ଡିଜିଟାଲ ଆରେଷ୍ଟ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବେଗ, ଧୈର୍ଯ୍ୟ ଧରିବାକୁ ପରାମର୍ଶ

ଆଜି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଡିଜିଟାଲ ଆରେଷ୍ଟ ଠକେଇକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Mann ki Baat

ଆଜି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଡିଜିଟାଲ ଆରେଷ୍ଟ ଠକେଇକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧନ କରି, ଡିଜିଟାଲ୍ ଆରେଷ୍ଟ ଭଳି ସାଇବର ଠକେଇ ପ୍ରସଙ୍ଗ ଉଲ୍ଲେଖ କରିବା ସହିତ, ଏଭଳି ସ୍ଥିତିର ସାମ୍ନା କଲେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏକ ସାଇବର୍ ଠକେଇ କଲ୍ ରେକର୍ଡିଂ ଦେଖାଇ ମୋଦି କହିଛନ୍ତି- ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ପ୍ରାବଧାନ ନାହିଁ । କୌଣସି ସରକାରୀ ସଂସ୍ଥା ଫୋନ୍ କିମ୍ବା ଭିଡିଓ କଲରେ ଜେରା କରିନଥାନ୍ତି । ଧମକାନ୍ତି ନାହିଁ କି ଟଙ୍କା ମାଗନ୍ତିନାହିଁ । ଏହା ଏକ ଠକେଇ । କିଛି ଅସାମାଜିକ ବ୍ୟକ୍ତି ଏବଂ ଅପରାଧୀ ଗ୍ୟାଙ୍ଗ ଲୋକଙ୍କୁ ମିଛ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ।

ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏହାର ଛାନଭିନ କରୁଥିବା ବେଳେ, ଏସବୁର ସମନ୍ୱୟ ପାଇଁ ନ୍ୟାସନାଲ ସାଇବର୍ କୋ-ଅର୍ଡିନେସନ ସେଣ୍ଟର ପ୍ରତିଷ୍ଠା ହୋଇଛି । ଡିଜିଟାଲ୍ ଆରେଷ୍ଟ ଠକେଇରେ ଠକମାନେ ନିଜକୁ ପୋଲିସ, CBI, RBI କିମ୍ବା ନାର୍କୋଟିକ୍ସ ଅଧିକାରୀ ଦର୍ଶାଇ ପୀଡ଼ିତଙ୍କୁ ଅତ୍ୟଧିକ ଭୟଭୀତ କରିଥାନ୍ତି ।

ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ସହିତ ଚାପ ପକାଇଥାନ୍ତି । ତେବେ ଏହାର ମୁକାବିଲା ପାଇଁ ୩ଟି ସୂତ୍ର ଆପଣାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଫ୍ରଡ୍ କଲ୍ ଆସିଲେ ଆତଙ୍କିତ ନହୋଇ ଧୈର୍ଯ୍ୟ ଧରନ୍ତୁ । ମୁକାବିଲା ଉପାୟ ଚିନ୍ତା କରନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ । ଯଦି ସମ୍ଭବ ହେଉଛି, ସ୍କ୍ରିନସଟ ନିଅନ୍ତୁ ଓ ରେକର୍ଡିଂ କରି ରଖନ୍ତୁ । ଫ୍ରଡ୍ କଲ ଆସିଲେ ୧୯୩୦କୁ କଲ୍ କରି ଜଣାନ୍ତୁ ।