Advertisment

Empower Youth: ଦେଶକୁ ଅଗ୍ରଣୀ କରିବ ଦକ୍ଷତା ଭିତ୍ତିକ ଶିକ୍ଷା,ରାଷ୍ଟ୍ରନିର୍ମାଣ ପାଇଁ ଲୋଡ଼ା ଶୃଙ୍ଖଳିତ ଯୁବଶକ୍ତି

ଏକ ଦେଶର ଭବିଷ୍ୟତ, ପ୍ରଗତି, ବିକାଶ ସବୁକିଛି ଯୁବ ସମାଜ ଉପରେ ନିର୍ଭରଶୀଳ। ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ କରି ବିକାଶରେ ଭାଗୀଦାରି କରାଯାଇପାରିଲେ, ଭାରତକୁ ସମ୍ପୂର୍ଣ୍ଣ ରୂପରେ ବିକଶିତ ରାଷ୍ଟ୍ର ହେବାକୁ ଅଧିକ ସମୟ ଲାଗିବନି। ଭାରତରେ ବିଶ୍ୱର ସବୁଠାରୁ ବଡ଼ ଯୁବଶକ୍ତି ଅଛନ୍ତି ଅର୍ଥାତ ଦେଶରେ ୬୫ ପ୍ରତିଶତରୁ ଅଧିକ ନାଗରିକଙ୍କ ବୟସ ୩୫ ବର୍ଷ ବୟସରୁ କମ । ସିଧାସଳଖ କହିବାକୁ ଗଲେ ଭାରତର ଆର୍ଥିକ ପ୍ରଗତିକୁ ନୂତନ ଉଚ୍ଚତା ପର୍ଯ୍ୟନ୍ତ ନେଇଯିବାର କ୍ଷମତା ରଖେ ଏହି ଯୁବ ଜନସଂଖ୍ୟା । ଯୁବଗୋଷ୍ଠୀ ଯଦି ସଂସ୍କାରୀ, ସଂସ୍କୃତିସମ୍ପନ୍ନ, ରାଷ୍ଟ୍ରପ୍ରେମୀ ହେବେ, ଦେଶ ସବୁ କ୍ଷେତ୍ରରେ ସଫଳତା ପାଇବା ଥୟ ।

Youth

Youth

Advertisment

ଆମ ଦେଶ ଭାରତର ଯୁବପିଢ଼ି ଖୁବ ମେଧାବୀ କିନ୍ତୁ ବ୍ୟାବହାରିକ ଦକ୍ଷତାର ଅଭାବ ହେତୁ ଚାକିରି କ୍ଷେତ୍ରରେ ପ୍ରାୟତଃ ସେମାନଙ୍କର ଆତ୍ମବିଶ୍ୱାସ ଭାରି ଦୁର୍ବଳ । ଏଇଠି ପ୍ରଶ୍ନ ଉଠେ ଅନେକ ଡିଗ୍ରି ହାସଲ କଲାପରେ ମଧ୍ୟ ପିଲାମାନେ ଖଣ୍ଡିଏ ଚାକିରି କାହିଁକି ପାଇପାରୁ ନାହାନ୍ତି । କେଉଁ ତ୍ରୁଟି ପାଇଁ ଦେଶର ଯୁବଶକ୍ତି ରାଷ୍ଟ୍ରହିତରେ ଆସିପାରୁନାହାନ୍ତି । ଅନେକ ଦିଗକୁ ଦୃଷ୍ଟିରେ ରଖି ଆମକୁ ଦକ୍ଷତା ଏବଂ ବୃତ୍ତିଗତ ଯୋଗ୍ୟତା ଆଡ଼କୁ ଗମ୍ଭୀରତାର ସହିତ ବଢ଼ିବାକୁ ପଡ଼ିବ।

Advertisment

ଦୁର୍ଭାଗ୍ୟର ବିଷୟ ଦେଶର କେବଳ ୭ ପ୍ରତିଶତ ଯୁବପିଢ଼ି ଆନୁଷ୍ଠାନିକ ଦକ୍ଷତା ତାଲିମ ପାଇପାରୁଛନ୍ତି । ଜର୍ମାନୀ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶରେ ଏହି ଅନୁପାତ ୭୦ ରୁ ୯୦ ପ୍ରତିଶତରେ ପହଞ୍ଚିଛି । ଏହି କାରଣରୁ ସେଠାକାର ଯୁବପିଢ଼ିଙ୍କ ନିଯୁକ୍ତି ସମ୍ଭାବନା ଏବଂ ଉତ୍ପାଦକତା ଭାରତ ତୁଳନାରେ ବହୁତ ଅଧିକ। ଏହି ପାର୍ଥକ୍ୟ ଭାରତ ପାଇଁ ଏକ ଗମ୍ଭୀର ସଙ୍କଟର ସଙ୍କେତ। ଡିଗ୍ରୀଧାରୀ ଯୁବପିଢ଼ିଙ୍କ ପାଇଁ ବେକାରୀ ସମସ୍ୟା ଏହି ପାର୍ଥକ୍ୟକୁ ସ୍ପଷ୍ଟ ଭାବରେ ଦର୍ଶାଉଛି।

ଆମେ ଦେଶରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପାଠପଢ଼ା ଶେଷ କରି ବାହାରନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ଶିଳ୍ପ ପାଇଁ ଆବଶ୍ୟକୀୟ ବୈଷୟିକ ଦକ୍ଷତା ନାହିଁ କିମ୍ବା ଆଧୁନିକ କର୍ମକ୍ଷେତ୍ର ପାଇଁ ଉପଯୁକ୍ତ ଦକ୍ଷତା ନାହିଁ। ୨୦୨୪ ମସିହାରେ ଏକ ଶିଳ୍ପ ସହରରେ କରାଯାଇଥିବା ଏକ ସର୍ଭେ ଏହି ଚିତ୍ରକୁ ଆହୁରି ସ୍ପଷ୍ଟ କରିଥିଲା । ସର୍ଭେ ରିପୋର୍ଟ ଅନୁସାରେ, ୧୦,୦୦୦ ଯୁବକଙ୍କ ମଧ୍ୟରୁ ମାତ୍ର ୧୨ ପ୍ରତିଶତ ଆନୁଷ୍ଠାନିକ ତାଲିମ ନେଇପାରୁଛନ୍ତି ।

Advertisment

ତାଲିମ ନେବାପରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଶାନୁରୂପ ନିଯୁକ୍ତି ପାଇପାରୁ ନାହାନ୍ତି । ଏହା ଆମ ଦେଶର ଅସହାୟ ବେକାରୀଙ୍କ କାହାଣୀ ନୁହେଁ ବରଂ ଦେଶର ତାଲିମ ବ୍ୟବସ୍ଥାର ଦୁର୍ବଳତାର ପ୍ରତିଫଳନ । ଦେଶରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନ ଗୁଡ଼ିକରେ ପ୍ରଶିକ୍ଷକଙ୍କର ଘୋର ଅଭାବ ଏହାର ଏକ ମୁଖ୍ୟ କାରଣ । ପୁରୁଣା ମେସିନ, ଦଶନ୍ଧି ପୁରୁଣା ପାଠ୍ୟକ୍ରମ ଓ ତାଲିମ ବ୍ୟବସ୍ଥାରେ ଆଧୁନିକ ବୈଷୟିକ ସମ୍ବଳ ଅଭାବ ଯୋଗୁଁ ଯୁବପିଢ଼ିଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ୁଛି । ଅନ୍ୟପକ୍ଷରେ ବର୍ତ୍ତମାନ ମଧ୍ୟ ସମାଜରେ ବ୍ୟବସାୟିକ ଶିକ୍ଷାକୁ ପ୍ରାଥମିକତା ଦିଆଯାଉ ନାହିଁ ।

ଫଳସ୍ୱରୂପ ଡିଗ୍ରୀଧାରୀମାନେ ଚାକିରି ଆବଶ୍ୟକତା ପୂରଣ କରିପାରୁନାହାଁନ୍ତି। ଏହି ସଙ୍କଟକୁ ଦୃଷ୍ଟିରେ ରଖି ସରକାର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଏବଂ ଜାତୀୟ ଦକ୍ଷତା ବିକାଶ ମିଶନ ଭଳି ପଦକ୍ଷେପ ନେଇଛନ୍ତି । ସେମାନଙ୍କର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଶିଳ୍ପ ଅନୁକୂଳ ତାଲିମ ପ୍ରଦାନ କରିବା ଏବଂ ସେମାନଙ୍କୁ ଆତ୍ମନିଯୁକ୍ତି ପାଇଁ ପ୍ରସ୍ତୁତ କରିବା । ଦୁଃଖର ବିଷୟ କେବଳ କାଗଜପତ୍ରରେ ଏହି ଯୋଜନାଗୁଡ଼ିକ ଖୁବ ଆକର୍ଷଣୀୟ ଦେଖାଯାଉଛି କିନ୍ତୁ ଯୋଜନାର ବାସ୍ତବତା ଭିନ୍ନ କାହାଣୀ କହୁଛି ।

Advertisment

ବିଭିନ୍ନ ରିପୋର୍ଟ ଅନୁଯାୟୀ, ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ତାଲିମ ପରେ ମଧ୍ୟ ନିଯୁକ୍ତି ପାଉନାହାନ୍ତି । ଅନ୍ୟପକ୍ଷରେ ଯେଉଁମାନେ ନିଯୁକ୍ତି ପାଉଛନ୍ତି, ସେମାନେ ଅଧିକାଂଶ ଅସ୍ଥାୟୀ ଏବଂ କମ୍ ଦରମାପ୍ରାପ୍ତ ଚାକିରିରେ ସୀମିତ । ଏଥିରୁ ପ୍ରମାଣ ହେଉଛି, କେବଳ ପ୍ରମାଣପତ୍ର ବଣ୍ଟନ କରିବା ସମାଧାନ ନୁହେଁ। ତାଲିମର ଗୁଣବତ୍ତା ଏବଂ ଶିଳ୍ପ ସହିତ ଏହାର ସଂଯୋଗ ପ୍ରକୃତ ସଫଳତା ନିର୍ଣ୍ଣୟ କରିବ। ଗ୍ରାମୀଣ ଭାରତରେ ଏହି ସମସ୍ୟା ଅଧିକ ଗୁରୁତର। ଅଧିକାଂଶ ଯୋଜନା ସହରାଞ୍ଚଳ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳ ମଧ୍ୟରେ ସୀମିତ। ଗ୍ରାମାଞ୍ଚଳରେ ତାଲିମ କେନ୍ଦ୍ର ସଂଖ୍ୟା ବହୁତ କମ୍।

ଡିଜିଟାଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଇଣ୍ଟରନେଟ କନେକ୍ଟିଭିଟି ଓ ବୈଷୟିକ ସାକ୍ଷରତା ବ୍ୟବଧାନ ଯୋଗୁଁ ତାଲିମ କାର୍ଯ୍ୟକ୍ରମଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ପ୍ରଭାବଶାଳୀ ହୋଇପାରୁ ନାହିଁ । ଗାଁର ଯୁବପିଢ଼ି ଚାହୁଁଥିଲେ ମଧ୍ୟ ସହରକୁ ଯାଇ ପ୍ରଶିକ୍ଷଣ ନେଇପାରନ୍ତି ନାହିଁ, କାରଣ ସେଠାରେ ପହଞ୍ଚିବା ପାଇଁ ତାଙ୍କ ପାଖରେ କୌଣସି ସାଧନ ନାହିଁ କିମ୍ବା ସମ୍ବଳ ନାହିଁ। ଏହି ଅସମାନତା ଦୂର ନକରି, ଭାରତର ଦକ୍ଷତା ସଙ୍କଟ ସମାଧାନ ସମ୍ଭବ ନୁହେଁ । ହେଲେ ଭାରତର ଏହି ସ୍ଥିତିକୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରାଯାଇପାରିବ । ଜର୍ମାନୀର ଡୁଆଲ ଏଜୁକେସନ ସିଷ୍ଟମ ଏହାର ଏକ ଉତ୍କୃଷ୍ଟ ଉଦାହରଣ । ସେଠାରେ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ସହିତ ଶିଳ୍ପରେ ବ୍ୟାବହାରିକ ତାଲିମ ପ୍ରଦାନ କରାଯାଏ ।

ଜାପାନର ଶିକ୍ଷା ବ୍ୟବସ୍ଥା ଓ ଚୀନର ଗ୍ରାମୀଣ ତାଲିମ କେନ୍ଦ୍ରଗୁଡ଼ିକ ପ୍ରମାଣ କରିଛନ୍ତି, ଶିଳ୍ପ ଓ ଶିକ୍ଷା ଏକାଠି କାମ କରିବା ଦ୍ୱାରା କୌଶଳ ବିକାଶ ସ୍ୱତଃ ସଶକ୍ତ ହୋଇପାରିବ । ଏହି ଦେଶରେ ଯୁବପିଢ଼ିଙ୍କୁ କେବଳ ବହିରେ ସୀମିତ ନରଖି ସେମାନଙ୍କୁ ପ୍ରକୃତ କାର୍ଯ୍ୟର ଅଭିଜ୍ଞତା ପ୍ରଦାନ କରାଯାଉଛି । ବର୍ତ୍ତମାନ ଭାରତକୁ ମଧ୍ୟ ଏହି ପଥ ଅନୁସରଣ କରିବା ପାଇଁ ପଡ଼ିବ ।
ବର୍ତ୍ତମାନ ସମୟରେ ସମସ୍ତ ଦକ୍ଷତା ଯୋଜନାଗୁଡ଼ିକୁ ଏକ କେନ୍ଦ୍ରୀକୃତ ପ୍ଲାଟଫର୍ମରେ ଆଣିବାର ଆବଶ୍ୟକତା ରହିଛି, ଯାହାଦ୍ଵାରା ସ୍ୱଚ୍ଛତା ଏବଂ ସମନ୍ୱୟ ସୁନିଶ୍ଚିତ ହୋଇପାରିବ । ପ୍ରଶିକ୍ଷକମାନଙ୍କୁ ମାନକ ତାଲିମ ଦିଆଯିବା ଉଚିତ । ଶିଳ୍ପର ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମଗୁଡ଼ିକୁ ପରିବର୍ତ୍ତନ କରିବା ସହ ଗ୍ରାମାଞ୍ଚଳକୁ ତାଲିମ କେନ୍ଦ୍ର ସହିତ ସଂଯୋଗ କରିବାକୁ ପଡ଼ିବ। ମୋବାଇଲ୍ ତାଲିମ ଭ୍ୟାନ୍, ଡିଜିଟାଲ୍ ଶ୍ରେଣୀ ଏବଂ ସ୍ଥାନୀୟ ଶିଳ୍ପ ସହିତ ସହଭାଗୀତା ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ।

ଏହା ସହିତ ଶିଳ୍ପଗୁଡ଼ିକୁ, ପାଠ୍ୟକ୍ରମ ବିକାଶ ଏବଂ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରିବାରେ ସକ୍ରିୟ ଅଂଶୀଦାର ହେବାକୁ ପଡିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦକ୍ଷତା ବିକାଶକୁ କେବଳ ଚାକିରି ପାଇବା ପର୍ଯ୍ୟନ୍ତ ସୀମିତ ରଖିବା ଉଚିତ୍ ନୁହେଁ। ଯୁବପିଢ଼ିଙ୍କ ମଧ୍ୟରେ ଜୀବନବ୍ୟାପୀ ଶିକ୍ଷାର ସଂସ୍କୃତି ବିକଶିତ କରିବାକୁ ପଡ଼ିବ। ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବାରୁ ଥରେ ଶିଖିଥିବା ଦକ୍ଷତା କିଛି ବର୍ଷ ମଧ୍ୟରେ ଅପ୍ରାସଙ୍ଗିକ ହୋଇଯାଉଛି। ଏପରି ସ୍ଥିତିରେ ଯୁବପିଢ଼ିଙ୍କୁ ନିରନ୍ତର ନୂତନ କୌଶଳ ଶିଖିବାକୁ ପଡିବ। ଏଥିରେ ଅନଲାଇନ୍ ପ୍ଲାଟଫର୍ମ ଏବଂ ମାଇକ୍ରୋ-କୋର୍ସ ସହାୟକ ହୋଇପାରିବ।

କେବଳ ହାତରେ ଡିଗ୍ରୀ ଥିଲେ କିଛି ଲାଭ ନାହିଁ, ଦକ୍ଷତା ଶିଖିଲେ ହିଁ ଭାରତର ଯୁବପିଢ଼ି ଦେଶ ପାଇଁ ପ୍ରକୃତ ସମ୍ପତ୍ତି ହୋଇପାରିବେ । ବେକାରୀ ସଂଖ୍ୟା ବଢ଼ୁଥିବାର ସବୁଠାରୁ ବଡ଼ କାରଣ କେବଳ ଚାକିରିର ଅଭାବ ନୁହେଁ ବରଂ ଯୁବପିଢ଼ିଙ୍କ ମଧ୍ୟରେ ଉପଯୁକ୍ତ ଦକ୍ଷତାର ଅଭାବ । ନୀତି ନିର୍ଦ୍ଧାରଣ, କାର୍ଯ୍ୟାନ୍ୱୟନରେ ଉନ୍ନତି, ତାଲିମର ଗୁଣବତ୍ତା ବୃଦ୍ଧି ଏବଂ ଶିଳ୍ପ ଓ ଶିକ୍ଷା ମଧ୍ୟରେ ଏକ ସେତୁ ନିର୍ମାଣ କରାଗଲେ, ଭାରତ ବିଶ୍ୱ ପ୍ରତିଯୋଗିତାରେ ଅଗ୍ରଣୀ ହୋଇପାରିବ।

Digital Learning National Integrity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ