ୟୁପି ଲଖିମପୁର ଖେରି ହିଂସା ମାମଲା : କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେଲେ ଆଶିଷ ମିଶ୍ରା

କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ବାପାଙ୍କ ସହ କ୍ରାଇମ ବ୍ରାଞ୍ଚରେ ହାଜର ହୋଇଛନ୍ତି ଆଶିଷ ମିଶ୍ରା 

Ashish Mishra

News Summary

ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲା

କ୍ରାଇମବ୍ରାଞ୍ଚ ଅଫିସରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା

ତଦନ୍ତରେ ସହଯୋଗ ଲାଗି ଘରେ ନୋଟିସ ମାରିଥିଲା ୟୁପି ପୋଲିସ

ତେଣେ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ : କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ବାପାଙ୍କ ସହ କ୍ରାଇମ ବ୍ରାଞ୍ଚରେ ହାଜର ହୋଇଛନ୍ତି ଆଶିଷ ମିଶ୍ରା  । ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମାଡ଼ିଯିବା ଘଟଣା ଓ ପରବର୍ତ୍ତୀ ହିଂସା ମାମଲାରେ ସେ ହାଜର ହୋଇଛନ୍ତି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ସ୍ଥାନରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଶିଷ ମିଶ୍ରଙ୍କ ହାଜର ହେବା ପୂର୍ବରୁ ସଂପୃକ୍ତ ସ୍ଥାନ ପୋଲିସ ଛାଉଣୀରେ ପରିଣତ ହୋଇଛି । ସବୁ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ସମୟସୀମାର ପ୍ରାୟ ୨୨ ମିନିଟ୍ ପୂର୍ବରୁ ଆଶିଷ ମିଶ୍ରା ସକାଳ ୧୦.୩୮ରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଟିମ୍ ମଧ୍ୟ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି । ଆଶିଷ ମିଶ୍ରଙ୍କ ପଚରାଉଚରା ଆରମ୍ଭ ହୋଇଛି ।

ଆଶିଷ ମିଶ୍ରଙ୍କ ସହ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ଅଛନ୍ତି। ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଆଶିଷଙ୍କର ଏକ ଷ୍ଟେଟମେଣ୍ଟ ରେକର୍ଡ କରାଯାଉଛି । ଆଶିଷ ତାଙ୍କ ସହ ଏକ ଡଜନ ଲୋକଙ୍କ ଆଫିଡେଭିଟ୍ ଆଣିଛନ୍ତି, ଯେଉଁଥିରେ କୁହାଯାଇଛି ସେ ଘଟଣାସ୍ଥଳରେ ନଥିଲେ। ଆଶିଷ ତାଙ୍କ ଇଲେକ୍ଟ୍ରୋନିକ୍ ପ୍ରମାଣ ସହିତ ମଧ୍ୟ କ୍ରାଇମବ୍ରାଞ୍ଚ୍ ପହଞ୍ଚିଛନ୍ତି । ତଦନ୍ତରେ ସହଯୋଗ ଲାଗି କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବାକୁ ଆଶିଷ ମିଶ୍ରଙ୍କୁ ନୋଟିସ କରାଯାଇଥିଲା । ହେଲେ ଗତକାଲି ସେ ହାଜର ହୋଇନଥିଲେ । ତେଣୁ ତାଙ୍କ ଘରେ ୟୁପି ପୋଲିସ ପୁଣି ଏକ ନୋଟିସ୍ ଲଗାଇଥିଲା । ସୁପ୍ରିମକୋର୍ଟ ମଧ୍ୟ ୟୁପି ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଭର୍ତ୍ସନା କରିଥିଲେ । ଏହା ପରେ ଆଶିଷ ଆଜି କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହୋଇଛନ୍ତି ।

ସୂଚନାଯୋଗ୍ୟ ଲଖିମପୁର ଖେରିରେ ହୋଇଥିବା ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କର ଜୀବନ ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଥିଲେ । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଅଜୟ ମିଶ୍ରା ।