ପାଟିରେ ରଖିଥିଲେ ନାଗ ସାପ ମୁଣ୍ଡ, ଚାଲିଗଲା ଜୀବନ; ଆଶ୍ଚର୍ଯ୍ୟ କରିବ କାରଣ

ଦୁଃସାହସିକ ରିଲ୍ସ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ୨୦ ବର୍ଷୀୟ ଯୁବକ । ରିଲ୍ସ ଭିଡିଓ ପାଇଁ ନାଗ ସାପକୁ ପାଟିରେ ଭର୍ତ୍ତି କରିଥିଲେ ।

Man dies after putting cobra's head in his mouth

ମହଙ୍ଗା ପଡ଼ିଲା ରିଲ୍ସ ନିଶା । ରିଲ୍ସ ପାଇଁ ଚାଲିଗଲା ଜୀବନ । ଜଣେ ୨୦ ବର୍ଷୀୟ ଯୁବକ ଦୁଃସାହସିକ ରିଲ୍ସ କରିବାକୁ ଯାଇ ପ୍ରାଣ ହରାଇଛନ୍ତି । ନାଗ ସାପକୁ ପାଟିରେ ଭର୍ତ୍ତି କରି ରଖିବାରୁ ଯୁବକର ଜୀବନ ଚାଲିଯାଇଛି । ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକର ନାମ ଶିବରାଜ ବୋଲି ଜଣାପଡ଼ିଛି ।

ବରିଷ୍ଠ ସାମ୍ବାଦିକ ଶ୍ରୀନିବାସ ରେଡ୍ଡି ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖାଯାଇଛି, ରାସ୍ତା ମଝିରେ ଛିଡ଼ାହୋଇ ଏକ ନାଗସାପକୁ ପାଟି ଭିତରେ ଭର୍ତ୍ତି କରୁଛନ୍ତି ଜଣେ ଯୁବକ । ଏହାର ଠିକ୍ କିଛି ସମୟ ମଧ୍ୟରେ ଯୁବକ ଜଣଙ୍କ ସାପଟିକୁ ପାଟିରୁ ବାହାରକୁ କାଢ଼ିବାରେ ଅସମର୍ଥ ହେଉଛନ୍ତି ଏବଂ ଦୁଇ ହାତରେ ନିଜ ମୁଣ୍ଡ ଉପରେ ରଖୁଛନ୍ତି ।

ପରେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସାପଟି ପାଟି ଭିତରେ ଯୁବକଙ୍କୁ କାମୁଡ଼ି ଦେଇଥିବା ଜଣାପଡ଼ିଛି । ସାପ ଉଦ୍ଧାରକାରୀ ଭାବେ ମୃତ ଯୁବକ ଓ ତାଙ୍କର ବାପା କାମ କରୁଥିଲେ ବୋଲି ଜଣାପଡ଼ିଛି। ତେବେ ଭିଡିଓ ସୁଟିଂ ପାଇଁ ସେମାନେ ଏହ ସାପଟିକୁ ଧରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ ଯୁବକର ବାପା ଏପରି ଏକ ଭିଡିଓ ସୁଟିଂ କରି ହ୍ୱାଟ୍ସଆପ୍ ଗ୍ରୁପରେ ପଠାଇବାକୁ ପୁଅକୁ ଅନୁରୋଧ କରିଥିଲେ ।

ସାପଟି କାମୁଡ଼ିବା ପରେ ନିଜ ଚେଷ୍ଟାରେ ବାହାରକୁ ଆସିଥିବା ଜଣାପଡ଼ିଛି । ଜୀବନକୁ ବିପଦରେ ପକାଇ ଏପରି ଭିଡିଓ ସୁଟ୍ କରିବାକୁ ନେଇ ଅନେକ ୟୁଜର୍ସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କମ୍ ସମୟରେ ଲୋକପ୍ରିୟତା ପାଇଁ ଏପରି ବିପଦପୂର୍ଣ୍ଣ ଭିଡିଓ ସୁଟ୍ କେତେ ଯଥାର୍ଥ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।