ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ, କାଲି ଯାଏ ସ୍ଥିତିରେ ନାହିଁ ସୁଧାର

ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ଆସନ୍ତାକାଲି ଯାଏ ସ୍ଥିତିରେ ସୁଧାର ଆଶା କରାଯାଉନଥିବା ବେଳେ ପାଲଘର ପାଇଁ ରେଡ୍ ଆଲର୍ଟ ଏବଂ ରାଇଗଡ଼ ଜିଲ୍ଲା ଲାଗି ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।

Orange Warning

ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ଆସନ୍ତାକାଲି ଯାଏ ସ୍ଥିତିରେ ସୁଧାର ଆଶା କରାଯାଉନଥିବା ବେଳେ ପାଲଘର ପାଇଁ ରେଡ୍ ଆଲର୍ଟ ଏବଂ ରାଇଗଡ଼ ଜିଲ୍ଲା ଲାଗି ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ସେପଟେ ଗୁଜରାଟର ସୁରତ ଏବଂ ତାମିଲନାଡୁର ଚେନ୍ନାଇ ଏବଂ ଚଣ୍ଡିଗଡ଼ରେ ବି ଲଗାଣ ବର୍ଷା ଯୋଗୁଁ ସ୍ଥିତି ବିଗିଡ଼ିଛି ଏବଂ ଏହାର ପ୍ରଭାବ ସାଧାରଣ ଜନ ଜୀବନ ଉପରେ ପଡ଼ିଛି ।

ମାୟାନଗରୀ ମୁମ୍ବାଇରେ ମୂଷଳ ଧାରାରେ ବର୍ଷା ପରେ ସ୍ଥିତି ସଂଗୀନ । ପାଣି ପାଣି ରାସ୍ତା ଘାଟ, ଯାତାୟତ ଠପ୍ । ଗତକାଲିର ଲଗାଣ ବର୍ଷା ପରେ ଆଜି ବି ଅନେକ ସ୍ଥାନରେ ସ୍ଥିତି ଉଦବେଗଜନକ ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରି ମୁମ୍ବାଇ ଏବଂ ଥାନେ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ପାଲଘର ଜିଲ୍ଲା ପାଇଁ କିନ୍ତୁ ବିପଦ ଅଧିକ ଥିବାରୁ ରେଡ୍ ୱାର୍ଣ୍ଣଂ ଜାରି କରିଛି ଆଇଏମଡି । ଆସନ୍ତାକାଲି ସକାଳ ଯାଏଁ ପାଲଘର ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି । ରାଇଗଡ଼ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଗତକାଲି ଅପେକ୍ଷା ଆଜି ପାଗରେ ସାମାନ୍ୟ ସୁଧାର ଆସିଥିବାରୁ ବସ୍, ଟ୍ରେନ୍ ସେବା ସ୍ୱାଭାବିକ ହୋଇଛି ।

ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ସେଠାରେ କିନ୍ତୁ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁ ମୁମ୍ବାଇରେ ସ୍ଥିତି ବେଶ୍ ବିପଦଜନକ ସାବ୍ୟସ୍ତ ହୋଇଛି । ଗତକାଲି ଜଣେ ୪୫ ବର୍ଷୀୟା ମହିଳା ଡ୍ରେନରେ ଖସି ପଡ଼ିବାରୁ ମୃତ୍ୟୁ ବରଣ କରିଛନ୍ତି । ଅନ୍ଧେରୀ ଇଷ୍ଟରେ ଏହି ଅଘଟଣ ଘଟିଥିବା ବେଳେ ଏହାର ତଦନ୍ତ ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ଅବସ୍ଥା । ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି । ସୁରତରେ ବର୍ଷା ଯୋଗୁ ଅନେକ ଅଂଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ବହୁ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ରାସ୍ତା ଜଳମଗ୍ନ ଯୋଗୁ ଗମନାଗମନରେ ଏକପ୍ରକାର ବାଧା ଉପୁଜିଛି ।

ସହରର ବିଭିନ୍ନ ସ୍ଥାନରେ ଜଳ ଜମାଟ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେବଳ ମହାରାଷ୍ଟ୍ର କି ଗୁଜରାଟ କାହିଁକି ପଞ୍ଜାବର ଚଣ୍ଡିଗଡ଼ ଏବଂ ତାମିଲନାଡୁର ଚେନ୍ନାଇରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଏଠାରେ ବି ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି ।