Viral Video
ତାଙ୍କର ହାତ ନାହିଁ । ଏମିତିକି ତାଙ୍କର ଗୋଡ଼ରେ ସବୁ ଆଙ୍ଗୁଳି ବି ନାହିଁ । ତଥାପି ସେ ଆସିଛନ୍ତି ଭୋଟ ଦେବାକୁ । ଆଉ ଭୋଟ ବି ଦେଇଛନ୍ତି । ହେଲେ ଭୋଟ କାଳି ମାରିବେ କେଉଁଠି । ଆପଣଙ୍କୁ କଥାଟା ଟିକେ ଅଡ଼ୁଆ ଲାଗୁଥିବ । ଆଉ ଆପଣ ଚିନ୍ତାରେ ବି ପଡ଼ିଥିବେ । ମନେ ମନେ ଆପଣ ଭାବୁଥିବେ, ଯଦି ଜଣଙ୍କର ଦୁଇଟା ଯାକ ହାତ ନାହିଁ ତାହାଲେ ସେ ଭୋଟ ଦେବେ କେମିତି ? ଆଉ ଯଦି ବା କାହା ସାହାଯ୍ୟରେ ଭୋଟ ଦେଲେ ଭୋଟ କାଳି ଲଗାଇବେ କେଉଁଠି ।
ଆଜ୍ଞା ହଁ ଏମିତି ଜଣେ ବ୍ୟକ୍ତି ଆଜି ଭୋଟ ଦେଇଛନ୍ତି । ଯାହାର ଦୁଇ ହାତ ନାହିଁ । ନିଜ ଗୋଡ଼ରେ ସେ ଇଭିଏମ୍ର ସୁଇଚ୍ ଚିପି ମତାଧିକାର ସାବ୍ୟସ୍ତ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା, ଏଥିପାଇଁ ସେ କାହାର ସାହାଯ୍ୟ ବି ନେଇ ନାହାନ୍ତି । ତାଙ୍କ ଭୋଟ ଦେବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯିଏ ବି ଦେଖୁଛି ଏହି ଭିଡିଓକୁ ଟିକେ ଅଟକି ଯାଉଛି । ଆଉ ମନ ଭରିବା ପର୍ଯ୍ୟନ୍ତ ବାରମ୍ବାର ଏହି ଭିଡିଓକୁ ଦେଖୁଛି ।
ଏହି ଭିଡିଓଟି ଗୁଜରାଟର ବୋଲି ଜଣାପଡ଼ିଛି । ଗୋଡ଼ରେ ସୁଇଚ୍ ଚିପି ଭୋଟ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅଙ୍କିତ ସୋନି । ସୋସିଆଲ ମିଡିଆରେ ଅନେକ ମତ ଦେଇଛନ୍ତି ଯେ ଏହା ନିଶ୍ଚିତ ଭାବେ ଏକ ପ୍ରେରଣାଦାୟୀ ଭିଡିଓ । ଅଙ୍କିତ ସେହିମାନଙ୍କ ପାଇଁ ଏକ ବଡ଼ ପ୍ରେରଣା, ଯେଉଁମାନେ ସହରରେ ରହୁଛନ୍ତି ଆଉ ଭୋଟ ଦିନ ଘରେ ବସି ଟିଭି ଦେଖୁଛନ୍ତି । ସରକାରୀ ଛୁଟିର ମଜା ନେଉଛନ୍ତି କିନ୍ତୁ ଭୋଟ ଦେବାକୁ କେନ୍ଦ୍ରକୁ ଯାଉ ନାହାନ୍ତି ।
ଭାଇରାଲ ଭିଡିଓରୁ ଯାହା ଜଣାପଡ଼ିଛି ଅଙ୍କିତ ଗୋଡ଼ରେ ଭୋଟ ଦେଇଛନ୍ତି । ଆଉ ଭୋଟ କାଳି ବି ଗୋଡ଼ର ବୁଢ଼ା ଆଙ୍ଗୁଳିରେ ମାରିଛନ୍ତି । କାରଣ ତାଙ୍କ ଗୋଡ଼ର ଅନ୍ୟ ଆଙ୍ଗୁଳି ଗୁଡ଼ିକ ବି ନଷ୍ଟ ହୋଇଯାଇଛି ।
ଅଙ୍କିତ ସୋନି ୨୦ ବର୍ଷ ପୂର୍ବେ ବିଦ୍ୟୁତ ଆଘାତ ଯୋଗୁଁ ଦୁଇ ହାତ ହରାଇଥିଲେ । ତା ସତ୍ତ୍ୱେ ସେ ନିଜକୁ ପାରଦର୍ଶୀ କରିପାରିଛନ୍ତି। ସେ କହିଛନ୍ତି, ‘ମୋର ଶିକ୍ଷକ ଏବଂ ଗୁରୁଙ୍କ ଆଶୀର୍ବାଦରେ ମୁଁ ସ୍ନାତକୋତ୍ତର କରିଛି । ଏହା ପରେ ସେ ଆଜି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏହା ସହ ସେ ପ୍ରତ୍ୟେକ ଜନସାଧାରଣଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ।
ସୂଚନା ଅନୁସାରେ, ଆଜି ତୃତୀୟ ପର୍ଯ୍ୟାୟରେ ୧୦ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା, ସୁପ୍ରିୟା ସୁଲେ ଏବଂ ସମାଜବାଦୀ ପାର୍ଟି ନେତା ଡିମ୍ପଲ ଯାଦବଙ୍କ ସମେତ ଅନେକ ହେଭିୱେଟ୍ ନିଜର ଭାଗ୍ୟ ପରୀକ୍ଷା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715076501.jpg)