ଉଲଗ୍ନ ହୋଇ ବିକ୍ଷୋଭ ପ୍ରଦର୍ଶନ, ରାସ୍ତାକୁ ଓହ୍ଲାଇଲେ ୧୨ରୁ ଅଧିକ ଯୁବକ

Nude Protest : ରାୟପୁରରେ କିଛି ଯୁବକ ଉଲଗ୍ନ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Nude Protest

ଶରୀରରେ ପୋଷାକ ନାହିଁ.. ରାଜରାସ୍ତାରେ ୧୨ରୁ ଅଧିକ ଯୁବକ ଉଲଗ୍ନ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ଛତିଶଗଡ଼ର ରାଜଧାନୀ ରାୟପୁରରେ କିଛି ଯୁବକ ନକଲି ଜାତି ପ୍ରମାଣପତ୍ର ବ୍ୟବହାର କରି ସରକାରୀ ଚାକିରି ପାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଯୁବକମାନେ ଉଲଗ୍ନ ପ୍ରଦର୍ଶନ କରିଛନ୍ତି । ବିଧାନସଭା ଆଡ଼କୁ ଯାଉଥିବା ବେଳେ ପୋଲିସ ଉଲଗ୍ନ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ଛତିଶଗଡ଼ ବିଧାନସଭାରେ ଚାରି ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ।

ସୂଚନା ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିର ଯୁବକମାନେ ଚାକିରି ପାଇବା ପାଇଁ ନକଲି ଜାତି ପ୍ରମାଣପତ୍ର ବ୍ୟବହାର କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନଗ୍ନ ହୋଇ ବିଧାନସଭା ଆଡ଼କୁ ଅଗ୍ରସର ହୋଇଥିଲେ । ସମସ୍ତ ପ୍ରଦର୍ଶନକାରୀ ଉଲଗ୍ନ ହୋଇ ବିଧାନସଭା ଘେରାଉ କରିବା ପାଇଁ ବାହାରିଥିଲେ । ତେବେ ଏହା ପୂର୍ବରୁ ପୋଲିସ ସମସ୍ତ ପ୍ରଦର୍ଶନକାରୀଙ୍କୁ ଗିରଫ କରି ନେଇଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।

ଯେଉଁମାନେ ନକଲି ଜାତି ପ୍ରମାଣ ପତ୍ରରେ ଚାକିରି କରୁଛନ୍ତି, ସେମାନଙ୍କର ଯାଞ୍ଚ କରାଯାଉ ବୋଲି ଦାବି କରାଯାଇଛି । ଏଭଳି ବିରୋଧ ପ୍ରଦର୍ଶନ ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁସନ୍ଧାନ କମିଟି ନକଲି ଜାତି ପ୍ରମାଣପତ୍ର ମାମଲାର ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡ଼ିଛି । ୨୬୭ ସରକାରୀ କର୍ମଚାରୀ ଜାଲ୍ ଏସସି / ଏସଟି ସାର୍ଟିଫିକେଟ୍ ବ୍ୟବହାର କରି ଚାକିରି କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

'ପୂର୍ବରୁ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭୋକିଲା ରହି  ବିକ୍ଷୋଭ ପ୍ରଦର୍ଶନ କରିଥିଲୁ । କିନ୍ତୁ ଆମର ଦାବିକୁ ଅଣଦେଖା କରାଯାଇଥିଲା, ତେଣୁ ବର୍ତ୍ତମାନ ଆମେ ଉଲଗ୍ନ ବିରୋଧ ପ୍ରଦର୍ଶନ କରୁଛୁ।'