ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନସିପି କଡା ଚାଲେଞ୍ଜର ସମ୍ମୁଖୀନ ହୋଇଛି । ଏନସିପିରେ ନିଜର ଲିଗାସୀ ଓ ଭୋଟ୍ ବେସ୍ ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ଲାଗିଛନ୍ତି ବର୍ଷୀୟାନ୍ ନେତା ଶରଦ ପାୱାର ଓ ତାଙ୍କ ପୁତୁରା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଚଳିତ ନିର୍ବାଚନରେ ପାୱାର ପରିବାରର କଳି ହୋଇଛି ଚର୍ଚ୍ଚାର ବିଷୟ । ଏନସିପି ଅଜିତ ପାୱାର ଗୋଷ୍ଠୀ ଓ ଶରଦ ପାୱାର ଗୋଷ୍ଠୀ ୩୫ଟି ଆସନରେ ସିଧାସଳଖ ଲଢୁଛନ୍ତି । ଏ ଲଢେଇ ତୀବ୍ର ହୋଇଛି ବାରାମତୀ ବିଧାନସଭା ଆସନରେ । ଏହି ଆସନରେ ଶରଦ ପାୱାରଙ୍କ ପୁତୁରା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଲଢୁଛନ୍ତି ଶରଦ ପାୱାରଙ୍କ ସଂପର୍କୀୟ ନାତି ଯୁଗେନ୍ଦ୍ର ପାୱାର । ଅଜିତ ପାୱାରଙ୍କ ସାନ ଭାଇ ଶ୍ରୀନିବାସ ପାୱାରଙ୍କ ପୁଅ ହେଉଛନ୍ତି ଯୁଗେନ୍ଦ୍ର । ଯୁଗେନ୍ଦ୍ର ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିର ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଏହି ଆସନରୁ ୭ ଥର ଜିତିଛନ୍ତି ଅଜିତ୍ । ଏହା ହେଉଛି ଏନସିପିର ଗୋଟିଏ ଗଡ଼ । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଦଳ ବିଭାଜନ ପରେ ପ୍ରଥମ ଥର ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ହେଉଛି ମୁହାଁମୁହାଁ ଲଢେଇ । କେବଳ ଏଇଠି ସୀମିତ ନାହିଁ ଏନସିପିର କଳି । ବିଦର୍ଭ ଅଞ୍ଚଳରେ ମଧ୍ୟ ଦୁଇ ଗୋଷ୍ଠୀ ପରସ୍ପରର ସାମନା କରୁଛନ୍ତି । ଏନସିପିର ଷ୍ଟ୍ରଙ୍ଗହୋଲ୍ଡ ତୁମସାର, ଆହେରି ଓ ପୁସାଦରେ ଏନସିପିର ସମର୍ଥକ ମାନେ ଭ୍ରମରେ ପଡିଛନ୍ତି କାହାକୁ ଦେବେ ଭୋଟ ।
ଅଧିକ ପଢନ୍ତୁ: ଗୋଳିଆ ରାଜନୀତି, ଛୋଟ ଦଳର ବଡ଼ ଭୂମିକା
Also Read
ଶରଦ ପାୱାରଙ୍କ ସହ ଥିବା ସମର୍ଥକ ମାନେ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଓ ଶରଦଙ୍କ ସହ ଥିବା ସଂପର୍କକୁ ନେଇ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି । ଅଜିତ ପାୱାର ଗୋଷ୍ଠୀକୁ ସମର୍ଥନ କରୁଥିବା ଏନସିପି କର୍ମୀମାନେ ବିଜେପି ସହ ମେଣ୍ଟର ଫାଇଦା ଓ ଆନୁଷଙ୍ଗୀକ ଭିତ୍ତିଭୂମିର ବିକାଶକୁ ପ୍ରସଙ୍ଗ କରିଛନ୍ତି । ଗୋଟିଏ ପରିବାରରୁ କାହାକୁ ଦେବେ ଭୋଟ, ସେ ନେଇ ବହୁ କର୍ମୀ ମନ ସ୍ଥିର କରିପାରୁନାହାନ୍ତି । ବାସମଥ, ଫଲଟନ୍, କୋପରଗାଁ, ଅହମଦନଗର ଆଦି ପ୍ରାୟ ୩୫ଟି ଏମିତି ଆସନ ରହିଛି ଯେଉଁଠି ପାୱାର ପରିବାର ପରୀକ୍ଷା ଦେଉଛନ୍ତି । ଏହି ସବୁ ନିର୍ବାଚନମଣ୍ଡଳୀରେ ଶରଦ ପାୱାରଙ୍କ ପ୍ରାର୍ଥୀ ବନାମ୍ ଅଜିତ ପାୱାରଙ୍କ ପ୍ରାର୍ଥୀଙ୍କ ମଧ୍ୟରେ କାଣ୍ଟେକୀ ଟକ୍କର ହେଉଛି । ୨୦୨୩ରେ ଅଜିତ ପାୱାର ଏନସିପିର ଗୋଟିଏ ଗୋଷ୍ଠୀକୁ ନେଇ ସରକାରରେ ଯୋଗଦେବା ପରେ ଏନସିପି ଦୁଇ ଭାଗ ହୋଇଯାଇଥିଲା । ବଦଳି ଯାଇଥିଲା ମହାରାଷ୍ଟ୍ରରେ ରାଜନୈତିକ ସମୀକରଣ । ଶରଦ ପାୱାରଙ୍କ ଗୋଷ୍ଠୀ ମହା ବିକାଶ ଅଘାଡି ମେଣ୍ଟରେ ଥିଲା ବେଳେ ଅଜିତ ପାୱାର ଗୋଷ୍ଠୀ ମହାୟୁତି ସହ ଅଛି । ମହାରାଷ୍ଟ୍ରରେ ମୁଖ୍ୟତଃ ଏହି ଦୁଇ ମେଣ୍ଟ ମଧ୍ୟରେ ଚାଲିଛି ଲଢେଇ । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେବା ପରେ ନିର୍ବାଚନ କମିଶନ ଦଇ ଗୋଷ୍ଠୀକୁ ଏନସିପି ନାଁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଦୁଇ ଗୋଷ୍ଠୀ ଦୁଇଟି ଚିହ୍ନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢନ୍ତୁ: ନିର୍ବାଚନ ପାଇଁ ଭାଙ୍ଗିଲା ପରିବାର, ଗୋଟିଏ ଆସନରୁ ଲଢିଲେ ସ୍ୱାମୀ-ସ୍ତ୍ରୀ
ରାଜନୈତିକ ସମୀକ୍ଷକଙ୍କ ମତରେ ଏହି ନିର୍ବାଚନ ଏନସିପିର ଦୁଇ ଗୋଷ୍ଠୀଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ୍ ହେବ । ଯିଏ ଅଧିକ ଆସନ ପାଇବ, ଦଳର ଅଧିକାଂଶ କର୍ମୀ ଓ ନେତା ସେହି ଗୋଷ୍ଠୀ ସହ ରହିବେ । ଗତ ଲୋକସଭା ନିର୍ବାଚନରେ ଶରଦ ପାୱାରଙ୍କ ଗୋଷ୍ଠୀ ୧୦ ଆସନରେ ପ୍ରାର୍ଥୀ ଦେଇ ୮ଟିରେ ବିଜୟ ଲାଭ କରିଥିଲା । ଅଜିତ ପାୱାରଙ୍କ ଗୋଷ୍ଠୀ ୪ଟି ଆସନରେ ପ୍ରାର୍ଥୀଙ୍କୁ ଛିଡା କରି ମାତ୍ର ଗୋଟିଏ ଆସନରେ ଜିତିଥିଲେ । ତେଣୁ ଏହି ନିର୍ବାଚନ କହିବ, କିଏ ରିଅଲ୍ ଏନସିପି । ତେଣୁ ଉଭୟ ଗୋଷ୍ଠୀ ପାଇଁ ଏହି ବିଧାନସଭା ନିର୍ବାଚନ ସୃଷ୍ଟି କରିଛି କର ବା ମର ଅବସ୍ଥା । ନିଜ ପୁତୁରା ହୋଇ ବି ଦାଦା ଶରଦ ପାୱାରଙ୍କୁ ଚକମା ଦେଇଥିଲେ ଅଜିତ ପାୱାର । ଠିକ୍ ସେଇମିତି ବଡବାପା ଅଜିତଙ୍କ ସହ ଲଢୁଛନ୍ତି ପୁତୁରା ଯୁଗେନ୍ଦ୍ର । ରାଜନୀତିରେ ଏ ହେଉଛି ପାୱାର ପରିବାରର ଅଛିଣ୍ଡା କଳି ।