ମୁର୍ସିଦାବାଦ ହିଂସା
ଜୀବନର ଶେଷ ପରିଣତି କ’ଣ ? ମୁଠାଏ ପାଉଁଶ ତ ? ନେତା, ମନ୍ତ୍ରୀ ହୁଅନ୍ତୁ ବା ଭିକାରୀ..ସମସ୍ତଙ୍କୁ ଏ ପରିଣତି ଭୋଗିବାକୁ ପଡ଼ିବ । ଏ ନିଷ୍ଠୁର ସତ୍ୟକୁ କିଏ ବା ନ ଜାଣେ ? ତଥାପି କାହିଁକି ଧର୍ମ ପାଇଁ ଏ ଯୁଦ୍ଧ ? କ୍ଷମତା ପାଇଁ ଏତେ ହିଂସା ? କାହିଁକି ମଣିଷ ଆଜି ପାଲଟି ଯାଇଛି ମଣିଷର ଶତ୍ରୁ ? ଧର୍ମ ନାଁରେ କେଉଁଠି ମଣିଷ ରକ୍ତ ପିପାଶୁ ହୋଇପଡୁଛି ତ କେଉଁଠି କ୍ଷମତା ପାଇଁ ନରସଂହାର କରୁଛି । ଧର୍ମର ଧ୍ୱଜା ଉଡାଉଥିବା ଧର୍ମାନ୍ଧ ମଣିଷର ଅଟ୍ଟହାସ୍ୟ ଭିତରେ ହଜିଯାଉଛି ମାନବିକତାର କରୁଣ କ୍ରନ୍ଦନ ।
କ୍ଷମତା ଆଉ ଅହଙ୍କାର ପାଇଁ ଚାଲିଥିବା ଏ ପ୍ରତିଯୋଗିତା ଭିତରେ ପୃଥିବୀ ଅଣନିଃଶ୍ୱାସୀ ହୋଇପଡୁଛି । ଜୀବନ ଆୟୁଷ ଟିକେ ପାଇଁ ଛଟପଟ ହେଉଛି । ଅନିଶ୍ଚିତ ଆଶଙ୍କା ଭିତରେ ଭବିଷ୍ୟତ ଯେମିତି ଧୂଆଁଳିଆ ଦିଶୁଛି । ହଁ, ମୁର୍ସିଦାବାର ସେଇ ହିଂସା କଥା କହୁଛୁ ଯେଉଁଠି ଧର୍ମାନ୍ଧ ମଣିଷର କ୍ଷମତାଲିପ୍ସୁ ମନୋଭାବ ମାନବତାକୁ ଦଳିଚକଟି ଦେଇଛି । ହିଂସାଦ୍ୱେଷର ପାଉଁଶଗଦା ଉପରେ ଛିଡ଼ା ହୋଇଥିବା ପୀଡିତଙ୍କ ପରିବାର ଯେମିତି ବଞ୍ଚିବା ପାଇଁ ଆୟୁଷ ମାଗୁଛନ୍ତି ।
ୱକଫ ସଂଶୋଧନ ବିଲକୁ ବିରୋଧ କରି ମୁର୍ସିଦାବାଦରେ ହିଂସାର ନିଆଁ ଜଳୁଛି । ଏହି ହିଂସାର ନିଆଁକୁ ଦେଖି ଘରଦ୍ୱାର ଛାଡ଼ି ଲୋକେ ପଳାୟନ କରୁଛନ୍ତି । ହେଲେ ଏହି ପୀଡିତମାନେ ପରିବାର ସହ କୁଆଡେ ଯାଇଥିବେ ? କେଉଁଠି ରହିଥିବେ ? କ’ଣ ଖାଉଥିବେ ? ଜାତୀୟ ମାନବାଧିକାର ଆୟୋଗ ଏବଂ ଜାତୀୟ ମହିଳା ଆୟୋଗର ଟିମ ଯେତେବେଳେ ମାଲଦାରେ ପହଞ୍ଚି ଏହି ଲୋକଙ୍କୁ ସାମ୍ନା କରିଥିଲେ ଘଟଣା ପଛର ଭୟଙ୍କର ସତ୍ୟ ଏବେ ସାମ୍ନାକୁ ଆସିଥିଲା ।
ଶିବିରରେ ଥିବା ଜଣେ ମହିଳା ଖବରଦାତାମାନଙ୍କୁ ଶିବିରରେ ଦିଆଯାଉଥିବା ନିର୍ଯାତନା ବିଷୟରେ କହିଥିଲେ । ମହିଳାଜଣକ କହିଥିଲେ, ‘ପୋଲିସ ତାଙ୍କୁ ଅପରାଧି ପରି ବ୍ୟବହାର ଦେଖାଉଛି । ଆମକୁ ଶୁଖିଲା ରୁଟି, କଦଳୀ ଏବଂ ବାସି ଭାତ ଖାଇବାକୁ ଦିଆଯାଉଛି । ଆମ କଷ୍ଟ ବର୍ଣ୍ଣନା କରି ହେବନି । ଆମେ ଭାବିପାରୁନୁ ଆମେ ଶରଣାର୍ଥୀ ଶିବିରରେ ଅଛୁ ନା ଜେଲ ଭିତରେ ?’
ସ୍ଥାନୀୟ ହାଇସ୍କୁଲ ଭିତରେ ଚାଲିଥିବା ଅସ୍ଥାୟୀ କ୍ୟାମ୍ପରେ ଲୋକଙ୍କ ସହ ଆଲୋଚନା କରିଥିଲେ ଜାତୀୟ ମାବନବାଧିକାର କର୍ମୀ । ୱକଫ ସଂଶୋଧନ ବିଲ ବିରୋଧରେ ମୁର୍ସିଦାବାଦରେ ହିଂସା ଉଗ୍ର ରୂପ ନେବା ପରେ ମାନବାଧିକାର ସଦସ୍ୟ ନିଜଆଡୁ ଘଟଣାର ତଦନ୍ତ କରିଥିଲେ । ଏହି ଟିମ୍ ମାଲଦାର ପରଲାଲପୁର ହାଇସ୍କୁଲରେ ଥିବା ଅସ୍ଥାୟୀ ଶିବିରକୁ ଯାଇ ପ୍ରଭାବିତ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।
ମହିଳାଙ୍କ ସ୍ଥିତି ଆମକୁ ସ୍ତବ୍ଧ କରିଦେଲା
ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ବିଜୟା ରହାଟକର ମହିଳାଙ୍କ ଉପରେ ହୋଇଥିବା ହିଂସାର ଆକଳନ କରିବା ପାଇଁ ଏବଂ ସେମାନଙ୍କୁ ପୁନଃଥଇଥାନ ପାଇଁ କି ଉଦ୍ୟମ କରାରାଉଛି ତାହାର ନିରୀକ୍ଷଣ କରିବା ପାଇଁ ଶୁକ୍ରବାର ଦୁଇଦିନିଆ ଗସ୍ତରେ ମାଲଦା ଏବଂ ମୁର୍ସିଦାବାଦ ଯାଇଥିଲେ । ଶିବିରରେ ଥିବା ପୀଡିତଙ୍କ ସହ ଆଲୋଚନା କରିଥିଲେ । ରହାଟକର ସାମ୍ବାଦିକମାନଙ୍କୁ କହିଛନ୍ତି, ‘ଏଠାରେ ମହିଳା ଏବଂ ଶିଶୁମାନଙ୍କ ସ୍ଥିତି ମୋତେ ସ୍ତବ୍ଧ କରିଦେଇଛି । ମହିଳା ଓ ଶିଶୁମାନଙ୍କୁ ଘରୁ ଜବରଦସ୍ତ ବାହାର କରି ଦିଆଯାଇଛି । ଏବେ ସେମାନେ ଅକଳ୍ପନୀୟ ଯନ୍ତ୍ରଣା ଭିତରେ ବଞ୍ଚିଛନ୍ତି ।’
ମହିଳାଙ୍କ ସହ ଅଶାଳୀନ ବ୍ୟବହାର କରାଯାଇଛି, ଘରୁ ବାହାର କରି ଦିଆଯାଇଛି
ରହାଟକରଙ୍କ ସହ ଥିବା ଜାତୀୟ ମାନବାଧିକାର କମିଶନ ସଦସ୍ୟ ଅର୍ଚ୍ଚନା ମଜୁମଦାର ଅଭିଯୋଗ କରିଛନ୍ତି, ଏଠାରେ ମହିଳାଙ୍କ ସହ ଅଶାଳୀନ ବ୍ୟବହାର କରାଯାଇଛି । ସେମାନଙ୍କୁ ଘରୁ ଜବରଦସ୍ତ ବାହାର କରି ଦିଆଯାଇଛି । ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ତୃଣମୂଳ ସରକାର ଏଠାରେ କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପରିସ୍ଥିତିକୁ ଦେଖି କ୍ଷୋଭ ପ୍ରକାଶ କରିବା ସହ ‘ସରକାର କ’ଣ ପଶ୍ଚିମବଙ୍ଗକୁ ଆଉ ଏକ ବାଂଲାଦେଶ କରିବାକୁ ଚେଷ୍ଟା କରୁଛନ୍ତି କି’ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଆଖି ସାମ୍ନାରେ ଦେଖୁଥିଲେ ଘର ଜଳୁଛି
ଜଣେ ପୀଡିତା ମାନବାଧିକାର କମିଶନଙ୍କୁ ସେ ଦିନର ଭୟଙ୍କର ଅନୁଭୂତି ବଖାଣିଥିଲେ । ସେ କହିଥିଲେ, ଆମକୁ ଜବରଦସ୍ତ ଘରୁ ବାହାର କରି ଦିଆଗଲା । ହେଲେ ଆମେ ନ ଆସିବାରୁ ଘରେ ନିଆଁ ଲଗାଇ ଦିଆଗଲା । ଘର ଜଳି ଯାଉଥିବା ଦେଖି ଜୀବନ ବଞ୍ଚାଇ ଆମେ ବାହାରି ଆସିଥିଲୁ । ସେବେଠାରୁ ଘର ଛାଡ଼ି ଆସିଲୁଣି ଯେ ଏ ଯାଏ ଆମେ ଘରକୁ ଫେରି ପାରୁନୁ ।’ ଅର୍ଚ୍ଚନା ମଜୁବଦାର ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସ୍ଥିତି ସାଂଘାତିକ ଥିବା କହିବା ସହ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ।
ଆଉଥରେ ବଳାତ୍କାର ହେବା ପାଇଁ କ’ଣ ଯିବୁ ?
ଅର୍ଚ୍ଚନା ମଜୁମଦାର କହିଛନ୍ତି, ଏଠାକୁ କୌଣସି ମିଡିଆ ଆସୁନି । ତେବେ ଆସୁନି ନା ଆସିବାକୁ ଦିଆ ଯାଉନି ତାହାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଯଦି ମିଡିଆ ଆସିଥାନ୍ତି ତେବେ ଏଠିକାର ସ୍ଥିତି ସମ୍ପର୍କରେ ଠିକ ସୂଚନା ମିଳି ପାରିଥାନ୍ତା ବୋଲି ସେ କହିଛନ୍ତି । ଶିବିରରେ ଛୋଟ ଛୋଟ ଶିଶୁମାନେ ଭୋକରେ ବିକଳ ହୋଇ କାନ୍ଦୁଛନ୍ତି । ହେଲେ ସେମାନଙ୍କ ପାଇଁ ଏଠାରେ ବେବି ଫୁଡ ଦିଆଯାଉ ନାହଁ । ଶିବିରରେ ଥିବା ପୀଡିତଙ୍କୁ ଖାଇବାକୁ ମିଳୁନି । ରୋଗ ହେଲେ ନା ଡାକ୍ତର ଅଛନ୍ତି ନା ଔଷଧ ଟିକେ ମିଳୁଛି । ଶିବିରରେ ଥିବା ଅଧିକାଂଶ ଲୋକଙ୍କ ଘର ଜଳି ଯାଇଛି । ପୋଷାକ ନାହିଁ । ଘରକୁ ଯାଇ କ’ଣ କରିବେ ବୋଲି ପୀଡିତମାନେ ପ୍ରଶ୍ନ କରିବା ସହ ‘କ’ଣ ଆଉଥରେ ବଳାତ୍କାରର ଶିକାର ହେବାକୁ ଯିବୁ କି’ ବୋଲି ପ୍ରଶ୍ନ କରିଛନ୍ତି ।
ଆଖି ସାମ୍ନାରେ ସ୍ୱାମୀ ଓ ପୁଅକୁ ମାରିଦେଲେ
ମୁର୍ସିଦାବାଦର ଜାଫରାବାଦ ଗାଁର ଶେଷ ପ୍ରାନ୍ତରେ ଥିବା ଘର ଉପଦ୍ରବକାରୀମାନେ ପଶି ପିତା ଏବଂ ପୁତ୍ରଙ୍କୁ ହତ୍ୟା କରି ଦେଇଥିଲେ । ଘରର ମୁଖ୍ୟ କବାଟ ଭାଙ୍ଗି ଦେଇଥିଲେ । ସିଡି ଉପରକୁ ଫିଙ୍ଗିଥିବା ଟେକାପଥର ଆଜି ବି ସେମିତି ପଡ଼ିଛି । ପ୍ରତ୍ୟକ୍ଷଦର୍ଶୀ ସେଦିନର ଲୋମଟାଙ୍କୁରା କାହାଣୀ ବର୍ଣ୍ଣନା କରି କହିଛନ୍ତି, ଆତତାୟୀମାନେ ହରଗୋବିନ୍ଦ ଦାସ ଏବଂ ପୁଅ ଚନ୍ଦନ ଦାସଙ୍କୁ ହତ୍ୟା କରିଥିଲେ । ଘରର ଗୋଟିଏ କଣରେ ବୟସ୍କ ମହିଳା ହରଗୋବିନ୍ଦଙ୍କ ପତ୍ନୀ ପାରୁଲ ବସିଥିଲେ । ସେ ଦୃଶ୍ୟ ତାଙ୍କୁ ଏମିତି ସ୍ତବ୍ଧ କରି ଦେଇଥିଲା ଯେ ନା ସେ କାନ୍ଦି ପାରୁଥିଲେ ନା କଥା କହି ପାରୁଥିଲେ । ବହୁତ ବିଳମ୍ବରେ ଏତିକି ମାତ୍ର କହିଥିଲେ..‘ ଆଉ ଦରକାର ନାହିଁ ମମତା ଦିଦିର ବଙ୍ଗାଲର ଘର..’ । ଏହାପରେ ସେ ଚୁପ ହୋଇ ଯାଇଥିଲେ । ଏହାପରେ ପୁଣି ବଙ୍ଗାଳୀ ଭାଷାରେ କହିଥିଲେ, ‘ଟଙ୍କା ନେଇ କ’ଣ କରିବି ? ଟଙ୍କା କ’ଣ ମୋ ସ୍ୱାମୀ ଓ ପୁଅକୁ ଫେରାଇ ଦେବ ? ଏହି ପରିବାର କୌଣସି ଆର୍ଥିକ ସହାୟତା ନେବାକୁ ମନା କରି ଦେଇଥିଲେ । ପାରୁଲ କହିଥିଲେ, ‘ମୋ ସ୍ୱାମୀ ଓ ପୁଅଙ୍କୁ ଏଥିପାଇଁ ହତ୍ୟା କରାଗଲା କାରଣ ଆମେ ହିନ୍ଦୁ ।’
ମୋ ଦାଦୁ ଓ ବାପାଙ୍କୁ ଯେମିତି ନୃଶଂସ ଭାବେ ମାରିଛନ୍ତି ସେମିତି ନୃଶଂସ ଦଣ୍ଡ ମିଳୁ
ପାରୁଲଙ୍କ ନାତି ଅର୍ଥାତ ମୃତ ପୁଅ ଚନ୍ଦନ ଦାସଙ୍କ ୧୧ ବର୍ଷର ପୁଅ ଆକାଶ ବି ବାପା ଓ ଜେଜେବାପାଙ୍କ ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ସ୍ତବ୍ଧ ହୋଇ ଯାଇଛି । ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି କୁନି ପିଲାଟିର ନିରୀହ ପ୍ରଶ୍ନ ‘ମୋର ଦାଦୁ ଓ ପାପାଙ୍କର କ’ଣ ଦୋଷ ଥିଲା ? କାହିଁକି ଲୋକମାନେ ତାଙ୍କୁ ଏତେ ନୃଶଂସ ଭାବେ ମାରିଦେଲେ ?’ ଏବେ ପ୍ରତିହିଂସାର ନିଆରେ ଜଳୁଛି ଏହି କୁନିପିଲାଟିର ମନ । ସେ କହୁଛି, ମୋ ଦାଦୁ ଓ ବାପାଙ୍କୁ ଯେଉଁମାନେ ଯେମିତି ମାରିଛନ୍ତି ସେମାନଙ୍କୁ ସେମିତି ନୃଶଂସ ଦଣ୍ଡ ମିଳିବା ଦରକାର ।’
ହଜାର ହଜାର ଲୋକ ଗାଁକୁ ପଶି ଆସିଲେ, ପଥର ଫିଙ୍ଗିଲେ
ପାରୁଲ ଦାସ ସେ ଦିନର ହୃଦୟଥରା କାହାଣୀ ବର୍ଣ୍ଣନା କରି କହିଛନ୍ତି, ଆମେ କିଛି ଜାଣି ନ ଥିଲୁ । ହଠାତ ଦେଖିଲୁ, ହଜାର ହଜାର ସଂଖ୍ୟାରେ ଲୋକ ଗାଁ ଭିତରକୁ ପଶି ଆସୁଛନ୍ତି । ଘର ଉପରକୁ ଟେକା, ପଥରମାଡ କରୁଛନ୍ତି । ଘର ଭିତରେ ପଶି ଲୁଟପାଟ କରୁଛନ୍ତି । ଆମ ଘର ଉପରକୁ ଦୁଇଥର ଆକ୍ରମଣ କରିଥିଲେ । ହେଲେ ଘର ଭିତରକୁ ପଶିବାରେ ବିଫଳ ହୋଇଥିଲେ । ତୃତୀୟ ଥର ଲୁହାର ବଡ ବଡ ରଡ ଧରି ଘରର କବାଟ ଭାଙ୍ଗି ଦେଲେ । ଏହା ପରେ ଉପଦ୍ରବକାରୀମାନେ ଛାତ ଉପରୁ, ଘରର ପଛପଟୁ ଚାରିପଟୁ ଆକ୍ରମଣ କରିଥିଲେ । ପତି ଏବଂ ପୁଅର ବେକକୁ ଧରି ଟାଣି ବାହାରକୁ ନେଇ ଯାଇଥିଲେ ଏବଂ ଧାରୁଆ ଅସ୍ତ୍ରରେ ଶୀରରକୁ କାଟି ପକାଇଥିଲେ । ଏସବୁ ଲୋମ ଟାଙ୍କୁରା କାହାଣୀ କହିବା ବେଳେ ପାରୁଲଙ୍କ ଆଖିରୁ ଧାର ଧାର ଲୁହ ବହି ଯାଉଥିଲା । ସେ କହୁଥିଲେ, ହାତ, ପାଦ କାଟି ଦେଇଥିଲେ । ଶରୀରର ଏମିତି କୌଣସି ଅଙ୍ଗ ନାହିଁ ଯେଉଁଠି କ୍ଷତ ଚିହ୍ନ ନ ଥିଲା ।
ନିଜେ ଘରେ ମମତାଙ୍କୁ ଚାରିଆଡୁ ବିରୋଧ
ପଶ୍ଚିମବଙ୍ଗର ରାଜ୍ୟପାଳ, ଜାତୀୟ ମହିଳା କମିଶନ ଏବଂ ଜାତୀୟ ମାନବାଧିକାର କମିଶନ ଟିମ ମୁର୍ସିଦାବାଦରେ ପହଞ୍ଚିବା ପରେ ସମସ୍ତ ଘଟଣା ପାଇଁ ମମତା ବାନାର୍ଜୀ ସରକାରଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ଘଟଣାସ୍ଥଳକୁ ନ ଯିବା ପାଇଁ ଅପିଲ କରିଥିଲେ । ଏପରିକି ମୁର୍ସିଦାବାଦ ବାହାର ଲୋକଙ୍କୁ ସେଠାକୁ ଯିବାପାଇଁ ବି ସେ ବାରଣ କରିଥିଲେ । ପରିସ୍ଥିତିକୁ ଦେଖି ସେ ନିଜେ ବି ଯାଉ ନାହାନ୍ତି ବୋଲି କହିଥିଲେ । ହେଲେ ରାଜ୍ୟପାଳ ତାଙ୍କ କଥା ଶୁଣି ନ ଥିଲେ । ସେ ପୀଡିତଙ୍କୁ ଭେଟିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ଏଠିକାର ହିଂସା ଏବଂ କ୍ଷୟକ୍ଷତି ଆକଳନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଚାହୁଁଥିଲେ । ସେହିପରି ଜାତୀୟ ମହିଳା କମିଶନ ଏବଂ ଜାତୀୟ ମାନବାଧିକାର କମିଶନଳ ଟିମ ମଧ୍ୟ ନିଜ ଆଡୁ ଏହି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745049306.jpg)