ହାତ କାଟି ସରଜୁ କୂଳରେ ଚଢ଼ାଇ ଦେଲେ ଯୁବକ

ରାଜ୍ୟରେ ହେଉଥିବା ଦୁର୍ନୀତିକୁ ନେଇ କିଛି ଦିନ ପୂର୍ବରୁ ପତ୍ର ଲେଖିଥିଲେ

କାହିଁକି ଚରମ ନିଷ୍ପତ୍ତି ନେଲେ ?

ରାମନଗରୀ ଅଯୋଧ୍ୟାରେ ହଡ଼କମ୍ପ । ସାଧୁ ବେଶଧାରୀ ଜଣେ ଯୁବକ ସରଜୁ ନଦୀ କୂଳରେ ପୂଜା କରି ନିଜ ହାତକୁ ବଳି ଚଢ଼େଇ ଦେଇଛି । ହେଲେ ହାତକୁ କାଟିବା ପରେ ଯୁବକ ଜଣକ ରାସ୍ତାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକେ ଦେଖିଥିଲେ । ତୁରନ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିହାରରେ ହେଉଥିବା ଦୁର୍ନୀତିକୁ ନେଇ ସେ ଏପରି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ହାତ କାଟିଥିବା ଯୁବକଙ୍କ ନାମ ବିମଳ କୁମାର । ସେ ବିହାରର ଆରାରିଆ ଜିଲ୍ଲାର ବାସିନ୍ଦା । ବିମଲ ଜଣେ ସାମାଜିକ କର୍ମୀ । ରାଜ୍ୟର ଦୁର୍ନୀତି ଚରମସୀମାରେ ପହଞ୍ଚିଥିବା ନେଇ ୧ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ଅଭିଯୋଗ କରିଥିଲେ । ହେଲେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏଥିରେ ଅସନ୍ତୁଷ ବିମଲ ନିଜ ଡାହାଣ ହାତକୁ କାଟିଦେଇଛନ୍ତି । ଯେଉଁ ହାତରେ ପତ୍ର ଲେଖିଥିଲେ, ସେହି ହାତକୁ କାଟି ପକାଇଲେ ।ତେବେ ଏହି ଦୃଶ୍ୟ ଦେଖି ଲୋକେ ଏତେ ବିଚଳିତ ହୋଇ ପଡ଼ିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଅଭିଯୋଗ କରିଥିଲେ ?

ଆଜିକୁ ପ୍ରାୟ ୧ ମାସ ୫ ଦିନ ପୂର୍ବରୁ ସେ ସରକାର ଏବଂ ଅମଲାତନ୍ତ୍ର ବିରୋଧରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଥିଲେ । ଏହାସହ ଅକ୍ଟୋବର ୧ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ବିମଲ ମଣ୍ଡଳଙ୍କ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳରେ ରାଗିଯାଇ ଅଯୋଧ୍ୟାରେ ସରଜୁ ଘାଟରେ ନିଜ ଡାହାଣ ହାତକୁ କାଟି ଚଢ଼ାଇ ଦେଇଛନ୍ତି ।

ତେବେ ନଦୀ ତଟରେ ହାତ କାଟି ଦେବାପରେ ଉପସ୍ଥିତ ଲୋକେ ଭୟଭୀତ ହୋଇପଡ଼ିଥିଲେ । କେହି କେହି ଏହାକୁ ତାନ୍ତ୍ରିକ କାର୍ଯ୍ୟକଳାପ ବୋଲି ମଧ୍ୟ କହୁଛନ୍ତି । କିନ୍ତୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ବିମଲ ତାଙ୍କ ହାତ କାଟିବା ପରର ଯନ୍ତ୍ରଣା ବୟାନ୍‌ କରୁଛି ।

ସେ କହିଛନ୍ତି, ସରକାରଙ୍କ କାର୍ଯ୍ୟକଳାପରେ ସେ ଅସନ୍ତୁଷ୍ଟ। ଏକ ଗ୍ରାମ ସଭାର ସମ୍ପର୍କରେ ହୋଇଥିବା ଯାଞ୍ଚକୁ ସାର୍ବଜନୀନ କରିବାକୁ ଦାବି କରୁଥିଲେ । ଏନେଇ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଅଭିଯୋଗ କରିଥିଲେ । କୌ ଣସି ପଦକ୍ଷେପ ନନେବା ପରେ ସେ ତାଙ୍କ ହାତକୁ ହିଁ କାଟି ଦେଇଛନ୍ତି ।