ଖାଇବା ତେଲ ପରେ ବଢିଲା କ୍ଷୀର ଦର, ଜାଣନ୍ତୁ ଲିଟର୍‌ ପିଛା କେତେ ?

କ୍ରୟ ମୂଲ୍ୟ ବୃଦ୍ଧି (ଚାଷୀଙ୍କୁ ଦିଆଯାଉଥିବା ପରିମାଣ), ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟକୁ ଦୃଷ୍ଟିରେ ରଖି ମଦର୍‌ ଡାଏରୀ କ୍ଷୀର ଲିଟର୍‌ ମୂଲ୍ୟ ୨ ଟଙ୍କା ବୃଦ୍ଧି କରିବାକୁ ବାଧ୍ୟ ହୋଇଛି ବୋଲି କମ୍ପାନୀ ପକ୍ଷରୁ ଶନିବାର କୁହାଯାଇଛି ।

Mother Diary

କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି କଲା ମଦର ଡାଏରୀ । ବର୍ଦ୍ଧିତ ଦାମ୍ ଆସନ୍ତାକାଲି ଠାରୁ ଲାଗୁ କରିବାକୁ ଘୋଷଣା କରାଯାଇଛି । ତୈଳ ଦାମ୍ ଓ ପ୍ୟାକିଂ ଖର୍ଚ୍ଚ ବଢ଼ିଥିବାରୁ ଦାମ୍ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ଅମୁଲ ଏବଂ ପରାଗ ମିଲ୍କ ଫୁଡ୍ସର ଲିଟର ପିଛା ମୂଲ୍ୟ ୨ ଟଙ୍କା ବୃଦ୍ଧି ହେବା ପରେ ମଦର୍‌ ଡାଏରୀ ପକ୍ଷରୁ ଏହି ଘୋଷଣା କରାଯାଇଛି ।

କ୍ରୟ ମୂଲ୍ୟ ବୃଦ୍ଧି (ଚାଷୀଙ୍କୁ ଦିଆଯାଉଥିବା ପରିମାଣ), ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟକୁ ଦୃଷ୍ଟିରେ ରଖି ମଦର୍‌ ଡାଏରୀ କ୍ଷୀର ଲିଟର୍‌ ମୂଲ୍ୟ ୨ ଟଙ୍କା ବୃଦ୍ଧି କରିବାକୁ ବାଧ୍ୟ ହୋଇଛି ବୋଲି କମ୍ପାନୀ ପକ୍ଷରୁ ଶନିବାର କୁହାଯାଇଛି । ଫୁଲ୍ କ୍ରିମ୍ କ୍ଷୀର ରବିବାର ଠାରୁ ଲିଟର ପିଛା ₹ ୫୯ ରହିବ । ମଦର ଡାଏରୀ କ୍ଷୀର ୧୦୦ଟି ଦେଶରୁ ଅଧିକ ସହରରେ ଉପଲବ୍ଧ ହୋଇଥାଏ ।

ସେହିପରି ରୋଷେଇ ଘରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଝଟକା । ଲମ୍ବ ଡିଆଁ ମାରିଛି ରିଫାଇନ ତେଲ ଦର । ଖୁଚୁରା ବଜାରରେ ସନଫ୍ଲାୱାର ତେଲ ଦର ଲିଟର ପିଛା ୧୬୫ରୁ ୧୭୦ ଟଙ୍କାରେ ପହଞ୍ଚିଛି । ୧୦ ଦିନ ତଳେ ଦର ୧୪୦ରୁ ୧୪୫ ଟଙ୍କା ଥିବା ବେଳେ ହଠାତ୍ ଲିଟର ପିଛା ୨୦ରୁ ୨୫ ଟଙ୍କା ବଢିଯାଇଛି । ଦେଶରେ ସନ୍‌ଫ୍ଲାୱାର ତେଲ ଚାହିଦାର ୮୦ ପ୍ରତିଶତ ୟୁକ୍ରେନ୍‌ରୁ ଆସିଥାଏ । ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଏଣୁ ଦେଶରେ ତେଲର ଅଭାବ ସ୍ଥିତି ଯୋଗୁ ଦର ବଢ଼ିଥିବା ବ୍ୟବସାୟୀ କହିଛନ୍ତି । ତେବେ ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ଆମଦାନିକାରୀଙ୍କ ଉପରେ କଡ଼ା ନଜର ରଖିବା ଦରକାର ବୋଲି ବ୍ୟବସାୟୀ ମତ ଦେଇଛନ୍ତି ।

ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ପ୍ରେଟ୍ରୋଲିୟମ ଉତ୍ପାଦନ ଓ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାରରେ ପହଞ୍ଚିଛି, ଯାହାକି ଗଲା ୯ ବର୍ଷରେ ସର୍ବାଧିକ । ନଭେମ୍ବର ୬ ପରଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଫଳରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କୁ ବିପୁଳ କ୍ଷତି ସହିବାକୁ ପଡୁଛି । କେବଳ ବ୍ରେକ୍ ଇଭିନ୍ ବା ବରାବର ସ୍ଥିତିକୁ ଆସିବା ଲାଗି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଅତି କମ୍‌ରେ ୧୨ ଟଙ୍କା ବଢ଼ାଇବାକୁ ପଡ଼ିବ ବୋଲି ଆକଳନ କରାଯାଇଛି । ଏପଟେ ପେଟ୍ରୋଲିୟମ ସଂଘର କହିଛି ଯେ, ବିଧାନସଭା ନିର୍ବାଚନକୁ ଦୃଷ୍ଟିରୁ ତୈଳ ଦର ସ୍ଥିର ଅଛି, ୭ରେ ଭୋଟ୍ ସରିବା ପରେ ଯେ କୌଣସି ମୁହୂର୍ତ୍ତରେ ତୈଳଦର ବଢ଼ିପାରେ ।

କେବଳ ପେଟ୍ରୋଲିୟମ ଉତ୍ପାଦ ଓ ଖାଇବା ତେଲ ଉପରେ ଯୁଦ୍ଧର ପ୍ରଭାବ ପଡ଼ିଛି ତାହା ନୁହେଁ, ବିଶ୍ୱର ଖାଦ୍ୟ ଯୋଗାଣ ପ୍ରକ୍ରିୟା ବି ବାଧାପ୍ରାପ୍ତ ହୋଇଛି । କାରଣ ବିଶ୍ୱର ମୋଟ ଗହମ ରପ୍ତାନିରେ ରୁଷ ଓ ୟୁକ୍ରେନର୍ ୩୦% ଅଂଶୀଦାର ରହିଛି । ସେହିପରି ମକା ରପ୍ତାନୀର ୧୯ ପ୍ରତିଶତ ଋଷିଆ ଓ ୟୁକ୍ରେନ କରିଥାଆନ୍ତି । ଏହାଛଡ଼ା ଇଲେକ୍ଟ୍ରୋନିକ୍ସ ଓ ଅଟୋମୋବାଇଲ କଞ୍ଚାମାଲ ଉତ୍ପାଦନରେ ଉଭୟ ଦେଶଙ୍କର ବଡ଼ ଭାଗିଦାରୀ ରହିଛି । ତେଣୁ ଅଟୋମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଦର ବଢିବା ଆଶଙ୍କା ବି ରହିଛି । ଯୁଦ୍ଧ ବେଶୀ ଦିନ ଲାଗି ରହିଲେ ଭାରତୀୟ ବଜାର ବିଶେଷ ଭାବେ ପ୍ରଭାବିତ ହେବ ବୋଲି ବଜାର ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି ।