ ପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି ।

Advertisment

କାରଣ ସଲମାନଙ୍କ ଅତି ନିକଟତର ଏବଂ ପାରିବାରିକ ବନ୍ଧୁ ଭାବେ ଜଣାଶୁଣା ଥିଲେ ବାବା ସିଦ୍ଦିକି । ଏମିତିକି ସଲମାନ୍ ଆଉ ଶାହରୁଖଙ୍କ ମଧ୍ୟରେ ମତାନ୍ତର ଦୂର କରିବାରେ ସିଦ୍ଦିକିଙ୍କ ଥିଲା ସବୁଠୁ ବଡ଼ ଭୂମିକା । ଏବର୍ଷ ଜୁଲାଇରେ ସଲମାନଙ୍କ ଘର ଉପରେ ଗୁଳି ମାଡ଼ ହେଇଥିଲା । ତାର କିଛି ଦିନ ପୂର୍ବରୁ ବି ସଲମାନଙ୍କୁ ମିଳିଥିଲା ହତ୍ୟା ଧମକ ।

ତେଣୁ ସଲମାନ୍ ଖାନଙ୍କ ନିକଟତର ବାବା ସିଦ୍ଦିକିଙ୍କୁ ହତ୍ୟା କରି ତାଙ୍କୁ ସିଧାସଳଖ ଧମକ ଦିଆଯାଇଥିବା ସନ୍ଦେହ କରାଯାଉଛି । ଶନିବାର ରାତି ପ୍ରାୟ ୯ଟା ୩୦ । ମୁମ୍ବାଇର ବାନ୍ଦ୍ରା । ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସ ବାହାରେ ବାଣ ଫୁଟାଉଥିଲେ ବାବା ସିଦ୍ଦିକି । ହଠାତ୍ ତିନି ଜଣ ମୁଖାପିନ୍ଧା ଯୁବକ ବାଇକରେ ଆସି ଅନ୍ଧାଧୁନ ଗୁଳି ଚଳାଇଥିଲେ ।

ସିଦ୍ଦିକିଙ୍କ ଦେହରେ ବାଜିଥିଲା ତିନିଟି ଗୁଳି । ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ଲୀଲାବତୀ ହସପିଟାଲ ନିଆଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ନିଜର ସମସ୍ତ ସୁଟିଂ ବାତିଲ କରି ସିଦ୍ଦିକିଙ୍କୁ ଦେଖିବାକୁ ହସପିଟାଲରେ ପହଁଚିଥିଲେ ସଲମାନ୍ । ପରେ ଆରମ୍ଭ ହୋଇଯାଇଥିଲା ତନାଘନା, ତଦନ୍ତ ।

ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ହରିୟାଣାର ୨୩ ବର୍ଷୀୟ ଗୁରମେଲ୍ ସିଂ ଓ ଉତ୍ତରପ୍ରଦେଶର ୧୯ ବର୍ଷୀୟ ଧର୍ମରାଜ କଶ୍ୟପ । ମାରାଥନ୍ ଜେରା ବେଳେ ମୁମ୍ବାଇ କ୍ରାଇମବ୍ରାଞ୍ଚଙ୍କୁ ମିଳିଥିଲା ଚାଞ୍ଚଲ୍ୟକର ତଥ୍ୟ । ଏହା ଥିଲା ପ୍ରି-ପ୍ଲାନଡ ମର୍ଡର । ସିଦ୍ଦିକିଙ୍କୁ ହତ୍ୟା ପାଇଁ ଅଭିଯୁକ୍ତଙ୍କୁ ବହୁ ପୂର୍ବରୁ ମିଳିଥିଲା ସୁପାରୀ । ଏଥିପାଇଁ ମାସେ ଧରି ରେକି କରିଥିଲେ ହତ୍ୟାକାରୀ ।

ଦେଢ଼ରୁ ଦୁଇ ମାସ ହେବ ସେମାନେ ମୁମ୍ବାଇର କୁର୍ଲା ଅଂଚଳରେ ଘର ଭଡା ନେଇ ରହିଥିଲେ । ସିଦ୍ଦିକି କେତେବେଳେ କୁଆଡେ ଯାଉଛନ୍ତି, ତାଉପରେ ତୀକ୍ଷଣ ନଜର ରଖିଥିଲେ ହତ୍ୟାକାରୀ । କିଛି ଦିନ ତଳେ ସେମାନଙ୍କ ପାଖରେ ପହଞ୍ଚିଥିଲା ବନ୍ଧୁକ ଓ ଗୁଳି । ଘଟଣାର ୧୫ ଦିନ ପୂର୍ବରୁ ବାବା ସିଦ୍ଦିକିଙ୍କୁ ମିଳିଥିଲା ହତ୍ୟା ଧମକ । ତେଣୁ ତାଙ୍କୁ Y କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

ଗିରଫ ଜଣେ ଅଭିଯୁକ୍ତଙ୍କୁ ଜେରା ପାଇଁ ଅକ୍ଟୋବର ୨୧ ଯାଏଁ ରିମାଣ୍ଡରେ ଆଣିବ ମୁମ୍ବାଇ ପୋଲିସ । ଅଭିଯୁକ୍ତଙ୍କଠାରୁ ୨୮ ଟି ଜୀବନ୍ତ କ୍ୟାଟ୍ରିଜ୍ ଉଦ୍ଧାର ହୋଇଛି । ତେଣୁ ଅନ୍ତର୍ଜାତୀୟ ଗ୍ୟାଙ୍ଗ ଆଡକୁ ସନ୍ଦେହ ବଢିଛି ମୁମ୍ବାଇ କ୍ରାଇମବ୍ରାଞ୍ଚର । ସେପଟେ ତୃତୀୟ ଅଭିଯୁକ୍ତ ଶିବ କୁମାର ଏଯାଏଁ ଫେରାର ରହିଛି । ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ଚତୁର୍ଥ ଅଭିଯୁକ୍ତ ମହମ୍ମଦ ଜିସାନ ଅଖତରଙ୍କୁ ବି ଚିହ୍ନଟ କରିସାରିଛି ପୋଲିସ । ଏହାରି ଭିତରେ ସିଦ୍ଦିକିଙ୍କ ହତ୍ୟା ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ପଠାଇବ ଦିଲ୍ଲୀ ପୋଲିସ ।

Salman Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ