ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ବଡ଼ ବଡ଼ କୋଠା ଓ ଆଲିଶାନ୍ ଘର। ଏପରିକି ଲୋକମାନେ ଦାମୀ କାର୍ ଚଲାଉଛନ୍ତି। ଏସବୁ କେଉଁ ଧନିକ ଶ୍ରେଣୀର ବ୍ୟକ୍ତିଙ୍କର ନୁହେଁ କି କେଉଁ ରାଜନେତାଙ୍କର ନୁହେଁ। ବରଂ ବିଲରେ ଚାଷ କରି ଝାଳ ବୁହାଉଥିବା ଚାଷୀଙ୍କର। କଠିନ ପରିଶ୍ରମ କରି ସେମାନେ ଏସବୁ କମାଇଛନ୍ତି। ହିମାଚଳ ପ୍ରଦେଶର ରାଜଧାନୀ ଶିମଲାଠୁ ୯୦ କି.ମି. ଦୂରରେ ଥିବା ମଡାଭାଗ ଗାଁ (Madavag Village) ଲୋକଙ୍କ ଲାଇଫ୍ ଷ୍ଟାଇଲ୍ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସତେ ଯେମିତି, ଗାଁରେ ବସବାସ କରୁଥିବା ୨୩୦ ପରିବାରଙ୍କ ଭାଗ୍ୟ ସେଓ ଚାଷ ହିଁ ବଦଳାଇ ଦେଇଛି।
ଅଧିକ ପଢ଼ନ୍ତୁ: ଚାଷ ପାଇଁ ପେଷା ବଦଳାଇଲେ ଇଞ୍ଜିନିୟର; ଭଲ ଆୟ ଦେଉଛି କୁକୁଡ଼ା ଚାଷ
ସେଓ ବଦଳାଇ ଦେଲା ଭାଗ୍ୟ...
ସେଓ ଚାଷ କରି ଗାଁ ଲୋକଙ୍କ ଭାଗ୍ୟ ବଦଳି ଯାଇଛି। ସେମାନେ ବାର୍ଷିକ ୧୭୫ କୋଟି ଟଙ୍କାର ସେଓ ବିକ୍ରି କରିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏହି ଗାଁରେ ରହୁଥିବା ସମସ୍ତ ଚାଷୀ କୋଟିପତି। ସେମାନଙ୍କର ବାର୍ଷିକ ଆୟ ୩୫ ଲକ୍ଷରୁ ୮୦ ଲକ୍ଷ ମଧ୍ୟରେ। ତେଣୁ ବର୍ତ୍ତମାନ ଏହି ଗାଁ ଏସିଆର ସବୁଠୁ ଧନୀ ଗାଁ(Asia Richest Village)।
ମଡାଭାଗ ଗାଁର ଚାଷୀ ପ୍ରଥମେ ଆଳୁ ଚାଷ କରୁଥିଲେ। ୧୯୫୩-୫୪ ମସିହାରେ ଗାଁର ଚଇୟାଁ ରାମ ମେହେଟ୍ଟା ସେଓ ଚାଷ ଆରମ୍ଭ କରିଥିଲେ। ଏହାପରେ ସେ ଗାଁର ଅନ୍ୟ ଲୋକଙ୍କୁ ସେଓ ଚାଷ ପାଇଁ ଉତ୍ସାହିତ କରିଥିଲେ। ଧୀରେ ଧୀରେ ଗାଁର ସବୁ ଲୋକ ସେଓ ଚାଷ ଆରମ୍ଭ କରିଥିଲେ। ୨୦୦୦ ମସିହା ପରେ ମଡାଭାଗ ଗାଁର ସେଓକୁ ନେଇ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ମଡାଭାଗ ଗାଁର ସେଓ କ୍ୱାଲିଟି ବେଶ୍ ଭଲ। ମାର୍କେଟ୍ରେ ଏହାର ଡିମାଣ୍ଡ ଯୋଗୁ ଏହାକୁ ଅଧିକ ଦାମ୍ରେ ବିକ୍ରି କରାଯାଉଛି। ଖାଲି ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଏହି ସେଓର ଚାହିଦା ରହିଛି। ମଡାଭାଗ ଗାଁରେ ସେଓ ଚାଷ ପୂର୍ବରୁ ଶିମ୍ଲାର କ୍ୱାରି ଗାଁ ଏସିଆର ସବୁଠାରୁ ଧନୀ ଗାଁ ଥିଲା। ସେଓ ଚାଷ କରି ଏଠାକାର ଗାଁ ଲୋକେ ମଧ୍ୟ ଧନୀ ହୋଇଛନ୍ତି।
ମଡାଭାଗ ଓ କ୍ୱାରି ଗାଁ ଲୋକଙ୍କ ପାଇଁ ରୋଲ୍ ମଡେଲ୍...
ମଡାଭାଗ ଓ କ୍ୱାରି ଗାଁ ଲୋକେ ସେଓ ଚାଷ କରି ଧନୀ ହେବା ପରେ ଏହାର ଆଖାପାଖ ଗାଁ ଲୋକଙ୍କୁ କିଛି ନୂଆ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ମଡାଭାଗ ଗାଁ ନିକଟରେ ଥିବା ଦଶୌହି ଗାଁ ମଧ୍ୟ ଭଲ କ୍ୱାଲିଟିର ସେଓ ଚାଷ କରି ଧୀରେ ଧୀରେ ପ୍ରସିଦ୍ଧ ହେବାରେ ଲାଗିଛି। ଏହି ଗାଁରେ ସେଓ ବଗିଚା ଗୁଡ଼ିକ ୮୦୦୦ରୁ ୮୫୦୦ ଫୁଟ୍ ଉଚ୍ଚରେ ରହିଛି। ଯାହାକି ଭଲ କ୍ୱାଲିଟିର ସେଓ ଉତ୍ପାଦନ ପାଇଁ ଛତ୍କୃଷ୍ଟ।