ମଣିପୁର ହିଂସାକୁ ନେଇ ସରକାର ଶକ୍ତ ! ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ

୮ ଜିଲ୍ଲାରେ ଆସାମ ରାଇଫଲସ ଓ ସେନା ମୁତୟନ । ୭୫୦୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା ।

Manipur violence

ମଣିପୁରରେ ପୁଣି ହିଂସା । ସଂରକ୍ଷଣକୁ ନେଇ ରାଜ୍ୟରେ ଉତ୍ତେଜନା । ୮ଟି ଜିଲ୍ଲାରେ କର୍ଫ୍ୟୁ । ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ପରିସ୍ଥିତିକୁ ଦେଖି ମଣିପୁରରେ ଆସାମ ରାଇଫଲସ ଓ ସେନା ମୁତୟନ କରାଯାଇଛି । ଏଥିସହ ମଣିପୁର ପୋଲିସ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି । ବର୍ତ୍ତମାନ ମଣିପୁରର ହିଂସାକାଣ୍ଡର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କ ଦେଖିବାମାତ୍ରେ ଗୁଳି ଚଳାଇବା ନିର୍ଦ୍ଦେଶ ଦିଆଯାଇଛି।

ହିଂସା ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଗୁଳି ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ମଣିପୁରର ରାଜ୍ୟପାଳ । ଏହାପୂର୍ବରୁ, ହିଂସା ପ୍ରଭାବିତ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଥିଲା । ମଣିପୁରରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଏଥିସହ ଅଧିକ ଲୋକ ଏକାଠି ହେବା ଉପରେ ଜାରି ହୋଇଛି କଟକଣା । ଅଧିକ ଉତ୍ତେଜନା ପ୍ରବଣ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି ।ଅଧିକ ଆଦିବାସୀ ସମ୍ପ୍ରଦାୟ ରହୁଥିବା ଚୁରାଚାନ୍ଦପୁର, କାଙ୍ଗପୋକପି ଓ ଇମ୍ପାଲ ୱେଷ୍ଟ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଏଥିସହ କାକଚିଙ୍ଗ, ଥୋଉବାଲ, ଜିରିବାମ୍, ବିଷ୍ଣୁପୁର ଜିଲ୍ଲାରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି ।

ସେପଟେ ରେ ହିଂସା ବଢୁଥିବାରୁ ସେନା ଓ ଆସାମ ରାଇଫଲସର ଯବାନମାନେ ପୁରା ସହରରେ ପଇଁତରା ମାରିବା ସହ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଉପସ୍ଥିତ ରହୁଛନ୍ତି । ସେନାକର୍ମୀ ଘଟଣାସ୍ଥଳରେ ରହି ପ୍ରଭାବିତ ଲୋକମାନଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସମ୍ପ୍ରଦାୟର ପ୍ରାୟ ୭ ହଜାର ୫ଶହ ଲୋକଙ୍କୁ ଆଣି ସୁରକ୍ଷିତ ସ୍ଥାନରେ ରଖାଯାଇଛି । ମଣିପୁରର ଅଲମ୍ପିଆନ୍ ବକ୍ସର ଏମସି ମାରିକମ୍ ଶାନ୍ତି ପାଇଁ ଅପିଲ କରିଛନ୍ତି । ସେପଟେ ହିଂସାର ମାର୍ଗ ଛାଡ଼ିବା ଲାଗି ମଣିପୁର ବାସିନ୍ଦାଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହ ।