ଖେଚୁଡ଼ି ରାନ୍ଧିଲେ ଶ୍ରମିକ, ମୋଦି ଖାଇଲେ...ଟିଣ ଘରେ ରାତି କାଟିଲେ

କେଦାରନାଥ ଓ ବଦ୍ରିନାଥ ମନ୍ଦିର ଗସ୍ତରେ ଯାଇ ୩ ହଜାର ୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସମୁଦ୍ରତଟରୁ ୧୧,୩୦୦ ଫୁଟ୍‌ ଉଚ୍ଚତାରେ ରହିଥିବା ଭାରତୀୟ ସେନା କ୍ୟାମ୍ପରେ ରାତି କଟାଇଛନ୍ତି ।

PM Modi

ଶନିବାର ଉତ୍ତରାଖଣ୍ତ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମା ରୋଡ୍‌ ଅର୍ଗାନାଇଜେସନ୍‌(BRO)ର ଏକ ଅସ୍ଥାୟୀ ଟିଣ ଘରେ ରାତି କଟାଇଲେ । ସମୁଦ୍ରତଟରୁ ୧୧,୩୦୦ ଫୁଟ୍‌ ଉଚ୍ଚତାରେ ରହିଛି ଭାରତୀୟ ସେନା କ୍ୟାମ୍ପ । BRO ରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଦ୍ୱାରା ରନ୍ଧା ଯାଇଥିବା ଖେଚୁଡ଼ି, ମଣ୍ଡୱେ କି ରୋଟି, ସ୍ଥାନୀୟ ଚଟନି ଏବଂ ଝାଗୋର କି ଖିର (ଏକ ପୁଡିଙ୍ଗ) ଖାଇଥିଲେ ।

କେଦାରନାଥ ଓ ବଦ୍ରିନାଥ ମନ୍ଦିର ଗସ୍ତରେ ଯାଇ ୩ ହଜାର ୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତାୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ BRO ର ଜଣେ ଅଧିକାରୀ କହିଛନ୍ତି ଯେ, ‘ଆମେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲୁ କି ପ୍ରଧାନମନ୍ତ୍ରୀ ମୋଦି ଆମର DET ପରିଦର୍ଶନ କରିବା ସହ ଆମ କ୍ୟାମ୍ପରେ ରାତି କଟାଇବେ । ମୋଦିଙ୍କ ଆସିବା ଖବର ପାଇବା ପରେ ଆମର ଏହି ଅସ୍ଥାୟୀ ଟିଣ ଘରେ ମୋଦିଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଆମ ପାଖରେ ୭୨ ଘଣ୍ଟାରୁ କମ୍‌ ସମୟ ଥିଲା’ ।

ମୋଦି ପରିଦର୍ଶନ ସମୟରେ ସେଠାକାର ସମସ୍ତ ଅଧିକାରୀ ଏବଂ ସଡକ ନିର୍ମାଣ କର୍ମଚାରୀଙ୍କ ସହ ଆଲୋଚନା କରି DET ରେ ରାତି ବିତାଇବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ସେମାନଙ୍କୁ ରାତ୍ରିଭୋଜନ ପାଇଁ ଖେଚୁଡ଼ି ପ୍ରସ୍ତୁତ କରିବା ପାଇଁ କହିଥିଲେ । ମୋଦିଙ୍କ ଭୋଜନ ପାଇଁ କୌଣସି ପ୍ରକାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା । DET ର ରୋଷଘରେ ପ୍ରତିଦିନ ରୋଷେଇ ହେଉଥିବା ଖାଦ୍ୟ ସାମଗ୍ରୀରେ ମୋଦିଙ୍କ ପାଇଁ ଖେଚୁଡ଼ି, ମଣ୍ଡୱେ କି ରୋଟି, ସ୍ଥାନୀୟ ଚଟନି ଏବଂ ଝାଗୋର କି ଖିର ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ କଥା ହେଉଛି, ସେଠାରେ ଚାଲିଥିବା ସଡ଼କ କାମ ପାଇଁ ନିୟୋଜିତ ଶ୍ରମିକ ମୋଦିଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିଥିଲେ ।

ଡିଇଟି କମାଣ୍ଡର ଏ.ଇ.ଇ ଭାବନା ଯୋଶୀ ମୋଦିଙ୍କ ସହ ଆସିଥିବା କର୍ମଚାରୀଙ୍କୁ ମୋଦି କଣ ଖାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ । ଉତ୍ତରରେ ସେମାନେ କହିଥିଲେ ଯେ, ମୋଦି ସ୍ଥାନୀୟ ଅଞ୍ଚଳର ସାଧାରଣ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି । ଏହାପରେ ମୋଦିଙ୍କ ପାଇଁ ଖେଚୁଡ଼ି, ପୋହା, ମିଥା କରେଲା ଏବଂ ଝାଗୋର କି ଖିର ପ୍ରସ୍ତୁତ କରାଯାଇଥିଲା ।